ଅଭିଯୋଗ ପରେ ତଦନ୍ତ କରିବି କହିଲେ ସିଡିପିଓ
ରାୟଗଡ,୬/୬ : ରାୟଗଡ ଜିଲ୍ଳା ସଦର ମହକୁମାର ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରେ ପୋଚକା ଅଣ୍ଡା ପ୍ରଦାନକୁ ନେଇ ହିତାଧିକାରୀ ଓ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ନଜରକୁ ଆସିଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ସହରର ମହିଳା ମହାବିଦ୍ୟାଳୟ ପଛପଟ ରେଭିନ୍ୟୁ କଲୋନୀ ନିକଟସ୍ଥ ହରିଜନ ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ରର କର୍ମୀ କସ୍ତୁରୀ ବୁଧବାର ଦିନ ପ୍ରି-ସ୍କୁଲ ପିଲାମାନଙ୍କୁ ଗରମ ରନ୍ଧା ଖାଦ୍ୟରେ ୧୦ଜଣ ପିଲାଙ୍କୁ ପୋଚକା ସିଝା ଅଣ୍ଡା ପ୍ରଦାନ କରିଥିଲେ ।
ତେବେ ସେଠାକୁ ଆସିଥିବା କିଛି ହିତାଧିକାରୀମାନେ ଏହା ଦେଖିବାକୁ ପାଇଥିଲେ । ସେମାନେ ପିଲାମାନଙ୍କୁ ପୋଚକା ଅଣ୍ଡା ଦିଆଯାଇଥିବା ନେଇ ଅଙ୍ଗନୱାଡି କର୍ମୀଙ୍କୁ ପଚାରଉଚୁରା କରିଥିବା ବେଳେ ଦୋକାନରୁ ଅଣ୍ଡା ଆଣି ଦିଆଯାଉଛି ତାହିଁରେ ଖରାପ ବାହାରିଲେ ମୁଁ କଣ କରିବି ଏବଂ ଯଦି ପୋଚକା ଅଣ୍ଡା ମିଳିଛି ତେବେ ତାହାକୁ ଫିଙ୍ଗି ଦିଅ ବୋଲି କର୍ମୀ କସ୍ତୁରୀ କହିଥିବା ନେଇ ସାହି ବାସିନ୍ଦା ତଥା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ ଏହି କେନ୍ଦ୍ରରେ ଅଣ୍ଡା ପ୍ରଦାନ ଘଟଣା ୨ଥର ଘଟିଯାଇଥିଲେ ସୁଦ୍ଧା ତୃତୀୟ ଥର ମଧ୍ୟ ପୁଣି ଥରେ କୁନି କୁନି ପିଲାଙ୍କୁ ପୋଚକା ଅଣ୍ଡା ପ୍ରଦାନ କରାଯାଉଥିବା ନେଇ ବନିତା ନାଗ, ମାଳନ୍ତି କୋଶଲା, ବାସନ୍ତି ଟାକ୍ରି, ଦାସାଇ ଜାନୀ, ପୁଷ୍ପା ବିଡିକା, ଅନୁଷା ଗରଡାଙ୍କ ସମେତ ଅନ୍ୟମାନେ ମଧ୍ୟ କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ତେବେ ଏ ନେଇ ରାୟଗଡ ବ୍ଳକ ସିଡିପିଓ ସୁଶ୍ରୀ ପୁଷ୍ପାଂଜଳି ମିଶ୍ରଙ୍କୁ ଅଭିଯୋଗ ସଂପର୍କରେ ପଚାରି ବୁଝିବାରୁ ସେ ଏ ନେଇ କୈାଣସି ଅଭିଯୋଗ ପାଇ ନ ଥିଲେ ସୁଦ୍ଧା ଯଦି ଅଭିଯୋଗ ଆସିଛି ତାହାହେଲେ ତାହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ ସୁପରଭାଇଜର ସ୍ୱର୍ଣ୍ଣଙ୍କୁ ପଚାରିବାରୁ ସେ ଅଙ୍ଗନୱାଡି କେନ୍ଦ୍ରର କର୍ମୀ କସ୍ତୁରୀଙ୍କୁ ଯେଉଁ ମାନଙ୍କୁ ପୋଚକା ଅଣ୍ଡା ପ୍ରଦାନ କରାଯାଇଛି ହିତାଧିକାରୀ ତଥା ପ୍ରି-ସ୍କୁଲ ପିଲାଙ୍କୁ ଭଲ ସିଝା ଅଣ୍ଡା ପ୍ରଦାନ ପାଇଁ କହିଥିବା ସେ ଜଣାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଉକ୍ତ କେନ୍ଦ୍ରରେ ପୂର୍ବରୁ ୨ଥର ଏପରି ଅଭିଯୋଗ ହୋଇ ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତଥା କେନ୍ଦ୍ର ପରିଦର୍ଶନରେ ଯାଉଥିବା ସୁପରଭାଇଜର ଏ ସମସ୍ୟାର କି ପ୍ରକାର ସମାଧାନ କରିଥିଲେ ?
ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ