ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ କୋମନା ବ୍ଲକର ଏକ ସରପଞ୍ଚ ପ୍ରତିନିଧି ଦଳ 10 ଦଫା ଦାବୀପତ୍ର ନୂଆପଡା ଜିଲ୍ଲପାଳ ହେମକାନ୍ତ ସାୟଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି | କୋମନା ଜାତୀୟ ରାଜପଥ 353 ରୁ ବଘାମୁଣ୍ଡା ଭେଲା ରାସ୍ତା ଦେଇ ବିଜୁ ଏକ୍ସପ୍ରେସ ୱେ ରାସ୍ତା ସଂଯୋଗ କରିବା ଜରୁରୀ ହୋଇପଡିଛି | ଏହି ପ୍ରସ୍ତାବିତ ରାସ୍ତାରେ କୋମନାର କିଛି ଲୋକ ଜବର ଦଖଲ କରିଦେଇଛନ୍ତି | ଯାହାଦ୍ୱାରା ରାସ୍ତା ନିର୍ମାଣ ପାଇଁ ବଧା ଦେଉଛି | କୋମନା ଅଂଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତା ନିର୍ମାଣ କାମ ଶୀଘ୍ର ଆରମ୍ଭ କରୁ, କୋମନାର ନବ ନିର୍ମିତ ଡାକ୍ତରଖାନା ରାସ୍ତା ସନ୍ଧ୍ୟା ହେଲେ ଅନ୍ଧକାର ହୋଇଯାଉଛି | ଯାହା ଦ୍ୱାରା ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏହି ଡାକ୍ତରଖାନା ରାସ୍ତାରେ ନୂତନ ବିଦ୍ୟୁତ ଖମ୍ବ ଲଗାଇ ଆଲୋକୀକରଣ କରିବା ଓ ପୁଣି ନୂତନ ଡାକ୍ତରଖାନା ସାମ୍ନାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଗଲେ ଡାକ୍ତରଖାନା କୁ ଆସୁଥିବା ଲୋକ ସହ କଲେଜ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେବେ, କୋମନା ବ୍ଲକର ପେଣ୍ଡରାବନ୍ଦ ବାହାବଲ ଗାଁ ଦେଇ ବଲାଙ୍ଗୀର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ରେ ଏକ ନାଳ ଥିବାରୁ ବର୍ଷା ଦିନେ ଗମନା ଗମନ ଠପ ହଅଯାଉଛି | ଏହି ରାସ୍ତା କୁ ସବୁଦିନିଆ ରାସ୍ତା କରିବା ପାଇଁ ଉକ୍ତ ନାଳରେ ଏକ ବ୍ରିଜ ନିର୍ମାଣ କରିବାକୁ ଅନୁରୋଧ ରହିଛି | ଏହି ବ୍ରିଜ ନିର୍ମାଣ ହେଲେ ଲୋକେ କଣ୍ଟାବାଞ୍ଜି ରେଳ ଷ୍ଟେସନ ସହିତ ବଜାରର ସୁବିଧା ପାଇପାରିବେ | କୋମନା ପଂଚାୟତ ବିଶ୍ୱନାଥପୁର ଦେଇ ବଲାଙ୍ଗୀର ଜିଲ୍ଲାର ସାନଡ଼କଲା କୁ ଥିବ ରାସ୍ତାକୁ ଆବଶ୍ୟକ ଓସାରିଆ ରାସ୍ତା କରାଗଲେ କୋମନା ରୁ କଣ୍ଟାବାଞ୍ଜି କୁ ସିଧାସଳଖ ରାସ୍ତା ସଂଯୋଗୀକରଣ ହୋଇପାରିବ | ପେଣ୍ଡରାବନ୍ଦ ନିକଟରେ ଥିବା ଗରିବଶ୍ରେଣୀର ମାଛ ବ୍ୟବସାୟୀଙ୍କ ପାଇଁ ଏକ ମାଛ ବଜାର ନିର୍ମାଣ କରିଲେ ରାସ୍ତାକଡ଼ ରୁ ସେମାନଙ୍କୁ ଦୁର୍ଘଟଣାରୁ ବଞ୍ଚାଇ ହେବା | ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ କୋମନା ବ୍ଲକର 35 ଟି ସ୍ମଶାନ ଘାଟ ଜଳମଗ୍ନ ହୋଇଯାଇଛି | ତେବେ ପ୍ରତେକ ପଂଚାୟତରେ ଗୋଟିଏ ଲେଖାଏଁ ସ୍ମଶାନ୍ ଘାଟ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ | ଜାତୀୟ ରାଜପଥ 353 ର କଡ଼ରେ ଥିବା କୋମନା ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ପାଇଁ ସାଇନ ବୋର୍ଡର ବ୍ୟବସ୍ଥା କରାଯାଉ | କୋମନା ବ୍ଲକର ପେଣ୍ଡରାବନ୍ଦ, କୋନାବିରା, ରାଜନା, ଅଗ୍ରେନ ଆଦି ପଂଚାୟତର ଜଳଯୋଗାଣ ପ୍ରକଳ୍ପ ଓ ଉଚ୍ଚ ବିଦ୍ୟୁତ ସମନ୍ୱୟ, ବିଦ୍ୟୁତ ଖୁଣ୍ଟ ପାଣିରେ ବୁଡିକି ଅଛି | ଏହା ଦ୍ୱାରା ଯେକୌଣସି ସମୟରେ ଦୁର୍ଘଟଣା ହୋଇପାରେ ଏହାର ତୁରନ୍ତ ପ୍ରତିକାର କରାଯାଉ | କୋମନାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ବସଷ୍ଟାଣ୍ଡ ସମ୍ମୁଖରେ କୋମନାର ଯାତ୍ରୀବିଶ୍ରାମ ଗାର, ଶୌଚାଳୟ,ଉଠା ଦୋକାନୀ ମାନଙ୍କ ପାଇଁ ନୂତନ ମାର୍କେଟ କମ୍ପ୍ଲେକ୍ସର ବ୍ୟବସ୍ଥା କରାଯାଉ | ରବି ଓ ଖରିଫରେ କୋନାବିରା ଓ ପେଣ୍ଡରାବନ୍ଧ ଗାଁର କିଛି ଜମିକୁ ପେଣ୍ଡରାବନ୍ଦ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ୱାରା ପାଣି ଯୋଗାଇ ଦିଆଯାଉ ଥିଲା | ବର୍ତ୍ତମାନ ଉକ୍ତ ଜମି ଲୋୟାର ଇନ୍ଦ୍ର ଜଳ ଜଳସେଚନ ପ୍ରକଳ୍ପରେ ବୁଡି ଯାଇଛି | ଏହି କେନାଲ କୁ ଚାଷୀଙ୍କ ପାଇଁ କୋମନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଜଳ ଯୋଗାଣ କରାଯାଉ ଏବଂ ବିଶ୍ୱନାଥପୁର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପକୁ ଆବଶ୍ୟକୀୟ ମରାମତି କରାଗଲେ କୋମନା ଓ ପଏର ପଂଚାୟତର ଚାଷୀ ଜଳ ସୁବିଧା ପାଇ ପାରିବେ | ଏହି ଭଳି 10 ଦଫା ଦାବୀ ଲିଖିତ ଭାବରେ ସରପଞ୍ଚ ପ୍ରତିନିଧି ଦଳ ଆଜି ନୂଆପଡା ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଉଭୟ ଲିଖିତ ଓ ମୌଖିକ ଭାବେ ଜଣାଇଛନ୍ତି | ଭେଲା ସରପଞ୍ଚ ବିମଲ ଯୋଶୀ, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ରଜନା ସରପଞ୍ଚ କ୍ଷୀର ସିନ୍ଧୁ ଭୋଇ, ତରବୋଡ଼ ସରପଞ୍ଚ ଶ୍ୟାମ ପୁଷ୍ଟି, କୋନାବିରା ସରପଞ୍ଚ ମିଥିଲ ନାୟକ, ଲଖନା ସରପଞ୍ଚ ଜିତେନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ |