ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ‘ସେମା-୨୦୨୩’ ଶୀର୍ଷକ ବିକାଶ କାର୍ଯ୍ୟକ୍ରମ

କର୍ମଶାଳାରେ ଅଂଶଗ୍ରହଣ କଲେ ୩୫ ଜଣ ଗବେଷକ ଗବେଷିକା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ଏକ ଦୁଇଦିନିଆ ବିକାଶ କାର୍ଯ୍ୟକ୍ରମ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ବାରା ଆୟୋଜିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବେ ଆଇଆଇଆଇଟି ଗୋଆଲିୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମନୋଜ କୁମାର ଦାଶ ପ୍ରମୁଖ ଭାବରେ ଏଥିରେ ଯୋଗ ଦେଇଥିଲେ।

ଗଠନମୂଳକ ସମୀକରଣ ମଡେଲିଂ ଏବଂ ବିଶ୍ଳେଷଣ (ଷ୍ଟ୍ରକଚରାଲ ଇକ୍ଵେସନ୍ ମଡେଲିଂ ଆଣ୍ଡ୍ ଆନାଲିସିସ: ସେମା – ୨୦୨୩) ଶୀର୍ଷକ ଏହି କର୍ମଶାଳାର ମୁଖ୍ଯ ଉଦ୍ଦେଶ୍ଯ ହେଲା ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ଗବେଷଣାତ୍ମକ ନିବନ୍ଧ ଓ ତଥ୍ଯ ଗୁଡିକର ଗୁଣବତ୍ତା, ମୂଲ୍ୟାଙ୍କ ବୃଦ୍ଧି। ଏଥିସହ କାରକ ବିଶ୍ଳେଷଣ ଏବଂ ଏକାଧିକ ରିଗ୍ରେସନ୍ ର ମିଶ୍ରଣରେ ମଧ୍ଯ ଏହା ସହାୟକ ହୋଇପାରିବ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ଏହା ଗବେଷକ ମାନଙ୍କ ପାଇଁ ନିର୍ଣ୍ଣୟ ନେବା ପ୍ରକ୍ରିୟାକୁ ସହଜ କରିବ ବୋଲି ନିଜ ବକ୍ତବ୍ଯରେ ପ୍ରକାଶ କରିଥିଲେ।

ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ୩୫ ଜଣଙ୍କ ମଧ୍ଯରେ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଗବେଷଣାରତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ନାତକ ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା ଓଡ଼ିଶା, ଛତିଶଗଡ଼ର ଅନ୍ୟାନ୍ଯ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ରହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପନିର୍ଦ୍ଦେଶକ ଡକ୍ଟର ଦେବଦତ୍ତ ଦାସ କର୍ମଶାଳା ସଂପର୍କିତ ସବିଶେଷ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ଯ ଅରୁଣ କୁମାର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.