ମୀରାମ୍ବିକା ଆବାସିକ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅତିଥି କହିଲେ, ଆଜିର ଶିକ୍ଷାରେ ଶିକ୍ଷାନୀତି ଅଛି କିନ୍ତୁ ନୀତି ଶିକ୍ଷା ନାହିଁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ମଠସାହିସ୍ଥ ମୀରାମ୍ବିକା ଆବାସିକ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମୀରାମ୍ବିକା ଆବାସିକ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପୃଷ୍ଠପୋଷାକ କବି ନିରଞ୍ଜନ ଖୁଣ୍ଟିଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଶିକ୍ଷାରେ ଶିକ୍ଷାନୀତି ଅଛି ମାତ୍ର ନୀତିଶିକ୍ଷା ନାହିଁ। ମଣିଷ ଆଜି ସଂସ୍କାର ଓ ଅହଂକାର ଭିତରେ ଅହରହ ସଂଗ୍ରାମ କରୁଛି। ସଂସ୍କୃତି ଓ ସଂସ୍କାର ବିନା ଶିକ୍ଷା ଅଧୁରା । ଏଥିରେ ମୁଖ୍ୟବକ୍ତା ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ପ୍ରମୁଖ ପ୍ରଫେସର ଡ. ଦେବାଶିଷ ପାତ୍ର, ସମ୍ମାନିତ ବକ୍ତା ଭାବରେ ବେତନଟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼ ସନ୍ତୋଷ କୁମାର ସିଂହ, ବହିଘର ଓ ବିଦ୍ୟାଭାରତୀ ପ୍ରକାଶନର ପ୍ରକାଶକ ତଥା କବି ଅଭୟ ଦାସ, ଗୋପାଳଚନ୍ଦ୍ର ବେଦବିଦ୍ୟାଳୟ ଓ ଅଖିଳ ଭାରତ ସେବା ପ୍ରତିଷ୍ଠାନମର ଅଧକ୍ଷ ଡ. କୁମାର ଚନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ର ସଭା ପରିଚାଳନା କରିଥିଲେ।

ସମସ୍ତ ଅତିଥି ନିଜନିଜ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ପ୍ରାରମ୍ଭରେ ଅତିଥି ଶିକ୍ଷକ ସୁଦାମ ସେଠୀ ମଞ୍ଚ ଆହ୍ୱାନ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଉତ୍କଳ ସଂଗୀତ ଗାନ କରାଯାଇଥିଲା। ସର୍ବଶେଷରେ ଅଧ୍ୟାପକ ପୁର୍ଣ୍ଣେନ୍ଦୁ ଶେଖର ପରିଡ଼ା ଦ୍ୱାରା ଧନ୍ୟବାଦ ପ୍ରଦାନ କରିଥିଲେ।

ପରେ ପରେ ଦ୍ଵିତୀୟ ଅଧିବେଶନ ଓ ପୁରସ୍କାର ବିତରଣୀ ଉତ୍ସବରେ ସଭାପତିତ୍ଵ କରିଥିବା ବିଦ୍ୟାଳୟର ଉପଦେଷ୍ଟା ଶଶିକାନ୍ତ ଜେନା, ମୁଖ୍ୟ ଅତିଥି କବି କାଳିପଦ ପଣ୍ଡା, ମୁଖ୍ୟ ବକ୍ତା ସତ୍ୟଭାମା ମୁଦୁଲି ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷୟିତ୍ରୀ ତଥା ସମାନ୍ନିତ ଅତିଥି ସର୍ବେଶ୍ଵର ଜେନା ସମ୍ପାଦକ ସମୟର ଚକ୍ର, ସଂଗୀତା ରଥ ସି.ଆର.ସି.ସି. ଅଜିମାବାଦ, ସୁମନ୍ତ କୁମାର ଜେନା ପ୍ରକୃତି ବନ୍ଧୁ , ମଞ୍ଜୁବାଳା ଦାସ ନିର୍ଦେଶିକା ବହିଘର, ଜଗଦୀଶ ମିଶ୍ର ତଥା ମଞ୍ଚପରିଚାଳକ ଶ୍ରୀତମ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ବାର୍ଷିକ କ୍ରୀଡାରେ କୃତିଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲେ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ସମସ୍ତ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିବାବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.