ଚନ୍ଦ୍ରପୁରରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁ ପ୍ରସଙ୍ଗ: ୨୮ ଡିସେମ୍ବରରେ ୬ ଘଂଟିଆ ବନ୍ଦ ଡାକରା ଦେଲା ରାୟଗଡା ଜିଲ୍ଳା ବିଜେପି ମହିଳା ମୋର୍ଚ୍ଚା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଚନ୍ଦ୍ରପୁର ସ୍ଥିତ ମା’ ଗୃହର କର୍ମଚାରୀ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁ ଘଟଣାକୁ ସାତ ଦିନ ବିତିଲାଣି । ତଥାପି ପୋଲିସର ହାତ ଖାଲି ପଡିଛି । ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଅଣାଯାଉ ନ ଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟାକାଣ୍ଡ ହୋଇଥିବା ନେଇ ଏତଲା ଦିଆଯାଇଛି । ପୋଲିସ ତଦନ୍ତକୁ ତ୍ୱରାନ୍ନିତ ନ କରି ଚୁପ୍ ବସିଥିବା ବେଳେ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନିନ୍ଦା କରି ବୁଧବାର ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଆସନ୍ତା କାଲି ଡିସେମ୍ବର ୨୮ ତାରିଖରେ ରାୟଗଡା ଜିଲ୍ଳାରେ ୬ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଗୁରୁବାର ସକାଳ ୭ଟାରୁ ଅପରାହ୍ନ ଗୋଟାଏ ଯାଏଁ ଜିଲ୍ଳାରେ ରାସ୍ତାରୋକ ଆନ୍ଦୋଳନ କରାଯିବ । ସମସ୍ତ ଜନସାଧାରଣ, ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ,ଗାଡି ଚଳାଚଳ ବନ୍ଦ କରି ସମର୍ଥନ ଜଣାଇବାକୁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି । ଏ ନେଇ ଆଜି ବୁଧବାର ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡଃ.ଐଶ୍ୱର୍ୟା ବିଶ୍ୱାଳ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାୟଗଡା ଜିଲ୍ଳା ବିଜେପି କମିଟି ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡଃ.ବିଶ୍ୱାଳ,ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତି ବବିତା ପାତ୍ର,ସଂଯୋଜିକା ତଥା ରାୟଗଡା ଜିଲ୍ଳା ପ୍ରଭାରୀ ସୁଶ୍ରୀ ଅରୁଣିମା ସାହୁ, ଜିଲ୍ଳା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ବୁରୁଡି ଲକ୍ଷ୍ମୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ଉଲାକା ଯୋଗ ଦେଇ ଜିଲ୍ଳା ବନ୍ଦ ଡାକରା ନିଷ୍ପତି ସଂପର୍କରେ ସୂଚନା ଦେଇଛନ୍ତି । ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତ ୨୦୧୬ ମସିହାରୁ ଆଲିସା ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ହୋଇ ଆସୁଛି ମା’ଗୃହ । ଏଠାରେ କାଶିପୁର ବ୍ଳକ ନାକଟିଗୁଡାର ବେଲଧର ମାଝିଙ୍କ ଅବିବାହିତ ଝିଅ ଲକ୍ଷ୍ମୀ ମାଝି ଗତ ୪ବର୍ଷ ଧରି କାର୍ଯ୍ୟରତ ଥିଲେ । ତେବେ ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ଗୃହ ସମ୍ମୁଖ ରୋଗୀମାନଙ୍କ ରୋଷେଇ ଘର ପାଚେରୀ ନିକଟରୁ ଲକ୍ଷ୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଶରୀର ଉଦ୍ଧାର କରାଯାଇଥିଲା । ଖବର ପାଇ ବାପା ବେଲଧର ମାଝି ଓ ପରିବାର ବର୍ଗ ଚନ୍ଦ୍ରପୁରରେ ପଂହଚି ଏ ବାବଦରେ ଥାନାରେ ଏତଲା ଦେବା ପରେ ପୋଲିସ ଶବ ବ୍ୟବେଚ୍ଛଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଆଲିସା ସଂଗଠନର ନିର୍ଦ୍ଦେଶକ ନରସିଂହ ମହାପାତ୍ର ଲକ୍ଷ୍ମୀକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ବାପା ବେଲଧର ମାଝି ଏତଲାରେ ଉଲ୍ଳେଖ କରିଥିବା ଜଣାପଡିଛି । ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଜଣାପଡିବା ପରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ଡଃ.ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସଂପାଦିକା ଶ୍ରୀମତି ବବିତା ପାତ୍ରଙ୍କ ନେତୃତ୍ୱରେ ସତ୍ୟ ଅନୁସନ୍ଧାନକାରୀ ଦଳ ପଂହଚି ସ୍ଥାନୀୟ ଲୋକ ତଥା ଡାକ୍ତର, ପୋଲିସଙ୍କ ସହ ଆଲୋଚନା କରି ଫେରିଛନ୍ତି ।
ରାଜ୍ୟରେ ଏବେ ନାବାଳିକା, ଯୁବତୀ, ମହିଳା କେହି ବି ସୁରକ୍ଷିତ ନ ଥିବା ବେଳେ ଦକ୍ଷିଣ ଓଡିଶାରେ ଏଭଳି ଘଟଣା ଏବେ ଧୀରେ ଧୀରେ ମୁଣ୍ଡ ଟେକିବାରେ ଲାଗିଛି । ରାୟଗଡା ଜିିଲ୍ଳାରେ ମହିଳାମାନଙ୍କ ଉପରେ ଘଟିଥିବା ବିଭିନ୍ନ ଘଟଣାର ଉଦାହରଣ ଦେଇ ଡଃ.ବିଶ୍ୱାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏପରିକି ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଳାରେ ଆଦିବାସୀ ମହିଳା,ଯୁବତୀମାନେ ସୁରକ୍ଷିତ ନ ଥିବା ବେଳେ ଏଠାରେ ଆଇନକୁ କୁଠାରଘାତ କରାଯାଉଛି ବୋଲି ଡଃ.ବିଶ୍ୱାଳ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କେ.ଅଶ୍ୱିନୀ, ଜିଲ୍ଳା ଉପସଭାପତି ଅର୍ଚ୍ଚନା ବର୍ମା, ଜିଲ୍ଳା ମହିଳା ମୋର୍ଚ୍ଚା ଉପସଭାପତି ଭାନୁମତି ମୁଦୁଲି,ରେଖାରାଣୀ ନାୟକ,ଜିଲ୍ଳା ସାଧରଣ ସଂପାଦିକା ରଜିତା କାଡ୍ରକା, କୋଷାଧ୍ୟକ୍ଷା ଟି.ଚନ୍ଦ୍ରକଳା, ସଂପାଦିକା ସୀମା ଉପାଧ୍ୟୟ, ଜିଲ୍ଳା ବିଜେପି କମିଟି ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ଉମେଶ ଖୋସଲା, ଗୋପି ଆନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।