ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଖରଜୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ମହୁଲେ ଗ୍ରାମରେ ଶାଶୁ ବୋହୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସନ୍ତାନ ଜନ୍ମକ୍ଷମ ବୋହୁ ଏବଂ ତାଙ୍କ ଶାଶୁମାନେ ଏହି ସମ୍ମିଳନୀରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଖରଜୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରେଖାରାଣୀ ଦାଶ ସମଗ୍ର କାର୍ଯ୍ୟକ୍ରମଟି ସଞ୍ଚାଳନ କରିଥିବା ବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର ଓ ଏଡିଥ ଖାଲଖୋ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟଶିକ୍ଷା ବିଶେଷଜ୍ଞ ତଥା ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶାଶୁ ଏବଂ ବୋହୁଙ୍କ ସହ ବିଭିନ୍ନ ପରିବାର ନିୟୋଜନ ପଦ୍ଧତି ଉପରେ ଆଲୋଚନା କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।