ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଗୋଡ଼ଫୁଲା ପଂଚାୟତର ହରିପୁର ସ୍ଥିତ ଗୁରୁକୁଳ ଆଶ୍ରମରେ ଆଜି ପୂର୍ବାହ୍ନରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି। ସ୍ୱାମୀ ସୁଦର୍ଶନ ଦେବଚାର୍ଯ୍ୟାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଗୁଜୁରାଟରୁ ସ୍ୱାମୀ ମୁକ୍ତାନନ୍ଦ ସରସ୍ବତୀ, ଉତ୍ତର ପ୍ରଦେଶରୁ ଜ୍ୱଳନ୍ତ କୁମାର ଶାସ୍ତ୍ରୀ, ବରଗଡ଼ ଜିଲ୍ଲାରୁ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ବତୀ, ଗଞ୍ଜାମ ଜିଲ୍ଲାରୁ ଆଚାର୍ଯ୍ୟ ବାମଦେବ ଜୀ, ଆଚାର୍ଯ୍ୟ ଦିଲୀପ କୁମାର ଜିଜ୍ଞାସୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ଭାରତ ବର୍ଷ ଉପରେ ଗୀତ ଲେଖାଯାଉଥିଲା କି, ଜହାଁ ଡାଲ୍ ଡାଲ୍ ପର ସୋନେ କୀ ଚିଡିୟାଁ କରତେ ହୈ ବସେରା.. ସେହି ବୈଭବରେ ସମୃଦ୍ଧ ଭାରତ ବର୍ଷରୁ ବିଦେଶୀ ଆକ୍ରମଣକାରୀ ମାନେ ସୁନାରୂପା, ହୀରୀନୀଳା ସିନା ଲୁଟିନେଲେ ତଥାପି ପ୍ରାଚୀନ ଭାରତୀୟ ଶୈକ୍ଷିକ ବିଭବ ଏତେ ସମୃଦ୍ଧ ଥିଲା ଯେ ଭାରତମାତା ବିଶ୍ଵଗୁରୁ ଉପାଧି ବିଭୂଷିତା ଥିଲା। ଯେତେବେଳେ ବ୍ରିଟେନରେ ଏଜୁକେସନ ଆକ୍ଟ୍ ପ୍ରଣୀତ ହୋଇଥିଲା, ସେତେବେଳେ ଭାରତବର୍ଷରେ ୭,୩୬,୦୦୦ ଆବାସିକ ଗୁରୁକୁଳ ଥିଲା। ଯେଉଁଠାରେ ବେଦ, ବେଦାଙ୍ଗ, ଦର୍ଶନ, ଉପନିଷଦ, ଆୟୁର୍ବେଦ, ଧନୁର୍ବିଦ୍ୟା, ଶିଳ୍ପବିଦ୍ୟା, ପଦାର୍ଥ ବିଜ୍ଞାନ, କ୍ରୀଡ଼ା କସରତ, ଧ୍ୟାନ, ଆସନ, ବ୍ୟାୟାମ, ପ୍ରାଣାୟାମ ଆଦି ସମସ୍ତ ଜୀବନୋପଯୋଗୀ ବିଦ୍ୟାଶିକ୍ଷା ସୁଯୋଗ୍ୟ ଆଚାର୍ଯ୍ୟ ମାନଙ୍କର ତତ୍ତ୍ଵାବଧାନରେ ପ୍ରଦାନ କରାଯାଉଥିଲା। ଇଂରେଜ ଶାସନାଧୀନ ଭାରତବର୍ଷରେ ଏହି ଗୁରୁକୁଳୀୟ ଶିକ୍ଷା ଓ ସଂସ୍କୃତିକୁ ଧ୍ବସ୍ତ ବିଧ୍ବସ୍ତ କରିବା ପାଇଁଁ ଘୋର ଷଡ଼ଯନ୍ତ୍ର କରାଗଲା। ମ୍ୟାକଲେ ନାମକ ଚତୁର ପାଶ୍ଚାତ୍ୟ ବିଦ୍ଵାନ୍ ଏପରି ଶିକ୍ଷାନୀତି ପ୍ରଣୟନ କଲା, ଯାହା ଆଧୁନିକ ଭାରତବର୍ଷକୁ ଶରୀରରେ ସିନା ଭାରତୀୟ କରିଦେଲା କିନ୍ତୁ ମାନସପଟଳରୁ ଭାରତୀୟ ସଂସ୍କୃତି ଉଭେଇଗଲା। ଆଧୁନିକ ଶିକ୍ଷା ଖସଡ଼ା ଏପରି ରୂପ ନେଲା ଯେଉଁଥିରେ “ସା ବିଦ୍ୟା ୟା ବିମୁକ୍ତୟେ” ନିରର୍ଥକ ହୋଇଗଲା। ଗୁରୁକୁଳ ପରମ୍ପରା ସହିତ ବେଦର ପଠନ-ପାଠନ ଲୁପ୍ତପ୍ରାୟ ହୋଇବସିଲା। କେବଳ ଡିଗ୍ରୀର ଖୋଳପା ପିନ୍ଧି କେତେକ ନବ୍ୟ ଶିକ୍ଷିତ ବାହାରିଲେ, ଯେଉଁମାନଙ୍କର ସଂସ୍କୃତି ସହିତ, ଆଧ୍ୟାତ୍ମିକତା ସହିତ, ମାନବୀୟ ମୂଲ୍ୟବୋଧ ସହିତ କିଛି ଲେଣଦେଣ ନ ଥିଲା। ସେମାନେ ପାଶ୍ଚାତ୍ୟ ସଭ୍ୟତାର ପଦଲେହନ କରିବାକୁ ଲାଗିଲେ। ଊନବିଂଶ ଶତାବ୍ଦୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଧରାବତରଣ ପରେପରେ ପୁନର୍ବାର ଭାରତୀୟ ଶିକ୍ଷା ଆକାଶରେ ନୂତନ ସୂର୍ଯ୍ୟର ପ୍ରକାଶ ନେଇ ବେଦବିଦ୍ୟାର ପୁନଃ ସ୍ଥାପନା ହେଲା । ମ୍ୟାକଲେ ଶିକ୍ଷାକୁ ଟକ୍କର ଦେଇ ସ୍ଵାମୀ ଶ୍ରଦ୍ଧାନନ୍ଦ ଆଦି ଦୟାନନ୍ଦଙ୍କର ଅନୁଯାୟୀ ମାନେ ଗୁରୁକୁଳର ପୁନଃ ପ୍ରତିସ୍ଥାପନାରେ ନିଜର ସର୍ବସ୍ୱ ଅର୍ପଣ କଲେ। ସେହି ଋଷି ମନୀଷା ପରିଚାଳିତ ହୋଇ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ନୂଆପଡ଼ା ପରି ଉପାନ୍ତ ଅଞ୍ଚଳର ଜୁନାନୀ ଗ୍ରାମରେ ଶତାଧିକ ବ୍ରହ୍ମଚାରୀଙ୍କୁ ନେଇ ସଗର୍ବେ ମୁଣ୍ଡ ଟେକିଛି ଗୁରୁକୁଳ ହରିପୁର, ଯେଉଁଠାରେ ପ୍ରାଚୀନ ଭାରତୀୟ ଆର୍ଷ ବିଦ୍ୟା ଶିକ୍ଷା ସହିତ ଆଧୁନିକ ବିଦ୍ୟାଶିକ୍ଷାର ମଧ୍ୟ ବ୍ୟବସ୍ଥା ରହିଛି। ଗୁରୁକୁଳର ପ୍ରତିଷ୍ଠାତା ସୁପ୍ରସିଦ୍ଧ ବୈଦିକ ବିଦ୍ଵାନ୍ ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବ, ତିନୋଟି ବିଷୟରେ ସ୍ନାତକୋତ୍ତର ଉପାଧିଧାରୀ, ସ୍ଵର୍ଣ୍ଣପଦକ ବିଜେତା ଆଚାର୍ଯ୍ୟ ଦିଲୀପ କୁମାର ଜିଜ୍ଞାସୁ, ଉପାଚାର୍ଯ୍ୟ ରାଜେନ୍ଦ୍ର ବର୍ଣ୍ଣୀ ପ୍ରମୁଖଙ୍କ ପ୍ରଚଣ୍ଡ ପୁରୁଷାର୍ଥରେ ୨୦୧୦ ରେ ସ୍ଥାପିତ ଗୁରୁକୁଳ ହରିପୁର ଆଜି ଅନେକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ସହ ଉତ୍କଳ ଆର୍ଯ୍ୟଜଗତ ପାଇଁ ଆଲୋକବର୍ତ୍ତିକା ସାବ୍ୟସ୍ତ ହୋଇଛି। ଶାସ୍ତ୍ରରୁ ଶସ୍ତ୍ର ବିଦ୍ୟା ପର୍ଯ୍ୟନ୍ତ, ଲୋକ ପ୍ରଚଳିତ ଭାଷାରେ କହିଲେ ଘାସକଟାରୁ ଘୋଡାଚଢା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାରେ ପାରଙ୍ଗମ ଗୁରୁକୁଳ ହରିପୁରର ବ୍ରହ୍ମଚାରୀ ମାନେ ଭବିଷ୍ୟତ ରାଷ୍ଟ୍ରର ଏକ ଏକ ଶକ୍ତ ସ୍ତମ୍ଭ ପ୍ରତିପାଦିତ ହେବେ ଏଥିରେ ସନ୍ଦେହ ନାହିଁ ବୋଲି ଅତିଥିଗଣ ମତ ପ୍ରକାଶ କରିଛନ୍ତି। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଗୁରୁଜନ ଓ ବ୍ରହ୍ମଚାରୀ ଉପସ୍ଥିତ ଥିବା ବେଳେ ଏହି ଉତ୍ସବ ଆହୁରି ଦୁଇ ଦିନ ଧରି ହେବାକୁ ଥିବାର ସୂଚନା ରହିଛି।