ଶ୍ରୀରାମଙ୍କ ଜଳାଭିଷେକ ପାଇଁ ରାବଣ ଦେଶରୁ ଆସିଛି ଜଳ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅଯୋଧ୍ୟା ମନ୍ଦିର ପାଇଁ ରାମଲାଲାର ମୂର୍ତ୍ତି ଚୂଡାନ୍ତ ହୋଇଛି । ଆସନ୍ତା ୧୭ ତାରିଖରେ ତାହା ସାର୍ବଜନୀନ ହେବ। ସେହି ଦିନ ଏକ ନଗର ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ ଅଛି | ଆସନ୍ତା ଜାନୁଆରୀ ୨୨ରେ ଭବ୍ୟ ଅଯୋଧ୍ୟା ମନ୍ଦିରରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ ଏବେଠାରୁ ଉତ୍ସବମୁଖର ପୁରା ଦେଶ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ପ୍ରଥମେ ପ୍ରଭୁ ଶ୍ରୀରାମଙ୍କର ଜଳାଭିଷେକ ହେବ । ସେଥିପାଇଁ ଦେଶର କୋଣ ଅନୁକୋଣରୁ ଜଳ ଆସିଛି । ଏପରିକି ପ୍ରଭୁ ଶ୍ରୀରାମଙ୍କ ଜଳାଭିଷେକ ପାଇଁ ରାବଣ ଦେଶରୁ ମଧ୍ୟ ଜଳ ଆସିଛି । ମୋଗଲ ଶାସକ ବାବରଙ୍କ ଜନ୍ମସ୍ଥାନ ଉଜବେକିସ୍ତାନରୁ ରାମଲାଲାଙ୍କର ଜଳାଭିଷେକ ପାଇଁ ଜଳ ଅଣାଯାଇଛି । ପାକିସ୍ତାନ, ଚୀନ୍, ଦୁବାଇ, ଆଣ୍ଟାର୍କଟିକା ପରି ଅନେକ ଦେଶ ବିଦେଶରୁ ପବିତ୍ର ଜଳ ଅଣାଯାଇଛି । ଗତବର୍ଷ ଏପ୍ରିଲରେ ଦିଲ୍ଲୀର ପୂର୍ବତନ ବିଜେପି ବିଧାୟକ ବିଜୟ ଜୈଲି ୧୫୫ ଦେଶରୁ ଅଣାଯାଇଥିବା ପବିତ୍ର ଜଳକୁ ନେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ। ସେତେବଳେ ସେହି ଜଳପୁର୍ଣ୍ଣ କଳସର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏହା ଐତିହାସିକ ବୋଲି ଗଡକରୀ କହିଥିଲେ। ସେହି ଜଳପୁର୍ଣ୍ଣ କଳସରେ ଚୀନ୍, ଲାଓସ୍, ମିଆଁମାର, ମଙ୍ଗୋଲିଆ, ସାଇବେରିଆ, ଦକ୍ଷିଣ କୋରିଆ ଇତ୍ୟାଦି ଅନେକ ଦେଶର ନାମ ଲେଖାଯାଇଛି । ବିଜୟ ଜୈଲିଙ୍କ କହିବା ଅନୁସାରେ, ସମୁଦାୟ ୧୫୬ ଟି ଦେଶରୁ ଜଳ ସଂଗ୍ରହ କାର୍ଯ୍ୟରେ ସମସ୍ତ ଧର୍ମର ଲୋକମାନେ ସହଯୋଗ କରିଛନ୍ତି । ହିନ୍ଦୁମାନେ ସାଉଦି ଆରବରୁ ଏବଂ ମୁସଲମାନ ମହିଳାମାନେ ଇରାନରୁ ଜଳ ପଠାଇଛନ୍ତି। ତାଜ ମହମ୍ମଦ କଜାକିସ୍ତାନର ପ୍ରମୁଖ ନଦୀରୁ ଜଳ ପଠାଇଛନ୍ତି । ଶିଖ ଭାଇମାନଙ୍କ ସହାୟତାରେ କେନିଆରୁ ଜଳ ସଂଗ୍ରହ କରାଯାଇଥିଲା | ଅତ୍ୟନ୍ତ ଯତ୍ନର ସହ ସିନ୍ଧିମାନେ ପାକିସ୍ତାନରୁ ଅଯୋଧ୍ୟାକୁ ଜଳ ପଠାଇଛନ୍ତି। ଜଲି କହିଛନ୍ତି ଯେ କିଛି ଦିନ ପୂର୍ବେ ବିଶ୍ୱ ହିନ୍ଦୁ ପରିଷଦର ଆବାହକ ବୋର୍ଡ ସଦସ୍ୟ ଦୀନେଶ ଚନ୍ଦ୍ରଙ୍କୁ ଜଳ ଭର୍ତି ଏକ ବଡ କଳସ ହସ୍ତାନ୍ତର କରାଯାଇଥିଲା। ଏହି ଜଳକୁ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଲାଗି କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.