ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପ୍ରଶାସନ ସଡକ ସୁରକ୍ଷା ସପ୍ତାହ ପାଳନ କରୁଥିବା ବେଳେ ଆଇନ ମନ୍ତ୍ରୀଙ୍କ ଗାଡି ଧକ୍କାରେ ଜଣେ ୪ବର୍ଷର ଶିଶୁ ଗୁରୁତର ଆହାତ ହେବା ଘଟଣା ଆଜି ଜିଲ୍ଳାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡି ଧକ୍କାରେ ୪ବର୍ଷର ଶିଶୁ ନବୀନ ଗୁରୁତର। ମନ୍ତ୍ରୀ ନିଜେ ଗୁରୁତର ଭାବେ ଆହାତ ଶିଶୁ ନବୀନକୁ ନିଜ ଗାଡିରେ ନେଇ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇ ଚିକିତ୍ସା କରାଇଛନ୍ତି। ତେବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ତାହାର ଦୁଇ ଗୋଡ ସହ ଶରୀରର ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇଥିବା ଜଣାପଡିଛି। ଘଟଣାଟି ଘଟିଛି ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ଥାନା ଅର୍ନ୍ତଗତ ବେଲକଣା ଗ୍ରାମରେ। ଗୁରୁତର ୪ବର୍ଷର ଶିଶୁର ନାମ ନବୀନ ଗୁନାଲୁ ବୋଲି ଜଣାପଡିଥିବା ବେଳେ ସେ ନିଜ ଅଜାଙ୍କ ଘର ବେଲକଣାକୁ ବୁଲିବାକୁ ଆସିଥିଲେ। ବିଷମକଟକ ବ୍ଳକ ଢେପାଗୁଡା ଗ୍ରାମର ଡ୍ରାଇଭର ସୁଧୀର ଗୁନାଲୁ ଓ ଅନିତା ଗୁନାଲୁଙ୍କ ସେ ପୁଅ ବୋଲି ଜଣାପଡିଛି। ଆଜି କଲ୍ୟାଣସିଂହପୁର ବ୍ଳକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ଆଇନ ମନ୍ତ୍ରୀ ଶ୍ରୀ ସାରକା ରାୟଗଡାକୁ ଫେରୁଥିବା ବେଳେ ବେଳକଣା ଗାଁ ନିକଟରେ ୪ବର୍ଷର ଶିଶୁ ନବୀନଙ୍କୁ ମନ୍ତ୍ରୀଙ୍କ ଗାଡି ଧକ୍କା ଦେଇଥିଲା। ଗାଡିଟି ଅତି ଦ୍ରୁତ ବେଗରେ ନ ଥିବାରୁ ଏକ ବଡ ଦୁର୍ଘଟଣାରୁ ନବୀନ ବର୍ତିଯାଇଥିଲା। ତେବେ ଘଟଣାସ୍ଥଳରେ ନବୀନଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ଡ୍ରାଇଭର ସଂଘ ସଦସ୍ୟମାନେ ପଂହଚି ମନ୍ତ୍ରୀ, ତାଙ୍କ ଡ୍ରାଇଭରଙ୍କ ଉପରେ ଆକ୍ରୋଶ ଜାହିର କରିଥିଲେ। ଏପରିକି ମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କ ସହ ଡ୍ରାଇଭର ସଂଘ ସଦସ୍ୟମାନଙ୍କ ମଧ୍ୟରେ ଜୋର ବଚସା ହୋଇଥିଲା। ତେବେ ମନ୍ତ୍ରୀ ବିଳମ୍ବ ନ କରି ନବୀନଙ୍କୁ ନେଇ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପଂହଚି ତାହାର ଚିକିତ୍ସା କରାଇ ନିଜର ମାନବିକତାର ପରିଚୟ ଦେଇଛନ୍ତି। ଶିଶୁ ନବୀନର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ପରିବାର ଲୋକଙ୍କ ସମେତ ଅନ୍ୟମାନେ ଆଶ୍ୱସ୍ତି ପାଇଛନ୍ତି। ତଥାପି ଉଚ୍ଚ ଚିକିତ୍ସା ପାଇଁ ଶିଶୁ ନବୀନକୁ ବିଶାଖାପାଟଣାମକୁ ସ୍ଥାନାନ୍ତର କରାଯିବା ନେଇ ଖବର ଜଣାପଡିଛି।