ଏସିଆ ମହାଦେଶର ସର୍ବବୃହତ୍ତମ ହ୍ରଦ ଭାବେ ପରିଚିତ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ଚଳିତ ବର୍ଷ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରୁ ଏହା ସ୍ପଷ୍ଟ ହୋଇଛି। ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୩୧ହଜାର ୯୨୯ ପକ୍ଷୀ ସମାଗମ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୧୧ ଲକ୍ଷ ୩୭ ହଜାର ୭୫୯ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଗର ଅନୁକୂଳ ଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଛି। ନୂତନ ଅତିଥି ଭାବେ ଚଳିତ ବର୍ଷ ପଲାଜ ଫିସ ଇଗଲ ଦୃଷ୍ଟି ଗୋଚର ହୋଇଛନ୍ତି। ତେବେ ଚିଲିକାରେ ପ୍ଳାଷ୍ଟିକ, ପଲିଥିନ, ବେଆଇନ ଚିଙ୍ଗୁଡି ଘେରି ଏହାର ଜୈବ ବିବିିଧତାକୁ ନଷ୍ଟ କରୁଛି। ଏଥିସହିତ ଚିଲିକାରେ ଏକର ଏକର ଅଞ୍ଚଳରେ ନଳଘାସ, ରାଜଦଳ ମାଡ଼ିଗଲାଣି। ଦଳ ଓ ଘେରି ଚିଲିକାକୁ ଗ୍ରାସିବା ଯୋଗୁ ପକ୍ଷୀଙ୍କ ପାଇଁ ଏବେ ଅଧିକ ବିପଦ ସୃଷ୍ଟି କରିଛି। ଘେରି ଉଚ୍ଛେଦ କରାଯାଉଛି, ପୁଣି ସେହି ତୁଳନାରେ ବଢ଼ିଚାଲିଛି। ଓଡ଼ିଶା ହାଇକୋର୍ଟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ। ତେବେ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଏବେ ବି ଚିଲିକା ଭିତରେ ଶହ ଶହ ଏକର ବେଆଇନ ଭାବେ ଚିଙ୍ଗୁଡି ଘେରି ରହିଛି। ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ରେସିଡେଣ୍ଟାଲ ପକ୍ଷୀ ରହୁଛନ୍ତି। ଖାଦ୍ୟ ଅନ୍ବେଷଣ ସମୟରେ ଜାଲରେ ଫସି ବହୁବାର ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଚିଲିକା ହ୍ରଦର ସାତପଡ଼ା ଅଞ୍ଚଳ ଇରାୱାଡା ଡଲଫିନ ପାଇଁ ବିଖ୍ୟାତ। ତେବେ ସିଡିଏ ଓ ବନ ବିଭାଗର ଉଦାସୀନତା, ମାତ୍ରାଧିକ ଡଙ୍ଗା ଚଳପ୍ରଚଳ ଏବଂ ଘେରି ଯୋଗୁ ଡଲଫିନ୍ର ବାସସ୍ଥାନ ବିଶେଷଭାବେ ପ୍ରଭାବିତ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିନି ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ, ଚିଲିକା ବ୍ଳକ, ପୁରୀ ଜିଲା କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକା ଧିରେ ଧିରେ ତା’ର ଅସ୍ତିତ୍ୱ ହରାଇବାକୁ ବସିଲାଣି। ଓଡ଼ିଶା ହାଇକୋର୍ଟ ଆର୍ଦ୍ରଭୂମିର ସୁରକ୍ଷା, ଜବରଦଖଲ ରୋକିବା ପାଇଁ ଡ୍ରୋନ ସର୍ଭେ ଲାଗି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଭାବେ ଚାଲିଥିବା ଘେରି ଉଚ୍ଛେଦ ଲାଗି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିଲିକା ଏବଂ ଭିତରକନିକା ଆର୍ଦ୍ରଭୂମିର ପରିବେଶ ସଂରକ୍ଷଣ ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏଭଳି ଘେରାଉ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଭର୍ଚୁଆଳ ଶୁଣାଣି ବେଳେ ସିଡିଏ କର୍ତ୍ତୃପକ୍ଷ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସିଡିଏ ଟିମ୍ ଦ୍ୱାରା କ୍ରମାଗତ ଭାବେ ଏହା ଉପରେ ନଜର ରଖାଯିବ। ତେବେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଘେରି ଉଚ୍ଛେଦ ଏବେ ପ୍ରହସନ ପାଲଟିଛି। ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଚିଲିକା ଘେରିମୁକ୍ତି ଲାଗି ଚାଲିଥିବା ପକ୍ରିୟା ଏବେ ବି ଜାରି ରହିଛି। ତେବେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଚିଲିକା ଘେରି ମୁକ୍ତ ହୋଇପାରୁନାହିଁ। କାହା ଇଙ୍ଗିତ, ଛତ୍ରଛାୟା ତଳେ ଏସବୁ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।