ନୂତନ ବର୍ଷର ଆରମ୍ଭ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଲୋକ ମହୋତ୍ସବ। ଶୀତୁଆ ରାତିରେ ଅନେକ ଲୋକ କଳା, ଲୋକ ସଂସ୍କୃତି ମଞ୍ଚ ମାଧ୍ୟମରେ ପ୍ରଦର୍ଶିତ ହେଉଛି। ଏହାର ଭରପୁର ମଜା ଉଠାଉଛନ୍ତି ଦର୍ଶକ। ସ୍ଥାନୀୟ ଅଞ୍ଚଳରେ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଅନେକ ବେସରକାରୀ ଅନୁଷ୍ଠାନ ଆୟୋଜନ କରୁଛନ୍ତି ବିଭିନ୍ନ ଉତ୍ସବ/ ମହୋତ୍ସବ। ଏହାସହ ସରକାରୀ ସ୍ତରରେ ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେଉଛି ଲୋକ ମହୋତ୍ସବ। ଏସବୁ ଲୋକ ମହୋତ୍ସବ ସଂପୃକ୍ତ ଜିଲ୍ଲାର ଲୋକ ସଂସ୍କୃତି, ଲୋକ କଳା, ପରମ୍ପରା, ସାହିତ୍ୟ, ଲୋକ ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ ଆଦିର ପ୍ରଚାର ପ୍ରସାରର ଉତ୍ତମ ମାଧ୍ୟମ ପାଲଟିଛି ବୋଲି କୁହାଯାଉଛି। ପ୍ରାଚୀନ କାଳରେ ଓଡ଼ିଶାରେ ଅଗଣିତ ଲୋକ କଳା ଥିଲା। ସମୟର ପଟ୍ଟ ପରିବର୍ତ୍ତନ ସହ ଏସବୁ ଧିରେ ଧିରେ ଲୋକ ଲୋଚନରୁ ଅପସରିତ ହେବାରେ ଲାଗିଛି। କଳାକୁ ନେଇ ବଞ୍ଚିବା ବର୍ତ୍ତମାନ ଜଣେ କଳାକାର ପକ୍ଷେ ଅସମ୍ଭବ ହେଉଛି। ତେଣୁ କଳା ପ୍ରତି ଶଙ୍କଟ ଦେଖାଦେଇଛି। ବର୍ତ୍ତମାନ ସରକାର କଳାକାରମାନଙ୍କ ପାଇଁ କଳାକାର ଭତ୍ତା ଯୋଗାଇ ଦେଉଛନ୍ତି। ତେବେ କେତେକ କାରଣ ଯୋଗୁଁ ଗ୍ରାମାଞ୍ଚଳର ଶହ ଶହ କଳାକାର ଏଥିରୁ ଉପେକ୍ଷିତ ହେଉଥିବା ଅଭିଯୋଗ ହେଉଛି। ପ୍ରକୃତ କଳାକାର ସରକାରୀ ସାହାଯ୍ୟରୁ ବଞ୍ଚିତ ହେଉଥିବାବେଳେ ଖୋଳପା ପିନ୍ଧା କଳାକାର ସବୁ ଫାଇଦା ମାରି ନେଉଛି। ଗାଁର ପ୍ରକୃତ ଲୋକ କଳାକାର ତା’ର କଳା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଟିଏ ପାଇ ପାରୁନାହିଁ। ପ୍ରାଚୀନ ଲୋକ ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟକୁ ଅନେକ କଥା କଥିତ ଦାମି କଳାକାର ମଞ୍ଚରେ ବିକୃତ ଭାବେ ପରିବେଷଣ କରୁଛନ୍ତି। ଯାହା ଦ୍ବାରା ସଂପୃକ୍ତ ଲୋକ କଳାର ମୌଳିକତା ନଷ୍ଟ ହେଉଛି। ଅନେକ କଥା କଥିତ ଦାମୀ କଳାକାର ଉଦ୍ଭଟ ଚିନ୍ତାଧାରା ନେଇ ନିଜ ମାନସ ପଟ୍ଟରୁ କିମ୍ବୁତ କିମ୍ବାକାର ନାମ ସବୁ ରଖି ଏହାକୁ ଲୋକ ନୃତ୍ୟ ନାମରେ ନାମିତ କରୁଛନ୍ତି, ଯାହା କେବେବି ନଥିଲା। ସଂସ୍କୃତି ନାମରେ ଅପସଂସ୍କୃତିର ପ୍ରଚାର ହେଉଛି। କଳାକୁ ବ୍ୟବସାୟୀକରଣ କରିବା ଉଦ୍ଦେଶ୍ୟରେ ଏହି କଥାକଥିତ କଳାକାରମାନେ ବାଦ୍ୟ ଓ ନୃତ୍ୟର ମୌଳିକତା ପ୍ରତି ମୋଟେ ଧ୍ୟାନ ଦେଉ ନାହାଁନ୍ତି। ଏପଟେ କେନ୍ଦ୍ର ସରକାରଙ୍କଠାରୁ ଲୋକ ଗୀତ, ଲୋକ ନୃତ୍ୟ, ଲୋକ ସଂସ୍କୃତି ଉପରେ ଫେଲୋସିପ ପାଉଥିବା ବ୍ୟକ୍ତିମାନେ କାଗଜ କଳମରେ ହିଁ ତାଙ୍କର କାମ ସାରି ଦେଉଛନ୍ତି। ପ୍ରକୃତ କଳାକାର ଭାଗ୍ୟକୁ ନିନ୍ଦି ଗାଁରେ ପଡ଼ି ରହିଥିବାବେଳେ ଚାଲାକ ଚତୁର ଲୋକମାନେ କଳାକାର ପଦବାଚ୍ୟ ହୋଇ ଦେଶ ବିଦେଶ ଘୁରି ବୁଲୁଛନ୍ତି। ଅନେକ ସରକାରୀ କର୍ମଚାରୀ କଳା ସଂସ୍କୃତି ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଜୁନିୟର ଫେଲୋସିପ ପାଇଛନ୍ତି, କିନ୍ତୁ ବାସ୍ତବିକ ଚିତ୍ର ନକହିଲେ ଭଲ। ତେଣୁ ଏହାର ତଦନ୍ତ ହେବା ଜରୁରୀ। ଏହାସହ ମଞ୍ଚ ମାନଙ୍କରେ ଅନେକ ଆଦିମ ଲୋକ କଳାର ବିକୃତ ପରିପାଟୀ, ନୃତ୍ୟ, ଗୀତ ପରିବେଷିତ ହେଉଥିବା ଦେଖାଯାଉଛି। ଏସବୁ କାରଣ ପାଇଁ ଆଜି ଓଡ଼ିଶାର ଅନେକ ଲୋକ କଳା ତା’ର ମୌଳିକତା ହରାଇବା ପରି ସ୍ଥିତି ସୃଷ୍ଟି ହୋଇଛି। ସରକାରୀ ସ୍ତରରେ ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମାନଙ୍କରେ ସଂପୃକ୍ତ ଜିଲ୍ଲାର ଗ୍ରାମ୍ୟ କଳାକାର ଓ ଅନେକ ଜନତା ସାମିଲ ହୋଇ ପାରୁ ନାହାନ୍ତି। ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ଏକ ପ୍ରକାର ସହରୀ ମହୋତ୍ସବରେ ପରିଣତ ହୋଇ ସାରିଛି। ଏପଟେ ଅନେକ କ୍ଷେତ୍ରରେ ସରକାରୀ ଅର୍ଥର ଦୁରୁପଯୋଗ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ଲୋକ କଳା, ଲୋକ ସଂସ୍କୃତି ଆମ ଜନଜୀବନର ଅମୂଲ୍ୟ ନିଧି ତେଣୁ ତା’ର ସଂରକ୍ଷଣ ପାଇଁ ସମସ୍ତେ ଧ୍ୟାନ ଦେବା ଜରୁରୀ ହୋଇ ପଡ଼ିଛି।