ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରାପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ଏହି ପୋଲ ଉପରେ ଏକ ନିଳଗିରି କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭବାନୀପାଟଣା ପଟୁ ବିଶାଖାପାଟଣା ଆଡ଼କୁ ଯାଉଥିବା ଏକ ନିଳଗିରି କାଠ ବୋଝେଇ ଟ୍ରକ ବିଳମ୍ବିତ ରାତ୍ରରେ ବେହେରାପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବର କନେଷ୍ଟବଳ ଗୋକୁଳ ସାହୁ, ବିଶ୍ୱନାଥ ମହଲା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ପ୍ରତିଦିନ ଏଠାରେ ଛୋଟ ମୋଟଠାରୁ ଆରମ୍ଭ କରି ବଡ଼ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ପୂର୍ତ୍ତବିଭାଗ ଏଥିପ୍ରତି ଦୃଷ୍ଟିପାତ କରୁନାହିଁ। ଫଳରେ ବେହେରାପୋଲ ଏବେ ମରଣଯନ୍ତା ପାଲଟିଥିବା ବେଳେ ଲୋକଙ୍କ ପାଇଁ କାଳ ସାଜିଛି। ତେବେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତବିଭାଗ ପକ୍ଷରୁ ବେହେରାପୋଲ ନିକଟରେ ଥିବା ବୁଲାଣି ଜାଗାକୁ ଚିହ୍ନଟ କରିବା ସହିତ କୌଣସି ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।