ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସ୍ଥିତ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକା ବନିତା ଖଟେଇଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଆଠ ଦିନିଆ ଛାତ୍ରୀ “ଆତ୍ମ ସୁରକ୍ଷା ତାଲିମ ଶିବିର” ଆଜି ଉଦଯାପିତ ହୋଇ ଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ରାଉତ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ମହିଳାମାନଙ୍କ ଆତ୍ମ ସୁରକ୍ଷାର ଉପାଦେୟତା ଏବଂ ସରକାରଙ୍କ ପ୍ରୋତ୍ସାହନ ସମ୍ପର୍କୀତ ଅଭିଭାଷଣ ପ୍ରଦାନ କରିଥିଲେ । ଆଠ ଦିନଧରି ତାଲିମ ପାଇଥିବା ଛାତ୍ରୀମାନଙ୍କୁ ନିଜକୁ ସୁରକ୍ଷା ଦେବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର, ଗୃହ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ନମ୍ରତା ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ବକ୍ତବ୍ୟ ମାଧ୍ୟମାରେ ମିଳିତ ଉଦ୍ୟମରେ ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ନାରୀମାନେ କିପରି ସେମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ପ୍ରତିହତ କରିପାରିବେ ବୋଲି ମତ ରଖିଥିଲେ l ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ ଛାତ୍ରୀମାନଙ୍କୁ ସଦ୍ୟ ଶିକ୍ଷାଲାଭ କରିଥିବା ପ୍ରଶିକ୍ଷଣ କଳା କୌଶଳ ଅଭ୍ୟାସ ଜାରି ରଖିବାକୁ ଏବଂ ଅନ୍ୟାନ୍ୟ ସାଇ ପଡୋଶୀ ଝିଅ ମାନଙ୍କୁ ସୁରକ୍ଷା କଳା କୌଶଳ ଶିଖେଇବାକୁ ଉପଦେଶ ଦେଇଥିଲେ I ସଂଯୋଜିକା ଶ୍ରୀମତୀ ବନିତା ଖଟେଇ ସ୍ଵାଗତ ଅଭିଭାଷଣ ସହ ପ୍ରଶିକ୍ଷଣ ଶିବିରର ବିବରଣୀ ଉପସ୍ଥାପନ କରିଥିଲେ l

ପ୍ରଶିକ୍ଷକ ଭାବେ ମାଷ୍ଟର ଟ୍ରେନର ଶାକମ୍ବରୀ ସାହୁ ଏବଂ ଶ୍ରୀମତୀ କୁମାରୀ ରେସ୍ମା ପ୍ରଧାନ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିବା ବେଳେ ତାଲିମ ପାଇଥିବା ଛାତ୍ରୀମାନେ ଶିବିରର ଅନୁଭୂତି ବର୍ଣ୍ଣନା ସହ ନିଜକୁ କିପରି ସୁରକ୍ଷା ଦେଇପାରିବେ ତାର ବିଭିନ୍ନ “ଆତ୍ମ-ସୁରକ୍ଷା କୌଶଳ” ପ୍ରଦର୍ଶନ କରିଥିଲେ । ଟ୍ରେନର ଏବଂ ଛାତ୍ରୀମାନଙ୍କ ଏହି କଳା କୌଶଳକୁ ଥାନା ଅଧିକାରୀ ପ୍ରସଂଶା କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ଵାରା ଆତ୍ମ-ସୁରକ୍ଷା କୌଶଳକୁ ନେଇ ଏକ ସୁନ୍ଦର ନାଟକ ପରିବେଷଣ କରାଯାଇଥିଲା I ଅତିଥିମାନେ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପ୍ରଶିକ୍ଷକଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରିଥିଲେ I

ଅୟୋଜିତ ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଭାଗର ଡେମୋନଷ୍ଟ୍ରେସନ ଶ୍ରୀମତୀ ସୁଜାତା ଦାଶ, ଲ୍ୟାବ ଆସିଷ୍ଟାଣ୍ଟ ଶ୍ରୀମତୀ ମଞ୍ଜୁଲତା ଦାଶ, ପିଟି ଶିକ୍ଷକ ଶିବ ପ୍ରସାଦ ବେହେରା, ଚତୁର୍ଥ କର୍ମଚାରୀ ଶ୍ରୀ ଦିଗାମ୍ବର ପଣ୍ଡାଙ୍କ ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭାରମ୍ଭରେ ଦୁଇଜଣ ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ପରିଶେଷରେ ଶ୍ରୀମତୀ ସୁଜାତା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.