ଟ୍ରାକ୍ଟର ପିଚ୍ଛା ଜୋରିମାନା ୨୦ହଜାର, ହରଡଘଣାରେ ଟ୍ରାକ୍ଟର ମାଲିକ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବେଆଇନ୍ ଭାବେ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଉଥିବା ସମୟରେ ରାୟଗଡା ସହର ତଥା ଏହାର ଉପକଣ୍ଠ ଅଂଚଳର ବିଭିନ୍ନ ସ୍ଥାନରୁ ୭ଟି ଟ୍ରାକ୍ଟରକୁ ଜବତ କରି ଟ୍ରାକ୍ଟର ପିଚ୍ଛା ୨୦ହଜାର ଟଙ୍କା ଲେଖାଁଏ ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାୟଗଡା ଅତିରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା । ଯାହାକୁ ନେଇ ହରଡଘଣାରେ ପଡିଛନ୍ତି ଟ୍ରାକ୍ଟର ମାଲିକମାନେ । ଆଜି ଶନିବାର ସକାଳେ ରାୟଗଡା ତହସିଲ ଅନ୍ତର୍ଗତ ନାଗାବଳୀ ନଦୀ ଅବବାହିକାରେ ଥିବା ଜଗନ୍ନାଥପୁର, ବେହେରାଗୁଡା, କୁମତଲପେଟା, କୋତୁରୁ ଆଦି ବାଲିପଟାରୁ ବେଆଇନ୍ ଭାବେ ବାଲିକୁ ଟ୍ରାକ୍ଟର ଯୋଗେ ଅଣାଯାଉଥିବା ବେଳେ ଅତିରିକ୍ତ ତହସିଲଦାର ଶ୍ରୀ ଭତ୍ରାଙ୍କ ନେତୃତ୍ୱରେ ଉପରୋକ୍ତ ସ୍ଥାନଗୁଡିକରୁ ୭ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଜବତ ସ୍ଥାନରେ ଟ୍ରାକ୍ଟର ଡ୍ରାଇଭରମାନେ ବିନା ୱାଇଫର୍ମରେ ବାଲି ନେଉଥିବା ଜଣାପଡିବା ପରେ ସମସ୍ତ ଟ୍ରାକ୍ଟରକୁ ରାୟଗଡା ତହସିଲ କାର୍ଯ୍ୟାଳୟକୁ ଅଣାଯାଇ ଅଟକ ରଖାଯାଇଥିଲା । ପରେ ଟ୍ରାକ୍ଟର ମାଲିକମାନେ ପଂହଚି ଆଲୋଚନା କରିଥିବା ବେଳେ ଅତିରିକ୍ତ ତହସିଲଦାର ଶ୍ରୀ ଭତ୍ରା ଟ୍ରାକ୍ଟର ପିଚ୍ଛା ୨୦ହଜାର ଟଙ୍କା ଲେଖାଁଏ ଜୋରିମାନା ଦେଇ ନିଜ ନିଜ ଗାଡି ନେବାକୁ ମାଲିକଙ୍କୁ କହି ଚାଲି ଯାଇଥିଲେ । ଅତିରିକ୍ତ ତହସିଲଦାରଙ୍କ ନିର୍ଦ୍ଦେଶକୁ ନେଇ ଟ୍ରାକ୍ଟର ମାଲିକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣା ସଂପର୍କରେ ତହସିଲଦାରଙ୍କୁ ଅବଗତ କରାଇଥିଲେ । ତେବେ ଅତିରିକ୍ତ ତହସିଲଦାର ସରକାରୀ ନିୟମ ପ୍ରକାରେ ଜୋରିମାନା ଜମା ଦେବାକୁ କହିଥିବାରୁ ତାହାହିଁ ତାଙ୍କର ନିଷ୍ପତି ବୋଲି କହିଥିଲେ । ତେବେ ରାୟଗଡା ତହସିଲ ଅନ୍ତର୍ଗତରେ ଥିବା ବିଭିନ୍ନ ବାଲିଘାଟରେ ୱାଇଫର୍ମ ନ ଥିବା କହି ଲିଜଧାରୀମାନେ ଟ୍ରାକ୍ଟର ମାଲିକଙ୍କୁ କହୁଥିବା ବେଳେ ଗୋଟିଏ ଟ୍ରାକ୍ଟର ଉପରେ ଜଣେ ଡ୍ରାଇଭର,ହେଲପର,ଶ୍ରମିକ ଓ ମାଲିକଙ୍କ ପରିବାର ନିର୍ଭର କରି ଚଳୁଛନ୍ତି । ସହରାଂଚଳ ଓ ଗ୍ରାମାଂଚଳରେ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ନିମନ୍ତେ ବାଲିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରାକ୍ଟର ମାଲିକମାନେ ବାଲି ଯୋଗାଉ ଥିବା ବେଳେ ଲିଜଧାରୀମାନେ ୱାଇଫର୍ମ ନ ଦେବା ଏବଂ ରାୟଗଡା ସହରରୁ ଅନେକ ଦୂରତାରେ ଥିବା ବାଲିଘାଟରୁ ବାଲି ଆଣି ଗ୍ରାହକଙ୍କୁ ଯୋଗାଇବାରେ କୈାଣସି ପ୍ରକାର ଲାଭ ରହୁ ନ ଥିବାରୁ ବାଧ୍ୟ ହୋଇ ଟ୍ରାକ୍ଟର ମାଲିକମାନେ ନିକଟସ୍ଥ ନାଗାବଳୀ ନଦୀ ତଟରୁ ବାଲି ଉଠାଇ ଆଣୁଥିବା ପ୍ରକାଶ କରିଛନ୍ତି । ଲିଜଧାରୀମାନେ ବାଲିଘାଟରେ ୱାଇଫର୍ମ ପ୍ରଦାନ କଲେ ନିୟମାନୁଯାୟୀ ବାଲି ଆଣିବାକୁ ଟ୍ରାକ୍ଟର ମାଲିକମାନେ ପ୍ରସ୍ତୁତ ରହିଥିବା ବେଳେ ତହସିଲ କିମ୍ବା ଓଡିଶା ମାଇନିଂ ନିଗମ ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ସମୟରେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡୁଛି ବୋଲି ମଧ୍ୟ କହିଛନ୍ତି ।