ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ଇଷ୍ଟ୍ ଜୋନ୍ ଇଣ୍ଟର୍ ୟୁନିଭରସିଟି ଖୋ-ଖୋ (ମହିଳା) ଟୁର୍ନାମେଣ୍ଟ ୨୦୨୩-୨୪

● ଅଂଶଗ୍ରହଣ କଲେ ଓଡିଶା, ଛତିଶଗଡ଼, ଆସାମ, ଓ୍ବେଷ୍ଟବେଙ୍ଗଲ, ଉତ୍ତରପ୍ରଦେଶ ଆଦି ରାଜ୍ଯର ୨୧ ଟି ଦଳ
● ୩୧ ତାରିଖରେ ହେବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଇଷ୍ଟ ଜୋନ୍ ଇଣ୍ଟର ୟୁନିଭରସିଟି ଖୋ-ଖୋ (ମହିଳା) ଟୁର୍ନାମେଣ୍ଟ ୨୦୨୩-୨୪ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟୁର୍ନାମେଣ୍ଟର ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ପି.ଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡ଼କ୍ଟର ସୁପ୍ରୀତି ମିଶ୍ର ଓ ଡକ୍ଟର ଭାସ୍କର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭିକ ଉତ୍ସବରେ କୁଳପତି ତଥା ବିଶିଷ୍ଟ ଅତିଥିମାନଙ୍କ ସହ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ୨୧ଟି ବିଶ୍ବବିଦ୍ୟାଳୟର ଖେଳାଳିମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ, ଶପଥ ଗ୍ରହଣ ଓ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତ ଖେଳାଳିଙ୍କ ସହ ଭେଟି ଶୁଭେଚ୍ଛା ଜଣାଇଥିଲେ ଓ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିଥିବା ହେତୁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହାପରେ ସମସ୍ତ ବିଶ୍ବବିଦ୍ୟାଳୟ ଦଳର ପ୍ରତିନିଧିଙ୍କ ସହିତ ଖେଳାଳିଙ୍କ ଖେଳପଡ଼ିଆରେ ଏକ ପଦଯାତ୍ରା କରା ଯାଇଥିଲା। ଟୁର୍ନାମେଣ୍ଟରେ ଓଡିଶା, ଛତିଶଗଡ଼, ଆସାମ, ଓ୍ବେଷ୍ଟବେଙ୍ଗଲ, ଉତ୍ତରପ୍ରଦେଶ ଆଦି ରାଜ୍ଯର ୨୧ ଟି ଦଳ ଅଂଶଗ୍ରହଣ କରିଛନ୍ତି। ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏହି ଖୋ-ଖୋ ଟୁର୍ନାମେଣ୍ଟ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

ପ୍ରଥମ ଦିନରେ ୧୧ ଟି ଲିଗ୍ ମ୍ୟାଚ୍ ଖେଳାଯାଇଛି ଏବଂ ସେଗୁଡିକର ଫଳାଫଳ ମଧ୍ଯ ଘୋଷିତ କରାଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ମଂଚ ସଂଚାଳନ ଡ଼କ୍ଟର ରାଜଶ୍ରୀ ଦତ୍ତ କରିଥିଲେ, ସଂଗ୍ରାମ କେଶରୀ ବିଶୋଇ ଟୁର୍ନାମେଣ୍ଟ ପରିଚାଳକ ଦାୟିତ୍ବରେ ରହିଥିବା ବେଳେ ସ୍ପୋର୍ଟସ କାଉନସିଲର ସହାୟକ ନିର୍ଦ୍ଦେଶକ ଅମିତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.