ନର୍ଲା ଯାଦବ ଭବନର ପ୍ରତିଷ୍ଠା ମହୋତ୍ସବ ଓ ଯାଦବ ଏକତା ସମାବେଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ନବନିର୍ମିତ ଯାଦବ ଭବନର ପ୍ରତିଷ୍ଠା ଉତ୍ସବ ଓ ଯାଦବ ଏକତା ସମାବେଶ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ଡ଼ଃ ହଳଧର ନାଗ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଭବାନୀପାଟଣା ପୌରଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଜିଲ୍ଲା ମହିଳା ମହାସଭା ସଭାନେତ୍ରୀ ରଶ୍ମୀରେଖା ରାଉତ, ପ୍ରତିଷ୍ଠା କମିଟି ସଭାପତି ଦିଲିପ ଗହୀର ଓ ସମ୍ପାଦକ ପଦ୍ମଲୋଚନ ଜାଲ ପ୍ରମୁଖ ଯୋଗଦେଇ ଯାଦବ ସମାଜର ବିଭିନ୍ନ ଦିଗନ୍ତ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ରେଖପୁର ରାଧାକୃଷ୍ଣ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ପହଞ୍ଚିଥିଲା। ଯାଦବ ସମାଜର ମହାନ ବିଭବ ବନାବାଡି, ପାରମ୍ପରିକ ସଂକିର୍ତ୍ତନ୍ୟ, ଗଣାବଜା ସହ ଅତିଥି ଓ ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତର ହଜାର ହଜାର ଯାଦବ ମହିଳା ଏବଂ ପୁରୁଷମାନେ ବାହାରି ନର୍ଲା ସହର ପରିକ୍ରମା କରିଥିଲେ। ଜୟ ଯାଦବ ଜୟ ମାଧବ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ନର୍ଲା ସହର। ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ସଭାରମ୍ଭ ହୋଇଥିଲା। ନର୍ଲା ଯାଦବ ଭବନ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ଖଗେଶ୍ବର ଜାଲ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ରାଧିକା ଜାଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ଖଗେଶ୍ବର ଜାଲ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ରାଧିକା ଜାଲଙ୍କ ଦୁଇ ପୁତ୍ର ପଦ୍ମଲୋଚନ ଜାଲ, ରୋମାଞ୍ଚଳ ଜାଲ ଓ ଦୁଇ ପୁତ୍ରବଧୂ ଜ୍ୟୋତ୍ସା ରାଣୀ ଧଙ୍ଗଡାମାଝୀ ଏବଂ ଜ୍ୟୋତ୍ସ୍ନା ରାଣୀ ବଗର୍ତ୍ତୀ ବରେଣ୍ୟ ଅତିଥିମାନଙ୍କ ଠାରୁ ମାନପତ୍ର ଓ ଉପଢ଼ୌକନ ଗ୍ରହଣ କରିଥିଲେ। ଏହି ଅବସରରେ ସମାଜ ପ୍ରତି ବିଶେଷ ଅବଦାନ ପାଇଁ ଅନେକ ଯାଦବ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଯାଦବ ନେତୃତ୍ବ ପଦ୍ମଲୋଚନ ଜାଲ ଓ ଶିକ୍ଷାବିତ୍ ମଧୁସୂଦନ ରାଉତ ମଞ୍ଚ ସଂଯୋଜନା କରିଥିଲେ। ସଭାରେ ବରିଷ୍ଠ ଯାଦବ ସଂଗଠକ ଟଙ୍କଧର ଭୋଇ, ମହେନ୍ଦ୍ର ନାଏକଙ୍କ ସମେତ ୧୩ ଗୋଟି ବ୍ଲକ, ୨ଟି ଏନଏସି, ଭବାନୀପାଟଣା ଟାଉନ ସଭାପତି ଏବଂ ପୂର୍ବତନ ବ୍ଲକ ସଭାପତି ପ୍ରମୁଖ ମଞ୍ଚାସୀନ ଥିଲେ। ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଗିରିଧାରୀ ଗଉଡ, ଦୁଲ୍ଲଭ ମାହାର ଓ ଲିଙ୍ଗରାଜ କରୁଆଁ, ସହ-ସଂପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲ, ନିର୍ମାଣ କମିଟି ସଭାପତି ତ୍ରିଲୋଚନ ନାଏକ, ଜୟଚନ୍ଦ୍ର ହାତୀଙ୍କ ସମେତ ନର୍ଲା ବ୍ଲକ ଓ ଆଞ୍ଚଳିକ ଯାଦବ ସମିତିର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯାଦବ ସାମିଲ ହୋଇଥିଲେ। ଶେଷରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦରର ବନାବାଡି ଖେଳ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମମାନ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.