ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ମହାକୁମ୍ଭ ଉଦଘାଟିତ

● “ଆମ ଭାଷା ଆମର ପରିଚୟ ହେଲେ ହିଁ ଭାଷା ସମୃଦ୍ଧ ହେବ”

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷାର ଅତୀତ, ସାତନ୍ତ୍ର୍ଯ ଓ ସମୃଦ୍ଧିର ବୈଭବକୁ ଜନାଦୃତ କରିବାନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ପଦକ୍ଷେପ ସ୍ବତନ୍ତ୍ର। ଓଡ଼ିଆ ଭାଷା ସାହିତ୍ୟକୁ ଏକ ନୂତନ ରୂପରେ ସଂସ୍ଥାପନ କରିବାର ପ୍ରୟାସରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ, ଓଡ଼ିଶା ସରକାରଙ୍କ ପ୍ରଯୋଜିତ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।

Omkar Vasthu
Omkar Vasthu

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବ ତଥା ଅଧ୍ୟକ୍ଷତାରେ ଏହି ତିନିଦିନିଆ ସମ୍ମିଳନୀ ଓ ଆନ୍ତର୍ଜାତିକ ଆଲୋଚନାଚକ୍ରର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଶେଷ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ସ୍ବରୂପ ଦାସ ଯୋଗ ଦେଇଥିବା ବେଳେ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଦେବାଶିଷ ପାତ୍ର ଓ ସହସଂଯୋଜକ ଡକ୍ଟର ଅସୀମ ଅମିତାଭ ପ୍ରଧାନ ଉପସ୍ଥିତ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

ପ୍ରାରମ୍ଭିକ ଉଦବୋଧନ ଦେଇ ବିଧାୟକ ଶ୍ରୀ ଦାସ କହିଥିଲେ, ଓଡ଼ିଆ ଭାଷାର ସୁରକ୍ଷା ଓ ପୁନରୁଦ୍ଧାର ହେତୁ ନିଜ ଜୀବନକୁ ଉତ୍ସର୍ଗ କରିଯାଇଥିବା ମହାନ ବ୍ୟକ୍ତିବିଶେଷ ତଥା ମହାପୁରୁଷଙ୍କ ବଳିଦାନକୁ ବ୍ଯର୍ଥ ଯିବାରୁ ବଞ୍ଚାଇବା ବର୍ତ୍ତମାନ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ଯ। ସର୍ବୋପରି ଆମ ପରିଚୟ ଆମ ଭାଷା ହେବା ଆବଶ୍ୟକ। ସମୃଦ୍ଧ ଓଡ଼ିଆ ଭାଷାକୁ ଉଚ୍ଚସ୍ତରରେ ରଖିବା, ଏହାକୁ ଆନ୍ତରିକତାର ସହ ଆପଣା ଯିବା, ଓଡ଼ିଆ ସାହିତ୍ୟର ବିକାଶୀକରଣ ନିମନ୍ତେ ଚେଷ୍ଟିତ ରହିବା ଓ ଓଡ଼ିଆ ହେବାକୁ ନେଇ ଗର୍ବୀତ ରହିବା ଉଚିତ ବୋଲି ଯୁବବର୍ଗଙ୍କୁ ନିଜ ଉଦବୋଧନରେ ବାର୍ତ୍ତା ଦେଇଥିଲେ।

Udyog Nursery
Udyogi Nursery

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମ୍ପ୍ରତି ବ୍ୟବହାରିକ ଓଡ଼ିଆ ଭାଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଅନ୍ୟାନ୍ଯ ରାଜ୍ଯ ନିଜ ମାତୃଭାଷାର ନିଜତ୍ବକୁ ବଜାୟ ରଖିଥିବା ବେଳେ, ଓଡ଼ିଆ ଭାଷା ନିଜର ଅସ୍ତିତ୍ବକୁ ସଂପୂର୍ଣ୍ଣ ଭାବେ ପରିପ୍ରକାଶ କରିବା ପାଇଁ ବର୍ତ୍ତମାନ ମଧ୍ଯ ସଂଘର୍ଷରତ। ଏହି ଭାଷାର ଅତୀତ ଖୁବ୍ ସୁଦୃଢ ଏଣୁ ଯୁବପିଢି ନିଜ ଭାଷାର ଯତ୍ନ ନେବାସହ ନିଜକୁ ଓଡ଼ିଆ କହି ଗର୍ବୀତ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟାନ୍ଯ ଅତିଥିମାନେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କବି, ସାହିତ୍ୟିକ, ଗାଳ୍ପିକ ଓ ଲେଖକଙ୍କୁ ଅଭିନନ୍ଦନ ଜଣାଇଥିଲେ ତତସହିତ ଏହି ସମ୍ମିଳନୀର ମୁଖ୍ଯ ଉଦ୍ଦେଶ୍ଯ ସଫଳ ରୂପାୟନ ନେଇ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଏକ ଚିତ୍ରକଳା ପ୍ରଶିକ୍ଷଣ ଶିବିର ଓ ପ୍ରଦର୍ଶନୀ ‘ଅସ୍ମିତା’ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶାର ବହୁ ସୁନାମଧନ୍ଯ ଚିତ୍ରକର ଯୋଗଦେଇଛନ୍ତି ଓ ତିନିଦିନ ଧରି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ। ପ୍ରଥମ ଦିନର ଆଲୋଚନାଚକ୍ରରେ, ଆଦିବାସୀ ସଂସ୍କୃତି ଓ ସାହିତ୍ଯ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ବିଶ୍ବ ଦୃଷ୍ଟିରେ ଓଡ଼ିଆ ନାମକ ତିନୋଟି ପ୍ରସଙ୍ଗରେ ଆଲୋକପାତ କରାଯାଇଥିଲା।

ଏଥିରେ ବରେଣ୍ଯ ଆଲୋଚକ ଭାବେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା, ଡ଼କ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡ଼କ୍ଟର ପରମାନନ୍ଦ ପଟେଲ, ଡ଼କ୍ଟର ରାଜେନ୍ଦ୍ର ପାଢୀ, ଶ୍ରୀ ବୈଷ୍ଣବ ଚରଣ ମହାନ୍ତି, ପ୍ରଫେସର ନାରାୟଣ ସାହୁ, ଶ୍ରୀ ଅସିତ ମହାନ୍ତି, ପ୍ରଫେସର ସୁବାସ ଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ଶ୍ରୀ ଧୀରେନ୍ଦ୍ର କର(ଆମେରିକା), ପ୍ରଫେସର ସଦାନନ୍ଦ ଦାସ(ଜର୍ମାନୀ), ଶ୍ରୀ ପ୍ରଶାନ୍ତ କୁମାର ଭୂୟାଁ (କାନାଡା), ଡ଼କ୍ଟର ଶୀତଳ କୁମାର ପାଳବାବୁ( ମ୍ୟାନମାର, ବ୍ରହ୍ମଦେଶ) ଓ ଡ଼କ୍ଟର ପ୍ରଭାତୀ ପାଣିଗ୍ରାହୀ (ଅଷ୍ଟ୍ରେଲିଆ) ରୁ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

ଏହି ସମ୍ମିଳନୀର ପ୍ରମୁଖ ଆକର୍ଷଣ ଭାବେ ଶ୍ରୀଜଗନ୍ନାଥଙ୍କ ବତିଶ ବେଶ ଓ ଦଶାବତାର ରୂପ ପ୍ରଦର୍ଶନ ସ୍ଥାନ ନେଇଅଛି। ଶ୍ରୀଜଗନ୍ନାଥଧାମ ପୂରୀରୁ ଆସିଥିବା ଭୋଗ ତଥା ଏଥିସହ ପାରମ୍ପରିକ ମିଠା ଓ ପିଠାର ସମ୍ଭାର ଦର୍ଶକମାନଙ୍କ ପାଇଁ ଆନନ୍ଦର କେନ୍ଦ୍ରବିନ୍ଦୁ ହେଇଛି। ସଂପୂର୍ଣ୍ଣ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ସହଯୋଗ ଓ କାର୍ଯ୍ୟକ୍ରମକୁ ନେଇ ଅସୀମିତ ଉତ୍ସହ ଦେଖିବାକୁ ମିଳିଛି।

ଆଜିର କାର୍ଯ୍ୟକ୍ରମକୁ ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ର ଓ ଡ଼କ୍ଟର ଜିନା ପ୍ରିୟଙ୍କା ସଂଚାଳନ କରିଥିବା ବେଳେ ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସନ୍ଧ୍ଯାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସମାରୋହ ‘ଭଜନ ଶ୍ରୀକ୍ଷେତ୍ର’ ପରିବେଷଣ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.