କଳାହାଣ୍ଡି,୧୬/୬ : ପାଦରେ ଅଳତା, ଗୋଡରେ ପାଉଁଜି, ବେଣି/ଗଭାରେ ଗଜରା, ହାତରେ ଚୁଡି, ଦେହରେ ନୂଆ ପୋଷାକ ସାଙ୍ଗକୁ ଓଠରେ ଖିଳି ଖିଳି ହସ । ଘରେ ଘରେ ପିଠାପଣା ସହ ପାନଖିଳର ପସରା । ଆମ୍ବ ତୋଟାରେ କଟମଟ ହେଉଛି ଦୋଳି । ଏହା କୌଣସି ଉପକୂଳ ଅଞ୍ଚଳର ଦୃଷ୍ୟ ନୂହଁ, ଏହା ହେଉଛି କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ କ୍ଷେତ୍ର ନର୍ଲାର ଦୃଷ୍ୟ ।

ରଜ ଅବସରରେ ରଂଗିନ ହୋଇ ଉଠିଛି ନର୍ଲା ମାଟି । ଯେଉଁ ମାଟି ଅତିତର ଗୌରବମୟ ପରଂପରାକୁ ଆଜି ମଧ୍ୟ ମନେ ପକାଇ ଦିଏ । ପ୍ରାଚୀନ ମହାକାନ୍ତାର ସଭ୍ୟତା (ଖ୍ରୀ:ପୂ: ୫ମ ଶତାବ୍ଦୀରୁ ଖ୍ରୀ:ବ୍ଦ: ପଞ୍ଚମ ଶତାବ୍ଦୀ) ର ରାଜଧାନୀ ଅସୁରଗଡ ଏବଂ ଏହାର ପ୍ରତିରକ୍ଷା ଘାଟି ସହ ଧାର୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଦେବଗିରିର ବିଜୟଧ୍ବଜା ହଜାର ହଜାର ବର୍ଷ ପରେ ଆଜିବି ତରଙ୍ଗାୟିତ । ଓଡିଶାର ପ୍ରତ୍ୟକଟି ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ବିଶାଳ ଭୂଖଣ୍ଡ ଆଞ୍ଚଳିକ ଭେଦଭାବ ଠାରୁ ବେଶ ଉର୍ଦ୍ଧରେ । ସେଥିପାଇଁ ତ ଢାପ୍, ଘୁମୁରା, ବନାବାଡି, ଘୁଡକା, ବଜାସାଲ ସାଙ୍ଗ ତାଳଦେଇ କଟ କଟ ହେଉଛି ରଜ ଦୋଳି ଓ ପାହାଡ ପର୍ବତରେ ପ୍ରତିଧ୍ବନୀତ ହେଉଛି ରଜ ଦୋଳି ଗୀତ । କୁମାରୀ କନ୍ୟାଙ୍କ ଖିଲି ଖିଲି ହସରେ ଉତ୍ଫଳିତ ହୋଇ ଉଠୁଛି ପ୍ରକୃତି ରାଣୀ ।

ନର୍ଲା ବ୍ଲକର ନର୍ଲା ଉପରପଡ, ଦେବଗିରି, ସର୍ଗିଗୁଡା ସମେତ ଅନେକ ଗ୍ରାମରେ ପାରଂପାରିକ ରିତିନିତି ଅନୁସାରେ ପାଳିତ ହୋଇଛି ରଜ ଉତ୍ସବ । ରଜର ବେଶ ମଜା ଉଠାଉଛନ୍ତି କୁମାରୀ କନ୍ୟା ଓ କୂଳ ଭୂଆଷୁଣି ମାନେ । ଆଜି ବସୁମତି ସ୍ନାନ ସହ ଧିରେ ଧିରେ ଅପସରି ଜିବ ରଜ ତେବେ ପଛପଟେ ଛାଡି ଦେଇଯିବ ଅସରନ୍ତି ଖୁସିର ଲହରୀ, ଯେଉଁ ଲହରୀରେ ତରଙ୍ଗାୟିତ ହେଉଥିବ ଜନମାନସର ପ୍ରତିଟି ଛନ୍ଦ ।






