ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକକୁ ବିଭାଜନ କରି ଗୁଣପୁରକୁ ଏକ ସ୍ବତନ୍ତ୍ର ବ୍ଲକ ମାନ୍ୟତା ଦାବି ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।ଗୁଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ନିଷ୍ପତ୍ତି ନେଇଥିବା ବେଳେ କାର୍ଯ୍ୟକ୍ରମର ଆବାହକ ରଥ ଦୁରିଆଙ୍କ ନେତୃତ୍ୱରେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଗୁଣପୁର ଗ୍ରାମ ପଞ୍ଚାୟତ ସମେତ କାଣିଗୁମା, ନାକୁରୁଣ୍ଡି, ତଲାମପଦର, କର୍ଲାପାଟ, କିଆପଦର, କେରପାଇ, ସିଲେଟ୍ ଏବଂ ଥୁଆମୂଳ ପ୍ରମୁଖ ୯ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ସ୍ବତନ୍ତ୍ର ଗୁଣପୁର ବ୍ଲକ ଗଠନ କରାଯିବା ନିମନ୍ତେ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ କଳାହାଣ୍ଡି ସ୍ବୟଂ ଶାସିତ ମହା ବିଦ୍ୟାଳୟର ପୁର୍ବତନ ପ୍ରାଧ୍ୟାପକ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସ୍ଲା(ଦୁରିଆ), ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, ପ୍ରକୃତି ବନ୍ଧୁ ଡୋଲମଣି ସାହୁ, ସ୍ଥାନୀୟ ସରପଞ୍ଚ ସୁଜାତା ମାଝୀ ପ୍ରମୁଖ ଉପସ୍ଥିତ ରହି ନୂତନ ବ୍ଲକ ଗଠନର ପରିକଳ୍ପନାକୁ କିପରି ବାସ୍ତବତାରେ ପରିଣତ କରିହେବ ସେନେଇ ନିଜନିଜ ମତାମତ ଉପସ୍ଥାପନ କରିଥିଲେ। ଥୁଆମୂଳ ରାମପୁର ବ୍ଲକରେ ୨୪ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏସବୁ ପଞ୍ଚାୟତ ମଧ୍ୟରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି। ସେଠିକାର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।ଏସବୁ ଅଞ୍ଚଳ ଠାରୁ ବ୍ଲକ ମୁଖ୍ୟାଳୟକୁ ଆସିବାକୁ ହେଲେ କୌଣସି ସାଧନ ନଥିବା ବେଳେ ବହୁତ ଦୂରତା ପାଇଁ ଅନେକ ଲୋକ ବ୍ଲକ ସଦର ମହକୁମାର ମୁହଁ ଦେଖିପାରିନାହାନ୍ତି। ଯଦି ଗୁଣପୁରକୁ ବ୍ଲକର କେନ୍ଦ୍ର ସ୍ଥଳ କରାଯାଏ ତେବେ ଏହି ୯ ଗୋଟି ପଞ୍ଚାୟତ ବାସୀଙ୍କୁ ପୁର୍ବ ଭଳି ହଇରାଣ ନହୋଇ ବିଭିନ୍ନ ସରକାରୀ ସୁବିଧା ହେଇପାରିବ।ବ୍ଲକ ଗଠନ ହେଲେ ଏଠାରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ସାଧାରଣ ବ୍ୟବସ୍ଥାର ବିକାଶ ହେଇପାରିବ। ଏଠାରେ ବ୍ଲକ ସ୍ତରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିବ। ଏବଂ ଏହି ସବୁ ପଞ୍ଚାୟତ ବାସୀ ସୀମିତ ପରିସୀମା ଭିତରେ ସମସ୍ତ ସରକାରୀ ସେବା ପାଇପାରିବେ ବୋଲି ଡ. ଶ୍ରୀ ମିଶ୍ର ମତାମତ ପ୍ରଦାନ କରିଥିଲେ। ପ୍ରାକୃତିକ ପ୍ରାଚୁର୍ଯ୍ୟ ସମ୍ପନ୍ନ ଏହି ଅଞ୍ଚଳରେ ବକ୍ସାଇଟ ଭଳି ଅନେକ ଖଣି ରହିଛି। କର୍ଲାପାଟ ଅଭୟାରଣ୍ୟ ସହିତ ଇନ୍ଦ୍ରାବତୀ ଏବଂ ନାଗାବଳୀ ନଦୀ ଭଳି ଅନେକ ନଦୀ ଓ ଝରଣାର ଉତ୍ପତ୍ତି ହେଇଛି। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏସବୁ ପ୍ରାକୃତିକ ସମ୍ପଦର ଯଦି ସଦ ବିନିଯୋଗ କରାଯିବ ତେବେ ଅଞ୍ଚଳର ଉନ୍ନତି ହେବା ସହିତ ଲୋକେ ଉପକୃତ ହୋଇପାରିବେ ବୋଲି ଡ଼. ମିଶ୍ର କହିଥିଲେ। ଗୁଣପୁରକୁ ଏକ ବ୍ଲକ ମାନ୍ୟତା ପ୍ରଦାନ କରାଯିବା ନେଇ ଅନେକ ଥର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲିଖିତ ତଥା ମୌଖିକ ଭାବେ ପ୍ରସଂଗ ଉଠାଇଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି।ଏହି ଦାବି ଆଗକୁ ଯୋର୍ ଧରିବ ଏବଂ ଏଥିପାଇଁ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ଖୋସ୍ଲା(ଦୁରିଆ) ସୂଚନା ଦେଇଛନ୍ତି। ଏହା ଏକ ଐତିହାସିକ ପଦକ୍ଷେପ ଏହି ପ୍ରସଂଗକୁ ନିର୍ଣ୍ଣାୟକ ସ୍ଥିତିକୁ ନେବାକୁ ହେଲେ ଉପରୋକ୍ତ ସମସ୍ତ ଗ୍ରାମ ପଞ୍ଚାୟତ ଜନସାଧାରଣ ଗଣତାନ୍ତ୍ରିକ ଏବଂ ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବା ନେଇ ଆୟୋଜକ କମିଟି କୁ ପରାମର୍ଶ ଦେଇଥିଲେ। ଏଥି ସହିତ ସମସ୍ତ ପଞ୍ଚାୟତର ନେତୃବୃନ୍ଦଙ୍କୁ ନେଇ ଏକ କମିଟି ଗଠନ କରାଯାଉ ଏବଂ ପଞ୍ଚାୟତ ସମିତି ସ୍ତରରେ ମଧ୍ୟ ଉପ କମିଟି ଗଠନ କରି ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ ସହିତ ଆନ୍ତରିକ ସହଯୋଗ ଆବଶ୍ୟକ ରହିଛି ବୋଲି ଉପସ୍ଥିତ ଅତିଥି ଗଣ ମତାମତ ପ୍ରକାଶ କରିଥିଲେ।