ନର୍ଲା ହାଇସ୍କୁଲରେ ‘ମୋ ସ୍କୁଲ ଉତ୍ସବ’

ବିଦ୍ୟାଳୟ ପ୍ରତି ବିଶେଷ ଅବଦାନ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ଠାରେ ‘ମୋ ସ୍କୁଲ ଉତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତେଜରାଜ ସାହୁ, ସଂସ୍କୃତ ଶିକ୍ଷୟତ୍ରୀ ଶୀଲା ପ୍ରହରାଜ, ସହକାରୀ ଶିକ୍ଷୟତ୍ରୀ ସସ୍ମୀତା ସୁନାମୁଦୀ, ସହକାରୀ ଶିକ୍ଷକ ଲଳିତ ରଣା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଏଥିରେ ଆଲୁମିନି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ସେମାନଙ୍କ ଅବଦାନ ନିମନ୍ତେ ସମ୍ବଦ୍ଧିତ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଅର୍ଥଦାନ, ସେବାଦାନ ଏବଂ ଶ୍ରମଦାନ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଏଥିରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଉଚ୍ଚ ବିଦ୍ୟାଳୟର ରୁପାନ୍ତରୀକରଣରେ ସହଯୋଗର ହାତ ବଢାଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା। ଦୈନନ୍ଦିନୀ ଯୋଗାଯୋଗ ପ୍ରକ୍ରୀୟା ଏବଂ ଏକାଡେମିକ କାର୍ଯ୍ୟକଳାପରେ ସାହାଯ୍ୟ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଦିଆଯାଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଯୋଗୁଁ ବିଦ୍ୟାଳୟରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକଳାପକୁ ସର୍ବସମ୍ମୁଖରେ ଉପସ୍ଥାପନ କରି ସେମାନଙ୍କୁ ପ୍ରଶଂସା କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ସୁବାଷ ଚନ୍ଦ୍ର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ ପତ୍ରର ବଣ୍ଟନ କରାଯାଇଥିଲା। ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ବିଦ୍ୟାଳୟ ପରିଭ୍ରମଣ କରେଇ ବିଦ୍ୟାଳୟର ବିକାଶ ସମ୍ବନ୍ଧରେ ବୁଝାଇବା ସହିତ ବିଦ୍ୟାଳୟର ବର୍ତ୍ତମାନ ସ୍ଥିତି ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପୁରାତନ ଛାତ୍ର ବିମଲ କୁମାର କେଡିଆ, ଲିଙ୍ଗରାଜ ମିଶ୍ର, ଚିରଞ୍ଜିବୀ ଗୌଡିଆ, ତପନ କୁମାର ଭୋଇ, ସୁଲେଖଚନ୍ଦ ଜୈନ, ସୁମନ୍ତ ପୁଝାରୀ, ତାରେଣୀସେନ ଧଙ୍ଗଡାମାଝୀ ପ୍ରମୁଖଙ୍କୁ ବିଦ୍ୟାଳୟ ପ୍ରତି ବିଶେଷ ଅବଦାନ ରହିଥିବାରୁ ସେମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ନର୍ଲା ପଞ୍ଚାୟତ ସମିତି ସରକାରୀ ବିଦ୍ୟାଳୟରେ ପାଠପଢିଥିବା ପୁତାତନ ଛାତ୍ର ଯେଉଁମାନଙ୍କର ବିଦ୍ୟାଳୟ ପ୍ରତି ବିଶେଷ ଅବଦାନ ରହିଛି ସେମାନଙ୍କ ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବାସହ ସାର୍ଟିଫିକେଟ ପଠାଇଛନ୍ତି। ହେଲେ ଯୋଗାଯୋଗ ଅଭାବରୁ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ପାରିନାହିଁ। ଆଗାମି ଦିନରେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.