ପୋଟେସ ପ୍ରକଳ୍ପ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଉତ୍ସବ’ ପାଳିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ପୋଟେସ ପ୍ରକଳ୍ପ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ ତାଙ୍କ ଉଦବୋଧନରେ କହିଥିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ମସିହାରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସହ ସଂଯୋଗ କରିବାର ପରିକଳ୍ପନା କରି ଆରମ୍ଭ କରିଥିଲେ ‘ମୋ ସ୍କୁଲ ଅଭିଯାନ’। ଏହି ସଂଯୋଗି କରଣ ମାଧ୍ୟମରେ ରାଜ୍ୟର ସମସ୍ତ ବିଦ୍ୟାଳୟ ବିକଶିତ ହୋଇପାରିଛି। ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଅର୍ଥ ଦାନ, ସେବା ଦାନ ଓ ସ୍ନେହ ଭଲ ପାଇବା ଯୋଗୁଁ ବିଦ୍ୟାଳୟର କଳେବର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଅଛି। ତେଣୁ ଆମ ବିଦ୍ୟାଳୟ ବିକାଶ ପାଇଁ ଆପଣ ମାନଙ୍କ ଅର୍ଥଦାନ, ସେବାଦାନ ଓ ସ୍ନେହ, ଭଲପାଇବା ଥିବାରୁ ସମସ୍ତଙ୍କୁ ପ୍ରଶଂସା କରିବା ସହ ଆଗକୁ ମଧ୍ଯ ଏହି ଧାରା ଜାରି ରଖିବା ପାଇଁ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଉତ୍ସବରେ ପୁରାତନ ଛାତ୍ର ଶରତ ଚନ୍ଦ୍ର ସୁନାନୀ, ଦୀନବନ୍ଧୁ ବେହେରା, ସିଦ୍ଧେଶ୍ୱର ବାଗ, ତୁଲାରାମ ପାନ, ରବୀନ୍ଦ୍ର ରାଉତ, ଶାନ୍ତନୁ ରାଉତ, ଶେଷଦେବ ବାଗ, ଅଲେଖ ନିଆଲ, ରାମନାଥ ନାଗ, ମାଧବ ମାଝୀ, ବାସନ୍ତୀ ମାଝୀଙ୍କ ସମେତ ୱାର୍ଡ଼ମେମ୍ବର ମଦନ ପାନ ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପ୍ରେରିତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ତ୍ରିଲୋଚନ ଧଳ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଦୀପକ ଅଟ, ଶିକ୍ଷୟିତ୍ରୀ ମଲ୍ଲିକା ନାଏକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.