ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ଉଚ୍ଚ ବିଦ୍ୟାଳୟ ଅଟ୍ଟାଙ୍ଗଗୁଡା ଠାରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଆଶୁତୋଷ ମିଶ୍ର, ସ୍ଵାଗତ ସମ୍ଭାଷଣ ଦେଇଥିଲେ ଏକ୍ରାମ ପାତ୍ର। ମୋ ସ୍କୁଲ ପ୍ରକଳ୍ପ, ବିଦ୍ୟାଳୟର ରୂପାନ୍ତରୀକରଣ, ଆକାଂକ୍ଷୀ ପାଠ୍ୟକ୍ରମ ଓ ହାଉସ ସିଷ୍ଟମ ସମ୍ପର୍କରେ ଆଲୋକପାତ କରାଯିବା ସହ ବିଦ୍ୟାଳୟର ଉନ୍ନତୀକରଣରେ ସହଯୋଗର ହାତ ବଢାଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ଅର୍ପଣ କରାଯାଇଥିଲା। ପରିଚାଳନା କମିଟି, ଆଲୁମିନି କମିଟି, ପୁରାତନ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପସ୍ଥିତି ଓ ସହଯୋଗ ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲା। ସଭା ଶେଷରେ ପ୍ରଧାନ ଶିକ୍ଷକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ବିଦ୍ୟାଳୟ ପରିଦର୍ଶନ କରାଇଥିଲେ। ରୂପାନ୍ତରୀକରଣରେ ଖୁସି ହେବା ସହ ଭବିଷ୍ୟତରେ ବିଦ୍ୟାଳୟର ସାମଗ୍ରିକ ବିକାଶରେ ସହଯୋଗ କରିବା ପାଇଁ ଉପସ୍ଥିତ ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ।