ଗୁଡ୍ ବାଏ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

‘ବବା ଆଜି ପୁରା ଛୁଟିଦିନ୍ ଭଲିଆ ଲାଗଲା ବୋ। ପାଁଚ୍ ବଛର୍ ପରେ ଆଜିର୍ ଦିନ୍ ମୋର୍ ଦିଲ୍ ଖୁସ୍ କରିଦେଲା।’ କୃଷ୍ଣ ବବା ବହୁତ ଉତ୍ସାହର ସହ ମୋତେ ଦେଖୁ ଦେଖୁ କହିଲେ। ରାତି ୧୦ଟାରେ ବବା ଏତେ ଖୁସି କାହିଁକି ହେଉଛନ୍ତି ତାହା ପଚାରିବା ପୂର୍ବରୁ ସେ କହିଲେ – ବବା, ରବିବାର ବିଜେପି ପଞ୍ଚମ୍ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଚେ। ଇନ ମୋଟ୍ ୧୧୧ ପ୍ରାର୍ଥୀକେ ଟିକେଟ୍ ଦିଆଯାଇଚେ। ଓଡ଼ିଶାର୍ ୧୮ ଆସନ୍ ଲାଗି କେଣ୍ଡିଡେଟ୍ ଡିକ୍ଲାର୍ ହେଇଚେ। ବିଜେପି ୬ ଯାଗାରେ କେଣ୍ଡିଡେଟ୍ ବଦଲେଇଚେ। ସବୁନୁ ଖୁସିର୍ କଥା ହେଲା ବିଜେପି ଡିକ୍ଲାର୍ କରିଥିବା ୧୮ ଆସନ୍ ଭିତରୁ ୪ ଜଣ୍ ଲେଡିସ୍ କେଣ୍ଡିଡେଟ୍ ଅଛନ୍। ବଲାଙ୍ଗୀରରେ ସଂଗୀତା ସିଂ ଦେଓ, ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀ, ଆସ୍କା ନେ ଅନିତା ଶୁଭଦର୍ଶନୀ ଆରୁ ଆମର୍ କଲାହାଁଣ୍ଡି ନେ ରଜାଘର ବହ ମାଳବିକା ଦେଓ ଟିକେଟ୍ ପାଇଚନ୍।’

Omkar Vasthu
Omkar Vasthu

ମୁଁ ଟିକେ ମଜାକ୍ ମୁଡ଼୍ ରେ କହିଲି – ବବା ମୁଁ ଭାବିଥିଲି ଆଜି ବଡମାଁ ଚିକେନ କି ମଟନ କରିଥିବା, ସଁକ୍ ପତେ ଠୁକି ଦେଇକରି ଖୁସି ହେଇ ଯାଉଥିବ। ଏପଟେ ତୁମେ ରାଜନୀତିର କଥା ଛରି ନେଉଚ। ଆଚ୍ଛା ବବା। ଯିଏ ଯେଉଁ ପାର୍ଟିରୁ ଟିକଟ ପାଉ ସେଥିରେ ଆମେ ବିଶେଷ ଖୁସି ହେବାର କାରଣ ନାହିଁ। ଯିଏ ଭଲ କ୍ୟାଣ୍ଡିଡେଟ ସିଏ ଯିତିବେ। ତେବେ ବିଜେପି କଳାହାଣ୍ଡି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିବାରୁ ତୁମେ ବୋଧେ ଖୁସି ହୋଇ ଯାଉଛ। କୃଷ୍ଣ ବବା ବସିଥିବା ଯାଗାରୁ ଉଠି ମୋ ପାଖକୁ ଲାଗି ଆସି କହିଲେ – ‘ବବା, ଲେଡିସ୍ ହେଉକି ଜେଣ୍ଡସ୍ ହେଉ କିଛି ଅଲଗା ନାଇନା। ଇ କଥାନେ କାଏଁଟା ଅଛେ ଯେ ଖୁସି ହେତି।’ ମୁଁ ସାମାନ୍ୟ ବିରକ୍ତ ହୋଇ କହିଲି – ବବା ଯାହାବି କହିବାର ଅଛି ସିଧା ସିଧା କହିଦେଲେ ଗଲା। ଏତେ ନବରସ କାହିଁକି?

Pearl dental clinic
Near Ashish Medical Store, Bhawanipatna

କୃଷ୍ଣ ବବା ଏବେ ଲାଇନ୍ କୁ ଆସିଯିବେ ବୋଲି ଭାବୁଛି, ଏହି ସମୟରେ ସେ କହିଲେ -‘ବବା, ବସନ୍ତ ପଣ୍ଡାଙ୍କର ଟିକେଟ୍ କଟଲା ସେଥିର୍ ଲାଗି ମୁଇଁ ବହୁତ୍ ଖୁସି।’ ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଲି। ସେ କହିଲେ – ‘ବବା ଖାଲି ମୁଇଁ ନାଇଁସେ ପୁରା କଲାହାଁଣ୍ଡିର ବଡଭାଗ୍ ଜନତା ଖୁସି। ରାତି ବେସି ହେଲାନା ନାଇଁ ହେଲେ ତମକେ ଅଧା କେଜି ଛେନାପୋଡ୍ ଖୁଏଇ ଥିତିଁ।’ ମୁଁ କହିଲି – ଛେନାପୋଡ଼ ତ କାଲି ଖାଇବା। ହେଲେ ବସନ୍ତ ପଣ୍ଡା ଟିକଟ ନ ପାଇବାର କାରଣ କଣ ହୋଇପାରେ?ଦୀର୍ଘ ସମୟଧରି ଆମର ଆଲୋଚନା ଶୁଣୁଥିବା ବାଗ୍ ମାମୁଁ କହିଲେ – ସାଂସଦ ବସନ୍ତ ପଣ୍ଡା କଳାହାଣ୍ଡି ପାଇଁ କ’ଣ କରିଛନ୍ତି ତୁମେ କହି ପାରିବକି। ମୁଁ ଚୁପ୍ ରହିଲି। ବାଗ୍ ମାମୁଁ କହିଲେ – ବୁଝିଲ ଭଣଜା ଏମପି ପଣ୍ଡା ଆଜ୍ଞା କଳାହାଣ୍ଡିର ହିତ ଚିନ୍ତା ନକରି କେବଳ ନିଜର ଚିନ୍ତା କରିବାରେ ଲାଗିଲେ। ଲୋକ ସମ୍ପର୍କ ଜିରୋ। ଯିଏ ନୂଆପଡ଼ା ଏନଏସିରେ ନିଜ ପୁଅକୁ ଜିତେଇ ପାରିଲେ ନାହିଁ ତାଙ୍କ କଥା ଆଉ କ’ଣ କହିବା।

Udyog Nursery
Udyogi Nursery

ରାତି ବଢ଼ିବା ସହ ଆଲୋଚନା ସରଗରମ ହୋଇ ଉଠୁଥାଏ। ଆଉ ଜଣେ କହିଲେ – ବସନ୍ତ ପଣ୍ଡା ସାଂସଦ ହେବା ପୂର୍ବରୁ ନୂଆପଡ଼ା ବିଧାୟକ ଥିଲେ‌ କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ନ ଥିଲେ। ତେଣୁ ୨୦୧୯ରେ ବିଧାନସଭା ନିର୍ବାଚନରେ ସେ ହାରିଯିବା ଭୟ ଥିଲା। ରାଜ୍ୟ ବିଜେପି ସଭାପତି ପଦବୀର ଫାଇଦା ଉଠାଇ ସେ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଟିକଟ ହାସଲ କଲେ। ମୋଦୀ ହାଓ୍ବା ପ୍ରବଳ ଥିବା କାରଣରୁ ଅତି ସହଜ ଭାବରେ ନିର୍ବାଚନୀ ବୈତରଣୀ ପାର ହୋଇଗଲେ। ସେହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ବ୍ୟତିରେକ ବାକି ୬ଟି ଆସନରେ ବିଜେପି ପ୍ରାର୍ଥୀମାନେ ପରାଜିତ ହେଲେ। ପଣ୍ଡା ସାର୍ ସେମାନଙ୍କୁ ଜିତାଇ ପାରିଲେ ନାହିଁ। ବିଗତ ପାଞ୍ଚ ବର୍ଷ ପରେ ଆଜି ମଧ୍ୟ କଳାହାଣ୍ଡି ବିଜେପିର ୩୬ ଗୋଟି ଜୋନ୍ ସଭାପତିଙ୍କୁ ସେ ଚିହ୍ନି ନ ଥିବା କୁହାଯାଏ। ଦଳୀୟ କର୍ମୀମାନେ ତାଙ୍କ ଉପରେ ପୁରା ଅସନ୍ତୁଷ୍ଟ ଥିଲେ। 

ସାଂସଦ ଶ୍ରୀ ପଣ୍ଡା କଳାହାଣ୍ଡିର ଅନେକ ସ୍ଥାନରେ ବିରୋଧଭାସର ସମ୍ମୁଖିନ ହୋଇଛନ୍ତି। ସେ ନିଜର ସମ୍ପତ୍ତି ବଢ଼ାଇବା ସହ ରାଜନୈତିକ କ୍ୟାରିଅରର ସୁରକ୍ଷା ଛଡ଼ା ଆଉ କୋୖଣସି ଦିଗ ପ୍ରତି ଧ୍ୟାନ ଦେଇନଥିବା ଖୋଦ୍ ବିଜେପି କର୍ମୀମାନେ ଅଭିଯୋଗ କରି ଆସୁଥିଲେ। ଗତ ସାଧାରଣ ନିର୍ବାଚନ ବୈତରଣୀ ସେ କିପରି ପାର ହେଲେ ତାହା ସମସ୍ତଙ୍କୁ ଜଣା। ଜିତିବା ପରେ ସେ ନୂଆପଡାକୁ ଅଧିକ ଗୁରୁତ୍ବ ଦେଇ କଳାହାଣ୍ଡି ପ୍ରତି ବିଶେଷ ଧ୍ୟାନ ଦେଲେ ନାହିଁ। ତାଙ୍କ କଳା ସାମ୍ରାଜ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସେ ଯାହାହେଉ ଏବେ କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିଛି ବିଜେପି। ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀ ଏବଂ ରଣନୀତି ଉପରେ ଆଗକୁ ସମସ୍ତଙ୍କ ନଜର ରହିବ। ହେଉ ବବା, ରାତି ବେଶି ହେଲାଣି ଘରକୁ ଯିବା -ମୁଁ କହିଲି। କୃଷ୍ଣ ବବା କହିଲେ -ଗୁଡ୍ ବାଏ। ମୁଁ ତାଙ୍କୁ ଅଟକାଇ କହିଲି ବବା ଗୁଡ୍ ବାଏ ନୁହଁ ଗୁଡ୍ ନାଇଟ୍। ବବା କହିଲେ – ମୁଁ ଆମର ପ୍ରିୟ ସାଂସଦ ବସନ୍ତ ପଣ୍ଡାଙ୍କୁ ଗୁଡ୍ ବାଏ କହୁଛି ତୁମକୁ ନୁହଁ। ଆସରରେ ବସିଥିବା ସମସ୍ତେ କୃଷ୍ଣ ବବାଙ୍କ କଥା ଶୁଣି ହସି ଉଠୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.