ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ

ହେବେକି ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ

ଅତୀତରେ ଭକ୍ତ ଦାସଙ୍କୁ ହରାଇ ଥିଲେ ଧନେଶ୍ୱର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ସେ ୨୦୧୪ ରୁ ୨୦୧୯ ଯାଏଁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ଯେତେବେଳେ ୨୦୦୯ ମସିହାରେ ରାଜ୍ୟରେ ବିଜେପି-ବିଜେଡିର ମେଂଟ ଭାଙ୍ଗିଗଲା ସେତେବେଳେ ବିଜେପିର ବିଧାୟକ ଥିବା ଧନେଶ୍ୱର ମାଝୀ ବିଜେପି ଛାଡି ବିଜେଡିକୁ ସମର୍ଥନ କରି ବିଜେପିରେ କେବଳ ଦୁର୍ଯ୍ୟୋଧନ ମାନେ ଅଛନ୍ତି ବୋଲି କହିଥିଲେ। ତେବେ ୨୦୧୯ ରେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରି କଂଗ୍ରେସରୁ ଆସିଥିବା ଭୂପିନ୍ଦର ସିଂଙ୍କୁ ପ୍ରାର୍ଥୀ କରିଥିଲା। ଏହା ପରଠୁ ଶ୍ରୀ ମାଝୀଙ୍କୁ ଦଳ ଅଣଦେଖା କରୁଥିବା ସେ ଅଭିଯୋଗ କରିଥିଲେ ଏବଂ ଗତ ୨୭ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ। ଚାରି ଥର ବିଧାୟକ ଓ ସାଂସଦ ହୋଇଥିବା ଶ୍ରୀ ମାଝୀ ବର୍ତ୍ତମାନ ବିଜେପିକୁ ପ୍ରତ୍ୟାବର୍ତନ କରିଛନ୍ତି। ତାଙ୍କୁ ବିଜେପି ନର୍ଲା ବିଧାୟତ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋକ ହୋଇଥିବାରୁ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପାଇଁ ହେଉଥିବା ଆଲୋଚନାରେ ପ୍ରମୁଖ ଚେହେରା ହେବେ ବୋଲି ଚର୍ଚ୍ଚା ଚାଲିଛି। ଏକଦା ତତ୍କାଳୀନ କେସିଙ୍ଗା ବିଧାନସଭା କ୍ଷେତ୍ରରେ କଂଗ୍ରେସର ହେଭିୱେଟ ନେତା ଭକ୍ତଚରଣ ଦାସଙ୍କୁ ପରାସ୍ତ କରିଥିବା ଶ୍ରୀ ମାଝୀ ଏବେ ବିଜେପିର ବିଧାୟକ ପ୍ରାର୍ଥୀ ହେଲେ ଚେକମେଂଟ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଭକ୍ତ ଦାସ ନର୍ଲାରୁ ବିଧାନସଭା ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ଏପରି କ୍ଷେତ୍ରରେ ବିଜେଡି କାହାକୁ ମଇଦାନକୁ ଓହ୍ଲାଉଛି ତାକୁ ନେଇ ସମୀକ୍ଷକ ମହଲରେ ଚର୍ଚ୍ଚା ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.