ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ନିର୍ବାଚନୀ ରଣ ଘଣ୍ଟ ନିନାଦିତ ହେବା ସହ ଯୁଦ୍ଧ ପାଇଁ ପୁରା ପ୍ରସ୍ତୁତ ହୋଇ ଉଠିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ। ଏହାରି ଭିତରେ ଉଷ୍ମ ହୋଇ ଉଠିଛି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ।ଦଣ୍ଡପାଟ ଅଞ୍ଚଳ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ। ଏହି ଅଞ୍ଚଳର ଭୋଟ ପାର୍ଥିକୁ ଜିତେଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଏହି ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟ ମଧ୍ୟରୁ କୋଶଲିଆ ଯାଦବ ସମାଜ ଅନ୍ୟତମ। ଏହି ସଂପ୍ରଦାୟ ଏକ ସୁସଂଗଠିତ ଶିକ୍ଷିତ ସମାଜ। ଭାଷା, ସଂସ୍କୃତି, ପ୍ରଥା ପରମ୍ପରା ଭିତ୍ତିରେ ଏହି ସମାଜ ଅନ୍ୟ ଷୋହଳ ପ୍ରକାର ଯାଦବ ସମ୍ପ୍ରଦାୟ ଠାରୁ ଭିନ୍ନ। ଏମାନଙ୍କ ସଂଖ୍ୟା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଏସିବିସି ସମୁଦାୟ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଏଠାରେ ଏହି ସମ୍ପ୍ରଦାୟର ଲୋକ ବିପୁଳ ସଂଖ୍ୟାରେ ରୁହନ୍ତି। କିନ୍ତୁ ଏମାନେ ରାଜନୀତିରେ ବିଶେଷ ରୁଚି ରଖନ୍ତି ନାହିଁ। ଏମାନେ ସିଧା ରାଜନୀତିରେ ନଥିଲେ ମଧ୍ୟ ଏମାନଙ୍କ ସମର୍ଥନ ପ୍ରାର୍ଥୀ ପାଇଁ ହସ୍ତୀର ସୁନା କଳସ ଠାରୁ କମ୍ ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଧର୍ମଗଡ଼, କୋକସରା, କଲମପୁର ଓ ଜୟପାଟଣା ବ୍ଳକର ଅନେକ ଗ୍ରାମରେ ଏହି ସମାଜର ଲୋକ ବହୁ ମାତ୍ରାରେ ବସବାସ କରନ୍ତି। ଏମାନଙ୍କର ମଜଭୁତ ସଂଗଠନର ପରିଚୟ ମିଳେ ଏମାନଙ୍କ ସମାଜ ପ୍ରତି ଥିବା ଆନୁଗତ୍ୟ ଓ ଏକତା ଭାବ। ଏହି ସମାଜର ରହିଛି ଜିଲ୍ଲା, ବ୍ଲକ, ଆଞ୍ଚଳିକ ଓ ଗ୍ରାମ୍ୟସ୍ତରର ମହିଳା ସଂଗଠନ, ଯୁବ ସଂଗଠନ, ଯାଦବ ସେନା, ନାରାୟଣୀ ସେନା ଓ ମାନ୍ଦି ଭଳି ଛୋଟରୁ ବଡ଼ ସଂଗଠନ। ଏହି ଯାଦବ ମାନଙ୍କ ସଂଖ୍ୟା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଏସିବିସି ଜନସଂଖ୍ୟାର ପ୍ରାୟ ୨୦%। ଏଣୁ ଏହି ସମାଜର ଭୋଟ ଉପରେ ବୁଦ୍ଧିମାନ ନେତା ମାନଙ୍କର ତୀକ୍ଷ୍ଣ ନଜର ରହିଛି। ଏମାନଙ୍କ ଭୋଟ ଯାହା ପଲାରେ ପଡ଼ିବ ତାର ପଲ୍ଲାଭାରି ହେବ ବୋଲି ଚର୍ଚ୍ଚା ଚାଲିଛି।

 
                                        
 
 
        
 
 
         
 
         
 
        

