୧୨୫ ବର୍ଷରେ ‘ରେବତୀ’ : ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟରେ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ଦ୍ବାରା ଲିଖିତ କାଳଜୟୀ ଗଳ୍ପରେବତୀ’ର ୧୨୫ତମ ବର୍ଷ ପୂର୍ତ୍ତି ଅବସରରେ ଏକ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଫକୀରମୋହନ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି। ଫକୀରମୋହନ ସେନାପତିଙ୍କ ରଚିତ ‘ରେବତୀ ‘ ଗଳ୍ପର ୧୨୫ ବର୍ଷ ପୂର୍ତ୍ତି ଅବସରରେ “୧୨୫ ବର୍ଷରେ ‘ରେବତୀ’ ଓ ଅନ୍ୟାନ୍ୟ ପ୍ରସଙ୍ଗ” ଶୀର୍ଷକକୁ ନେଇ ଦ୍ବି-ଦିବସୀୟ ଆଲୋଚନାଚକ୍ର ବିଶ୍ଵବିଦ୍ୟାଳୟର ନୂତନ ପରିସରସ୍ଥିତ ସ୍ନାତକୋତ୍ତର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ବୈଠକର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ବିଶିଷ୍ଟ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର, ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ଓ ଶିକ୍ଷାବିତ ଡ. ଅପର୍ଣ୍ଣା ମହାନ୍ତି, ଭିତ୍ତି ପ୍ରବକ୍ତା ଭାବରେ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ପ୍ରାଧ୍ୟାପକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।

ସଭାରେ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ଏବଂ ସଭା ସଂଯୋଜନା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଡକ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପର୍ଯ୍ୟାୟକ୍ରମେ “ସେମାନଙ୍କ ଦୃଷ୍ଟିରେ ରେବତୀ”, “ଭାରତୀୟ ସାହିତ୍ୟରେ ରେବତୀ” ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ ‘ରେବତୀ ‘ପ୍ରସଙ୍ଗକୁ ନେଇ ଏକ କବିତାପାଠ ମଧ୍ୟ ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ‘ରେବତୀ’ର ନାଟ୍ୟରୂପ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଆଲୋଚକ, ଛାତ୍ରଛାତ୍ରୀ ଏବଂ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ସଭା କାର୍ଯ୍ୟକୁ ସାଫଲ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.