ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କୋକସରା ବ୍ଲକ ବିଜେଡ଼ିର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ପ୍ରଧାନୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଲିଖିତ ଭାବେ ଏକ ପତ୍ର ଦେଇଛନ୍ତି। ଶ୍ରୀ ପ୍ରଧାନୀ ଦିର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ବ ଦଳରେ ସୃଙ୍ଖଳିତ ଭାବେ ରହି ଦଳୀୟ ସଂଗଠନକୁ ସୁଦୃଢ କରିଥିଲେ। କୋକସରା ଠାରେ ବିଜେଡ଼ି ଦଳ ଦୀର୍ଘ ୫/୭ ବର୍ଷ ହେବ ଠିକ୍ ଭାବରେ ପରିଚାଳିତ ହେଉ ନାହିଁ। ଏହାକୁ ନେଇ ବାରମ୍ବାର ଜିଲ୍ଲା ସଭାପତିଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୈାଣସି ପ୍ରତିକାର ହେଲା ନାହିଁ, ଏଣୁ ନିମ୍ନ ମାନସିକତା ବ୍ୟକ୍ତି ମାନଙ୍କ ସହିତ ମୋ ଭଲି କର୍ମୀ ଦଳରେ ରହି କାମ କରିବା ସମ୍ଭବ ନୁହେଁ ବୋଲି ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନୀ ଅଞ୍ଚଳର ଜଣେ ଜଣାଶୁଣା ଓ ଅଭିଜ୍ଞ ନେତା, ତାଙ୍କ ନେତୃତ୍ବରେ ଅନେକ ବ୍ୟକ୍ତି କୋକସରା ବ୍ଳକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆସନରେ ବସିଥିବାବେଳେ ଏକାଧିକ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମଧ୍ୟ ଜିତାଇ ସାରିଛନ୍ତି। ଦଳୀୟ ସଂଗଠନକୁ ଦିର୍ଘ ବର୍ଷରୁ ତୃଣମୂଳ ସ୍ତରରେ ସୁଦୃଢ କରିପାରିଥିବା ଶ୍ରୀ ପ୍ରଧାନୀ ନିର୍ବାଚନ ସମୟରେ ଇସ୍ତଫା ଦେଇଥିବାରୁ ବିଜେଡ଼ି ଉପରେ ଅନେକ ପ୍ରଭାବ ପଡ଼ିବା ନେଇ ଆଶଙ୍କା ରହିଛି। ତେବେ ଆଗକୁ ସେ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ କରି ନାହାଁନ୍ତି।





