ଗୋଟିଏ ଦିନରେ ୫୪ ମାମଲା, ୧.୩୧ ଲକ୍ଷର ଜରିମାନା ଆଦାୟ
ସୋନପୁର,୨୫/୬ : ସୁବର୍ଣ୍ଣପୁର ଜିଲାରେ ସଡକ ଦୁର୍ଘଟଣା ହ୍ରାସ ପାଇଁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ସଡକ ସୁରକ୍ଷା କମିଟି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଜିଲାରେ ନୋ ହେଲମେଟ୍ ନୋ ପେଟ୍ରୋଲ୍ ନିୟମ କଡାକଡି ଭାବେ ଲାଗୁ କରାଯିବା ସହ ସହିତ ନିଶାଶକ୍ତ ଅବସ୍ଥାରେ ଗାଡିଚାଳକ, ତିନି ଜଣ ବସିଥିବା ବାଇକ, ମେବାଇଲରେ କଥା ହୋଇ ଗାଡିଚାଳନା କରୁଥିବା ଓ ବିନା ହେଲମେଟ୍ ଗାଡିଚାଳନା କରୁଥିବା ଚାଳକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ପାଇଁ ଉଭୟ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।
ସୋମବାର ପ୍ରଥମ ଦିନରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମୋଟ ୫୪ଟି ମୋଟର ଯାନ ଆଇନ ଉଲ୍ଲଙ୍ଘନ ମାମଲା ରୁଜୁ ହୋଇଥିବା ବେଳେ ଏମାନଙ୍କ ଠାରୁ ମୋଟ ୧ ଲକ୍ଷ ୩୧ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଚାଲାଣ କଟାଯାଇଛି । ସୋମବାର ପୂର୍ବାହ୍ନରେ ଆଞ୍ଚଳିକ ପରିହନ ବିଭାଗର ମୋଟର ଯାନ ଯାଞ୍ଚ ଅଧିକାରୀ ରବିନ ପଟ୍ଟନାୟକ ସୋନପୁର-ବିନିକା ରାସ୍ତାର କଳାପଥର ଛକ ନିକଟରେ ଗାଡିମୋଟର ଯାଞ୍ଚ କରି ଆଇନ ଉଲ୍ଲଘଂନ କରୁଥିବା ୨୧ ଜଣ ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ସେମାନଙ୍କ ଠାରୁ ୭୩ ହଜାର ଶହେ ଟଙ୍କା ଜରିମାନା ଆଦାୟ ପାଇଁ ଅନ୍ଲାଇନ୍ ଚାଲାଣ କାଟିଛନ୍ତି । ସେହିପରି କନିଷ୍ଠ ମୋଟର ଯାନ ଯାଞ୍ଚ ଅଧିକାରୀ ଜନକୁମାର କୁଲୁ ୩୩ଟି ମାମଲା ରୁଜୁ କରି ମୋଟ ୫୮ ହଜାର ଶହେ ଟଙ୍କା ଅନ୍ଲାଇନ୍ ଚାଲାଣ କାଟିଥିବା ବେଳେ ମଦ୍ୟପାନ କରି ବାଇକ୍ ଚାଳନା କରୁଥିବା ସିଜି- ୦୪ – ଏଚ୍ ୟୁ – ୬୯୪୨ ନମ୍ବର ବିଶିଷ୍ଟ ଏକ ବାଇକକୁ ଜବତ କରିଛନ୍ତି ।
ତେବେ ଚାଲାଣ କଟାଯାଇଥିବା ବାଇକ ଚାଳକ ମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜରିମାନା ପୈଠ ନକଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗାଡିମୋଟର ଯାଞ୍ଚ ସମୟରେ ସୋନପୁର ଥାନାର ପୁଲିସ ଏଏସ୍ଆ ଏକାଦଶିଆ ପ୍ରଧାନଙ୍କ ସହ ଉଭୟ ପୁଲିସ ଓ ପରିବହନ ବିଭାଗର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇