କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ଅବିନାଶ ଠାକୁରଙ୍କୁ ନିଯୁକ୍ତି ଦିଆଯାଇଛି। ଜଣେ ସୁବକ୍ତା ଭାବରେ ପରିଚିତ ଅବିନାଶ କଲେଜ ସମୟରୁ ନେତୃତ୍ୱ ନେଇ ଆସୁଛନ୍ତି। ୨୦୦୮-୯ ମସିହାରେ ସେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ସାମିଲ ହୋଇ ବିଜୁ ଛାତ୍ର ଜନତା ଦଳର ଲଗାତାର ୩ଥର ଜିଲ୍ଲା ସଭାପତି ହେବାପରେ ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ଯକାରୀ ସଭାପତି ପଦବୀ ଦିଆଯାଇଥିଲା। ସେ ପଶ୍ଚିମ ଓଡ଼ିଶାର ଛାତ୍ର ନେତୃତ୍ୱ ନେବା ସହ ଦଳର ବିଭିନ୍ନ ପଦ ପଦବୀରେ ରହିଆସୁଥିଲେ। ଏପରିକି ବିଜେଡି ସରକାର ସମୟରେ ତାଙ୍କ ଦଳ ପ୍ରତି ଆନୁଗତ୍ୟ ଓ ବଳିଷ୍ଠ ନେତୃତ୍ୱ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଭାବରେ ନିଯୁକ୍ତି ମିଳିଥିଲା। ପୂର୍ବରୁ ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ୨ଥର ଜିଲ୍ଲା ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିଲେ। ଏଥର ଦଳ ଅବିନାଶ ଭଳି ଜଣେ ଯୁବ ଚେହେରାକୁ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତି ଦେଇ ଏକ ଭିନ୍ନ ବାର୍ତ୍ତା ଦେଇଛି। ଏହି ଖବର ପ୍ରସାରିତ ହେବା ପରେ ନବନିଯୁକ୍ତ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅବିନାଶ ଠାକୁରଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.