୩ ରେଳବାଇ କର୍ମଚାରୀ ମୃତ, ୩ ଷ୍ଟେସନ୍ ମାଷ୍ଟର ନିଲମ୍ବିତ
ରାୟଗଡ,୨୫/୬: ରାୟଗଡ-କୋରାପୁଟ କେଆର ଲାଇନ ମଧ୍ୟରେ ଥିବା ସିଙ୍ଗାପୁର ରୋଡ-କେଉଟଗୁଡା ମଧ୍ୟରେ ଗାଦୁଆଗୁଡା ଗ୍ରାମ ନିକଟ ରେଳଧାରଣାରେ ଟ୍ରେନ ନମ୍ବର ୧୮୦୦୫ ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଓ ଗୋଟିଏ ଟାୱାର କାର ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଏକ୍ସପ୍ରେସଟି ଲାଇନଚ୍ୟୁତ ହେବା ସହ ଦୁଇଟିଯାକ ଇଂଜିନରେ ନିଆଁ ଲାଗିଯିବା ଫଳରେ ଘଟଣାସ୍ଥଳରେ ୩ଜଣ ରେଳବାଇ କର୍ମଚାରୀଙ୍କ ମୃତ ହୋଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକମାନେ ହେଲେ ଟାୱାର କାର ରକ୍ଷାଣବେକ୍ଷଣର ଟେକ୍ନିସିଆନ ସୁରେଶ,ରାୟଗଡ ରେଳବାଇ ଇଲେକ୍ଟ୍ରିକାଲ ବିଭାଗର ସେକ୍ସନ ଇଂଜିନିୟର ସାଗର ଓ ଟେକ୍ନିସିଆନ ଗୈାରୀ ନାଇଡୁ ବୋଲି ଜଣାପଡିଛି ।

ତେବେ ଏହି ଘଟଣା ଘଟିବାରେ ମୂଳ କାରଣ ସାଜିିଥିବା ତଥା ନିଜ ଡ୍ୟିୁଟିରେ ଅବହେଳା କରିଥିବା କେଉଟଗୁଡା ଷ୍ଟେସନ ମାଷ୍ଟର ଏ.ତପୋ,ସିଙ୍ଗାପୁର ରୋଡ-ଏ-କେବିନ ଜୟ ପ୍ରସାଦ ଓ ସିଙ୍ଗାପୁର ରୋଡ ଷ୍ଟେସନ ମାଷ୍ଟର ବି.ପ୍ରଧାନଙ୍କୁ ପୂର୍ବତଟ ରେଳବାଇ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରାଥମିକ ସ୍ତରରେ ନିଲମ୍ବିତ କରାଯାଇଥିବା ନେଇ ପୂର୍ବତଟ ରେଳବାଇ ୱାଲଟିୟର ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣା ସମ୍ବନ୍ଧରେ ମିଳିଥିବା ସୂଚନା ପ୍ରକାରେ ଆଜି ଅପରାହ୍ନ ସାଢେ ୪ଟା ସମୟରେ ୧୪୮ଜଣ ରେଳ ଯାତ୍ରୀଙ୍କୁ ନେଇ ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଲପୁର ଅଭିମୁଖେ ଯାଉଥିବା ସମୟରେ ରାୟଗଡ-କୋରାପୁଟ ରେଳବାଇ ସେକ୍ସନର ସିଙ୍ଗାପୁର ରୋଡ-କେଉଟଗୁଡା ଷ୍ଟେସନ ମଧ୍ୟରେ ଗୋଟିଏ ଟ୍ରାକରେ ହିଁ ବିପରୀତ ଦିଗରୁ ସିଙ୍ଗାପୁର ରୋଡକୁ ଆସୁଥିବା ଏକ ଟାୱାର କାର (ଓଏଚଇ ନୀରିକ୍ଷଣ କାର)ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କାଟି ଏତେ ଜୋରରେ ହୋଇଥିଲା ଯେ ସମଲେଶ୍ୱରୀ ଏକ୍ସପ୍ରେସର ଇଂଜିନ ସହ ତାକୁ ଲାଗି ରହିଥିବା ଗାର୍ଡ କମ୍ ଲଗେଜ ଭ୍ୟାନଟି ଲାଇନଚ୍ୟୁତ ହୋଇଥିବା ବେଳେ ଦୁଇଟିଯାକ ଗାଡିରେ ନିଆଁ ଲାଗିଯାଇଥିଲା । ତେବେ ନିଆଁଟି ଅନ୍ୟ ବଗିଗୁଡିକକୁ ନ ବ୍ୟାପିଥିବା ବେଳେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ରହିଥିଲେ ।

ଘଟଣା ସମ୍ବନ୍ଧରେ ଖବର ପାଇ ରେଳବାଇର ସମସ୍ତ ଉଚ୍ଚ କର୍ତୁପକ୍ଷଙ୍କ ସହ ଉଦ୍ଧାରକାରୀ ଦଳ,ଆରପିଏଫ,ଜିଆରପିଏସ ସମସ୍ତ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ଜିଲ୍ଳା ଏସ.ପି.ସର୍ବଣା ବିବେକ ଏମ.,ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ଅତିରିକ୍ତ ଜିଲ୍ଳା ଏସ.ପି. ଭି.ଆର.ରାଓ,ଏସଡିପିଓ ତପନ ନାରାୟଣ ରଥ,ଜିଲ୍ଳା ଅଗ୍ନିଶମ ଅଧିକାରୀ ସୁନାନୀ ବାବୁଙ୍କ ସମେତ ବହୁ ଜିଲ୍ଳା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ଅଗ୍ନିଶମ ବାହିନୀର ସମସ୍ତ ଗାଡିଗୁଡିକ ଘଟଣାରେ ବ୍ୟବହୃତ ହୋଇଥିବା ବେଳେ ନିଆଁକୁ ଆୟତ କରାଯାଇ ମୃତକମାନଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ୧୦୮ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ଶବକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାସ୍ଥଳରୁ ରେଳଯାତ୍ରୀମାନଙ୍କୁ ରାୟଗଡ ଷ୍ଟେସକୁ ଅଣାଯାଇ ସମସ୍ତଙ୍କ ପାଇଁ ରେଳବାଇ ତରଫରୁ ଖାଇବା ବ୍ୟବସ୍ଥା କରାଯାଇଥିଲା ଏବଂ ସେମାନଙ୍କୁ କୋରାପୁଟ ଓ ଜଗଦଲପୁର ପଠାଯିବା ପାଇଁ ପାଇଁ ଦୁଇଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିଲା ।

ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି କୋଲାକତାର ରେଳବାଇ ସୁରକ୍ଷା ଆୟୁ୍କ୍ତଙ୍କ ଦ୍ୱାରା ତଦନ୍ତ କରାଯିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମୃତକଙ୍କ ପରିବାରକୁ ସମସ୍ତ କ୍ଷତିପୂରଣ ଓ ସହାୟତା ପ୍ରଦାନ ପାଇଁ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଜଗଦଲପୁର –ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସକୁ ରାୟଗଡ ପରିବର୍ତେ କୋରାପୁଟ ଷ୍ଟେସନରୁ ଭାୟା ବିଜୟନଗରମ ଦେଇ,କୋରାପୁଟ-ରାଉରକେଲା ଏକ୍ସପ୍ରେସକୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ,ସମ୍ବଲପୁର-କୋରାପୁଟ ପାସେଂଜର ଟ୍ରେନକୁ ରାୟଗଡ ପର୍ଯ୍ୟନ୍ତ ଏବଂ ସମଲେଶ୍ୱରୀ ଏକ୍ସପ୍ରେସକୁ ରାୟଗଡ ଠାରୁ ହାୱଡା ପର୍ଯ୍ୟନ୍ତ ଯାତାୟାତ ପାଇଁ ରୁଟ୍ ବଦଳା ଯାଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ଇଂଜିନ ଯୋଗେ ଦୁଇଟି ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଘଟଣାସ୍ଥଳରୁ କାଢିଦିଆଯାଇଥିବା ଜଣାପଡିଛି ।
ରାୟଗଡ଼ାରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in






