ସ୍କୁଟିନୀରେ ୧୬ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ କାୟମ

ରିଟର୍ନିଙ୍ଗ ଅଧିକାରୀ ନିଷ୍ପତ୍ତିକୁ ଅସନ୍ତୋଷ ଜାହିର କାରି ବିଜେପିର ହୋ ହାଲ୍ଲା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାର ଦୁଇ ବିଧାନସଭା ଆସନ ଖଡ଼ିଆଳ ଓ ନୂଆପଡା ପାଇଁ ଯଥାକ୍ରମେ ୭ ଓ ୯ ଜଣ ପ୍ରାର୍ଥୀଙ୍କର ସ୍କୁଟିନିରେ ପ୍ରାର୍ଥୀତ୍ୱ କାୟମ ରହିଛି। ତେବେ ଖଡ଼ିଆଳର ବିଧାନସଭା ଆସନ ପାଇଁ ଅଧୀରାଜ ପାଣିଗ୍ରାହୀ (ବିଜେଡି), ହିତେଶ କୁମାର ବଗର୍ତ୍ତୀ (ବିଜେପି), କମଲ ଚରଣ ତାଣ୍ଡି (କଂଗ୍ରେସ), ଉଦ୍ଧବ ମାଝୀ (ଓଜେପି), ବୁଢାରୁ ବିହାର (ସମାଜବାଦୀ ପାର୍ଟି), ଶ୍ରୀକାନ୍ତ ଚାଟର୍ଜି (ସ୍ୱାଧୀନ), ରଙ୍ଗାଧର ମାଝୀ (ସ୍ୱାଧୀନ) ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ କାୟମ ରହିଥିବା ବେଳେ ନୂଆପଡା ବିଧାନସଭା ଆସନରେ ରାଜେନ୍ଦ୍ର ଢୋଲକିଆ (ବିଜେଡି), ଶରତ ପଟ୍ଟନାୟକ (କଂଗ୍ରେସ), ଅଭିନନ୍ଦନ ପଣ୍ଡା (ବିଜେପି), ଘାସିରାମ ମାଝୀ (ସ୍ୱାଧୀନ), ଲୋଚନ ସିଂ ମାଝୀ (ସମାଜବାଦୀ ପାର୍ଟି), ସୋମନାଥ ଖମାରି (ସ୍ୱାଧୀନ), ସୁରେନ୍ଦ୍ର ପଣ୍ଡା (ସମୃଦ୍ଧ ଓଡିଶା), ସୁକଧର ଦଣ୍ଡସେନା (ବିଏସପି), ଭୁଜବଲ ଆଡ଼ବଙ୍ଗ (ସ୍ୱାଧୀନ) ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ କାୟମ ରହିଛି। ତେବେ ନୂଆପଡା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ରାଜେନ୍ଦ୍ର ଢୋଲକିଆ ବିଜେଡି ପ୍ରାର୍ଥୀଙ୍କର ସ୍କୁଟନି ପ୍ରକ୍ରିୟା ସମୟରେ ବିଜେପି ପକ୍ଷ ଓକିଲ ରିଟର୍ନିଙ୍ଗ ଅଧିକାରୀ ଯୋଗେନ୍ଦ୍ର ମାଝୀଙ୍କର ନିଷ୍ପତ୍ତିକୁ ଅସନ୍ତୋଷ ଜାହିର କରିଥିଲେ। ଏହାକୁ ନେଇ ବିଜେପି କର୍ମୀ କେମ୍ପସରେ ହୋ ହାଲ୍ଲା କରିବା ସହିତ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଯାଇଥିଲା। ଏ ନେଇ ଉଭୟ ପ୍ରଶାସନ ଓ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଚଳିତ ମାସ ୨୯ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ୩୦ ତାରିଖରେ ନିର୍ବାଚନି ଆୟୋଗ ତରଫରୁ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ଦିଆଯିବ ବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.