ଓଡ଼ିଶାରେ ସରକାର ପରିବର୍ତ୍ତନ ନିଶ୍ଚିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ବୁଧବାର ଦିନ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ସରକାର ପରିବର୍ତ୍ତନ ନିଶ୍ଚିତ। ଏଣୁ ବିଜେପିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓ ଏବଂ ଜିଲ୍ଲାର ୫ ଗୋଟି ବିଧାନସଭାର ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜିତାଇବାକୁ ଶ୍ରୀ ସିଂ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ତ୍ରିପୁରାର ପୂର୍ବତନ ମୂଖ୍ୟମନ୍ତ୍ରୀ ବିପ୍ଲବ ଦେବ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ବିଷଦ ଆଲୋକପାତ କରିଥିଲେ। ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ଭବାନୀପାଟଣା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଜୋଷୀ ଓ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ବିରୋଧି ବିଜେଡ଼ି ଓ କଂଗ୍ରେସକୁ ସମାଲୋଚନା କରିବା ସହ ରାଜ୍ୟରେ ଏଥର ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ସଭା ସଂଯୋଜନା କରିଥିବାବେଳେ ମଞ୍ଚରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମଞ୍ଚାସୀନ ଥିଲେ। ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।