ଦାନେ କୁଂଠିତ କାହିଁକି ବରଷା,
ତୁ ଯେ ମହୀର ସକଳ ଭରସା।
ତୁ କି ଏମଂତ ଭାବୁଥାଉ ମନେ,
ମହୀ ରହିଛି ସାଗର ବେଷ୍ଟନେ;
ତା’କୁ ନଥିବ ଜଳର ଅଭାବ,
ହେଲେ ନ ଜାଣୁ ତୁ ଲୋକସ୍ବଭାବ।
ବଡ଼ ହେଲେହେଁ ଯେ ନୀଚ ହୃଦୟ,
କେବେ ହୋଇଛି କି ପରେ ସଦୟ?
ମହୀ ମଲେହେଁ ହୋଇ ଶୁସ୍କକଂଠ,
ସିଂଧୁ ସଲିଳ ବିଂଦୁ ଲାଭ କଷ୍ଟ।
କ୍ଷୁଦ୍ର ହେଲେହେଁ ମହୀକି ଅଚଳ,
ଉଚ୍ଚହୃଦୟ ହେତୁ ଦିଏ ଜଳ।
x x x x x
ନିଜେ ବିତରି ନଜାଣେ କୃପଣ,
ଖଂଟେ ନିଅଂତି ବଳେ ତା’ର ଧନ।
ଖଂଟ ହେଲେହେଁ ପରକୁ ପ୍ରଦାନ,
କରିଜାଣେ ଯେ ସେ ଲୋକ ପ୍ରଧାନ।
ନିଜେ ତୁ କରିନାହୁଁ ଖଂଟପଣ,
ଗ୍ରୀଷ୍ମ ଦେଇଛି ତୋ’ କରେ ଅର୍ପଣ।
ତୁହି ମହୀକି ଦେବୁ ଯେତେ ଜଳ,
ଦେବ ସିଂଧୁକୁ ନ ଥୋଇ ସକଳ।
ନିଚହୃଦୟ ସଂଚି ରଖେ ଧନ,
ସାଧୁ ସାଧଇ ଲୋକପ୍ରୟୋଜନ।
ଫଳ ପ୍ରସୂନ ବସ୍ତ୍ର ଉପାଦାନ,
ମହୀ କରିବ ଜୀବକୁଳେ ଦାନ।