ମହଗାଁ-ସରିଆଁ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାପାଇଁ ଉଠିଲା ଦାବି 

ରାସ୍ତା ନିର୍ମାଣ ନହେଲେ ଆନ୍ଦୋଳନ ଚେତାବନୀ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ମହଗାଁ ଠାରୁ ସରିଆଁ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ପ୍ରବଳ ଦାବି ହୋଇଛି। କେସିଙ୍ଗା ବ୍ଲକର ମହଗାଁ ଠାରୁ ନର୍ଲା ବ୍ଲକର ସରିଆଁ ପର୍ଯ୍ୟନ୍ତ ସଂଯୁକ୍ତ ହୋଇଥିବା ମାଟି ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଚାରି ଚକିଆ ଯାନ କଥା ଦୂରେଥାଉ ବାଇକ୍ ଚଳାଇ ଯିବା ମଧ୍ୟ କଷ୍ଟ ହୋଇ ଉଠିଛି। ରାସ୍ତା ଖାଲଖମାରେ ଭରି ରହି ମରଣଯନ୍ତା ପାଲଟିଛି। ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିବାବେଳେ ପ୍ରଶାସନର ନିଦ୍ରା ଭଙ୍ଗ ହେଉନାହିଁ। ମହଗାଁ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଏଠାକାର ଅଧିବାସୀ ପଡୋଶୀ ନର୍ଲା ବ୍ଲକର ସରିଆଁ ଗ୍ରାମ ଉପରେ ନିର୍ଭରଶୀଳ। ଶିକ୍ଷା, ସ୍ବାସ୍ଥ୍ୟ ଓ ବାଣିଜ୍ୟ ପାଇଁ ମହଗାଁ ଗ୍ରାମବାସୀ ସବୁବେଳେ ସରିଆଁ ଗ୍ରାମ ଉପରେ ନିର୍ଭର କରିଥାନ୍ତି। ଉତ୍ତମ ମାନର ଶିକ୍ଷା ପାଇଁ ସରିଆଁ ହାଇସ୍କୁଲକୁ ପଢ଼ିବା ପାଇଁଁ ଯାଇଥାନ୍ତି ମହଗାଁ ତଥା ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ। ତେବେ ବର୍ଷା ଚାରିମାସ ରାସ୍ତାର ଦୂରାବସ୍ଥା ଯୋଗୁଁ ସେମାନେ ସ୍କୁଲ ଯିବା ଅସମ୍ଭବ ହୋଇ ପଡ଼ିଥାଏ। ଗ୍ରାମର ଜନସାଧାରଣ ମଧ୍ୟ ବର୍ଷା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମହଗାଁ-ସରିଆଁ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ, ଦେଓଗାଁ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଡମ୍ବରୁଧର ପଟ୍ଟନାୟକ, ଗାଇଗାଁ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୋଦ ସାହୁ, ଗୋକୁଳେଶ୍ବର ସରପଞ୍ଚ ଶ୍ରୀଯୁକ୍ତ କେଶୁଲାଲ ତାଣ୍ଡି, ସରିଆଁ ସରପଞ୍ଚ ଶ୍ରୀଯୁକ୍ତ ଓମପ୍ରକାଶ ଛତ୍ରିଆ, କଳାହାଣ୍ଡିର ବିଶିଷ୍ଟ ସମାଜସେବୀ ତଥା କୁଣ୍ଡାବନ୍ଧ ସମିତି ସଭ୍ୟ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ, କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ଶ୍ରୀଯୁକ୍ତ ମୋହନ ଶବର, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ମହଗାଁ ୧ନଂ ଓ୍ବାର୍ଡ ସଭ୍ୟ ଅରବିନ୍ଦ ଶବର, ମହଗାଁ ୨ନଂ ଓ୍ବାର୍ଡ ସଭ୍ୟ କୃପାସିନ୍ଧୁ ଶବର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶରୀ ଶବର, ପୂର୍ବତନ ସମିତି ସଭ୍ୟ ଗଜିନ୍ଦ୍ର ଶବର, ଡମ୍ ସମାଜର ଉପସଭାପତି ଅନିଲ ବେହେରା, ବୁଦ୍ଧିଜୀବୀ ଓ ଗ୍ରାମବାସୀ ବୃନ୍ଦ ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ସୁଫଳ ମିଳିପାରିନାହିଁ। ପୂର୍ବରୁ କେନ୍ଦ୍ରୀୟ ଟିମ୍ ମଧ୍ୟ ମହଗାଁ ଠାରୁ ସରିଆଁ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ଆକଳନ କରିଥିଲେ। ତେବେ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଏହି ରାସ୍ତା ନିର୍ମାଣ ହୋଇପାରିନାହିଁ। ତେଣୁ ତୁରନ୍ତ ମହଗାଁ-ସରିଆଁ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବାପାଇଁ ମହଗାଁରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯଦି ପ୍ରଶାସନ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କରେ ସାମିଲ ନକରେ ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ମହଗାଁ ଠାରୁ ସରିଆଁ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.