କନହେଇ କୌଣସି ଧାରାରେ ବିଶ୍ୱାସ କରୁନଥିଲେ, ସେ ନିଜେ ହିଁ ଧାରା ତିଆରି କରୁଥିଲେ
ବାଲେଶ୍ଵର,୨୮/୬: କନହେଇ ଥିଲେ ପ୍ରଚଣ୍ଡ ସାହସୀ। ସେ ଯୋଜନାବଦ୍ଧ ହୋଇ ଗପ ଲେଖୁନଥିଲେ। ତାଙ୍କ ଗପରେ ତେଣୁ ବାସ୍ତବତାର ଦାରୁଣ ଚିତ୍ର ଅବିକଳ ଓହ୍ଲେଇ ଆସୁଥିଲା।
ସତୁରୀ ଦଶକରେ ଓଡ଼ିଆ କଥାସାହିତ୍ୟର ଯେଉଁ ପଟ୍ଟପରିବର୍ତ୍ତନ ହୋଇଥିଲା ସେଥିରେ କନହେଇଲାଲ୍ ଦାସ ଥିଲେ ଆଗରେ। ସେତେବେଳେ ଜଗଦୀଶ ମହାନ୍ତି, ସତ୍ୟ ମିଶ୍ର, ରବି ପୁହାଣ ପ୍ରଭୃତି ଓଡିଆ ଗଳ୍ନର ମୋଡକୁ ବଦଳେଇ ଆଣ୍ଟି-ହୀରୋ ଧାରାରେ ଲେଖା ଆରମ୍ଭ କଲେ। ଗଳ୍ପ ନାୟକକୁ ଆଣ୍ଟି ହୀରୋ କରି ପାଠକ ସାମ୍ନାକୁ ଆଣିବା ଦ୍ଵାରା କଥାସାହିତ୍ୟର ଦୃଶ୍ୟପଟ ବଦଳିଲା। ତା ପୂର୍ବରୁ ସୁରେନ୍ଦ୍ର ମହାନ୍ତି ସମୟରେ ବ୍ୟକ୍ତିବାଦ ଓ ପରେ ପରେ ବୋହେମିଆନ୍ ଚରତ୍ରକୁ ନେଇ ସମୃଦ୍ଧ ଥିବା ଗଳ୍ପଧାରାକୁ କନହେଇଲାଲ୍ ଓଗେର୍ ଆଶ୍ଚର୍ଯ୍ୟଜନକ ଭାବେ ଭାଙ୍ଗିଲେ। କନହେଇ ନୂଆ ଧାରାର ହେଲେ ପ୍ରବର୍ତ୍ତକ।
ସ୍ଥାନୀୟ ହୋଟେଲ କଳିଙ୍ଗ ସଭାଗୃହରେ କନହେଇଲାଲ୍ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହ ଓ କନହେଇ କଥା ପୁରସ୍କାର ପ୍ରଦାନ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାମାବାଦୀ ଲେଖିକା ଡ. ସରୋଜିନୀ ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଅଭିଭାଷଣ ରଖିଥିଲେ। ପ୍ରାରମ୍ଭରେ ଆବାହକ କବି ଶ୍ରୀଦେବ ମଞ୍ଚ ଆହ୍ଵାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ଉତ୍ପଳ ମହାନ୍ତି ବିବରଣୀ ପାଠ କରିଥିବା ବେଳେ କମର୍ଦ୍ଦା ସ୍ଥିତ ସ୍ମୃତି ସଂସଦର ସମ୍ପାଦକ କିଶୋରୀ କିଙ୍କର ଦାସ କନହେଇଙ୍କ ସ୍ମୃତିଚାରଣ କରିବା ସହ ଜୁଲାଇ ୨୭ରେ କନହେଇଲାଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଥା ସୂଚନା ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ହରିଶ୍ଚନ୍ଦ୍ର ବେହେରା ଏହି ଉତ୍ସବରେ କନହେଇଲାଲଙ୍କ ଗଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ଯୁବ କଥାକାର ଅମରେଶ ବିଶ୍ଵାଳଙ୍କୁ ପଞ୍ଚମ କନହେଇ କଥା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ଵରୂପ ପାଞ୍ଚ ହଜାର ଅର୍ଥ ରାଶି, ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ସଂସଦର କାର୍ଯ୍ୟକାରୀ ସଭାପତି କବି କୃଷ୍ଣ କୁମାର ମହାନ୍ତି। ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସହ ସମ୍ପାଦକ ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।