ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳକୁ ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ରାୟଗଡାରୁ ନର୍ଲା, ମ.ରାମପୁର ଦେଇ ବଲାଙ୍ଗୀର, ବରଗଡ ପଟେ କଲିକତା ଯାଇଥିବା ରାସ୍ତା ଦେଇ ଭାରିଯାନ ଗୁଡିକ ଯାଉଥିବା ଦେଖିବାକୁ ମିଳୁଛି। ଜନସାଧାରଣଙ୍କ ଦୀର୍ଘ ବର୍ଷର ଦାବୀ ପରେ ଭବାନୀପାଟଣାରୁ ନର୍ଲା ଦେଇ ଭୁବନେଶ୍ୱର ଯାଇଥିବା ରାଜ୍ୟରାଜପଥର ଉନ୍ନତିକରଣ କରାଯାଇଥିଲା। ଏବେ ଭବାୀପାଟଣାରୁ – ମ. ରାମପୁର ପର୍ଯ୍ୟନ୍ତ ୬୫ କି.ମି. ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟକ୍ରମ ଚାଳିଛି। ବେଦାନ୍ତ କମ୍ପାନୀ ଲାଞ୍ଜିଗଡକୁ ଚାଲୁଥିବା ଆଲୁମିନା ବୋଝେଇ ଟ୍ରକ ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ୧୮ ଓ ୨୦ ଚକିଆ ଭାରିଯାନ ଗୁଡିକର ଚଳାଚଳ ଫଳରେ ଛତିକୁଡାରୁ ଭବାନୀପାଟଣା ଓ ଦେପୁର ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଥିପାଇଁ ଛତିକୁଡା ବ୍ରୀଜ୍ ର ପରମାୟୁ ମଧ୍ୟ ଶେଷ ହେବାକୁ ବସିଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି। ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭାରିଯାନ ଗୁଡିକ ଛତିକୁଡାରୁ ଭବାନୀପାଟଣା ପଟେ ୪ କି.ମି. ଯିବାପରେ ଦେପୁରରୁ ସର୍ଟକଟ ରାସ୍ତାଦେଇ ପାଷ୍ଟିକୁଡି ଛକରେ ବାହାରି କେସିଙ୍ଗା ଦେଇ ବରଗଡ, ସମ୍ବଲପୁର ଓ କଲିକତା ଯାଉଥିବା ଜଣାପଡିଛି। ଏବେ ଅଧାରୁ ଅଧିକ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଭାରିଯାନ ଗୁଡିକ ଛତିକୁଡା ଛକରୁ ନର୍ଲା ୧୪ କି.ମି. ନର୍ଲା ଦେଇ ୨୫ କି.ମି. ମ.ରାମପୁର ପଟେ ହୋଇ ଅମାଟ ଛକରୁ ବଲାଙ୍ଗୀର, ବରଗଡ, ସମ୍ବଲପୁରରୁ କଲିକତା ଯାଉଛନ୍ତି। ଛତିକୁଡାରୁ ଭବାନୀପାଟଣା ପଟେ ହଜାର ହଜାର ଭାରିଯାନ ଚାଲିବା ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହା ଗତବର୍ଷ ନିର୍ମିତ ହୋଇଛି। ନର୍ଲା ରାସ୍ତାଦେଇ ଶହଶହ ଭାରିଯାନ, ବେଦାନ୍ତ ଟ୍ରକ ଚାଲିବା ଫଳରେ ଏବେ ନର୍ଲା ଦେଇ ଯାଇଥିବା ସୁନ୍ଦର ଓ ଚିକ୍କଣିଆ ରାସ୍ତାଟିକୁ ଖାଇଦେବାକୁ ବସିଛନ୍ତି ଭାରିଯାନ ଗୁଡିକ। ଅବଶ୍ୟ ବର୍ଷତଳେ ଛତିକୁଡ଼ାରୁ ଦେପୁର ଛକ ଯାଏଁ ରାସ୍ତା ନିର୍ମିତ ହୋଇ ସାରିଛି। ଏହି ଅପ୍ରତ୍ୟାଶିତ ଭାରିଯାନ ଗୁଡିକ ଚାଲିବା ଫଳରେ ଏକେରେ ତ ରାସ୍ତା ବରବାଦ ହେବାକୁ ଆରମ୍ଭ କଲାଣି। ଚିକ୍କଣିଆ କଳାମଚ୍ ମଚ୍ ରାସ୍ତାରେ ସ୍ଥାନେ ସ୍ଥାନେ ଖାଲଖମାର ସୃଷ୍ଟି ହେବା ଆରମ୍ଭ କଲାଣି। ଏହାବାଦ୍ ଶରସ୍ୱତୀ ଶିଶୁ ମନ୍ଦିର, ନର୍ଲା ହାଇସ୍କୁଲ, ମାଉଣ୍ଟେନ କିଟ୍ ଇଙ୍ଗଲିସ୍ ମିଡିୟମ ସ୍କୁଲ, ପେସିଫିକ୍ ଇଂଲିସ୍ ମିଡିୟମ ସ୍କୁଲ, ନର୍ଲା ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହା ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏବଂ ପ୍ରତ୍ୟହ ସଂଧ୍ୟା ସମୟରେ ନର୍ଲା ବଜାର ଭିଡ ଜମୁଥିବା ବେଳେ ଏହି ଭାରିଯାନ ଗୁଡିକର ଚଳାଚଳ ବିପଦ ସୃଷ୍ଟି କରିବାରେ ଲାଗିଛି। ନର୍ଲା ପୋଲିସ୍ ଷ୍ଟେସନ ସମ୍ମୁଖ ଦେଇ ଏହି ଭାରିଯାନ ଗୁଡିକ ଚଳାଚଳ କରୁଥିବା ବେଳେ ପୋଲିସ୍ କିଛି ପ୍ରତିକ୍ରୀୟା ପ୍ରକାଶ କରୁନି କିମ୍ବା ପଦକ୍ଷେପ ନେଉନାହିଁ। ଏଣୁ ନର୍ଲା ଜନସାଧାରଣ, ବୁଦ୍ଧିଜିବୀ ମାନେ ଏହି ଭାରିଯାନ ଚଳାଚଳକୁ ନେଇ ପ୍ରତିକ୍ରୀୟା ପ୍ରକାଶ କରି ନର୍ଲାରେ ଦୀର୍ଘ ଦିନ ପରେ ତିଆରି ହୋଇଥିବା ରାଜ୍ୟ ରାଜପଥର ସୁରକ୍ଷା ଦୃଷ୍ଟିରୁ ଓ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ ଏସବୁ ଭାରିଯାନ ଚଳାଚଳକୁ ନର୍ଲା ରାସ୍ତାରେ ବନ୍ଦ କରାଯାଉ। ଯଦି ନର୍ଲା ପୋଲିସ୍ ଏହି ଭାରିଯାନ ଚଳାଚଳକୁ ରୋକିବା ପାଇଁ ଅସମର୍ଥ ତାହେଲେ ରାତି ୧୦ ପରେ ଏହିଭାରିଯାନ ଗୁଡିକୁ ନର୍ଲା ଦେଇ ଯିବାକୁ ଅନୁମତି ଦିଆଯାଉ। ଏହି ଗୁରୁତର ସମସ୍ୟା ପ୍ରତି ନର୍ଲା ପୋଲିସ୍ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ନର୍ଲାବାସୀ ଜନସାଧାରଣ ଓ ବୁଦ୍ଧିଜିବୀ ଅନୁରୋଧ କରିଛନ୍ତି।