ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଢୀପଦରର ପ୍ରଧାନଶିକ୍ଷକ ଡୋଲେଶ୍ବର ସାହୁ ଅବସର ଗ୍ରହଣ କରିଛନ୍ତି। ଏନେଇ ଶୁକ୍ରବାର ବିଦ୍ୟାଳୟ ପରିସରରେ ପୂରାତନ ଛାତ୍ର ସଂସଦ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଗୁଣନିଧି ଧଙ୍ଗଡାମାଝୀ, ସମ୍ମାନିତ ଅତିଥି ଭାବେ ବଲବସପୁର ସିଆସିସି ଜଗଦୀଶ ପ୍ରସାଦ ସାହୁ, ରାକ୍ସି ହାଇସ୍କୁଲର ଶିକ୍ଷକ ରଜନୀକାନ୍ତ ବିଶ୍ବାଳ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ବିଗତ ଦିନର କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ସାହୁଙ୍କ ପ୍ରଚେଷ୍ଟା ଫଳରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷା ସହ କ୍ରିଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍ ପାରଦର୍ଶିତା ଲାଭକରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଡୋଳେଶ୍ବର ସାହୁ ୧୯୯୨ ମସିହା ଅକ୍ଟୋବର ୫ରେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିବାବେଳେ ୨୦୧୨ରେ ଏହି ବିଦ୍ୟାଳୟରେ ଯୋଗଦେଇ ୨୦୨୪ ମଇ ୩୧ରେ ଅବସର ଗ୍ରହଣ କରିଛନ୍ତି। ଆଜିର ସଭାକୁ ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ସଭାପତି ତଥା ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଧଙ୍ଗଡାମାଝୀ ସଂଯୋଜନା କରିଥିବାବେଳେ ଶେଷରେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡୋଳେଶ୍ବର ସାହୁଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ର ସଂସଦର ସଦସ୍ୟ/ସଦସ୍ୟା ଓ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ/ସଦସ୍ୟାମାନେ ସହଯୋଗ କରିଥିଲେ। ସଭା ପରେ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ଏକ ବିରାଟ ପଟୁଆରରେ ନେଇ ତାଙ୍କ ଜନ୍ମମାଟି କେସିଙ୍ଗା ବ୍ଲକର ତୁର୍ଲାରେ ଛାଡ଼ି ଆସିଥିଲେ ବୁଢୀପଦର ଗ୍ରାମବାସୀ।