ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ: ବଳରାମଙ୍କ ହସ୍ତିନା ଉତ୍ପାଟନ

ଶ୍ରୀକୃଷ୍ଣଙ୍କ ବହୁ ପୁତ୍ରଙ୍କ ମଧ୍ୟରେ ଜାମ୍ବବତୀ ନନ୍ଦନ ଶାମ୍ବ ଥିଲେ ଅତ୍ୟନ୍ତ ସୁନ୍ଦର ତଥା ବିଶିଷ୍ଟ ଯୋଦ୍ଧା। ପୁତ୍ର ଶାମ୍ବଙ୍କୁ କୃଷ୍ଣ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ। ମାତ୍ର ଘଟଣାକ୍ରମେ ଶାମ୍ବ, ଭଲପାଇ ବସିଥିଲେ, ଶ୍ରୀକୃଷ୍ଣ ବିଦ୍ୱେଷୀ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣାଙ୍କୁ। କନ୍ୟା ଲକ୍ଷ୍ମଣା, ଯେତେବେଳେ ପିତା ଦୁର୍ଯ୍ୟୋଧନଙ୍କୁ ଏହା ଜଣାଇଲେ ସେତେବେଳେ ମହାମାନୀ ଦୁର୍ଯ୍ୟୋଧନ ଖୁବ୍ କ୍ରୋଧିତ ହୋଇଉଠିଲେ। ଶତ୍ରୁପୁତ୍ର ସହ ନିଜ କନ୍ୟାକୁ ସେ କୌଣସି ମତେ ବିବାହ ଦେବେ ନାହିଁ ବୋଲି ଜିଦ୍ ଧରି ବସିଲେ।
ସେଦିନ ହସ୍ତିନାନଗରୀ ଉତ୍ସବମୁଖର ହୋଇ ଉଠି ଥାଏ, ଦୁର୍ଯ୍ୟୋଧନଙ୍କ କନ୍ୟା, ଲକ୍ଷ୍ମଣାଙ୍କ ସ୍ଵଂୟମ୍ବର ପାଇଁ। ବହୁଦେଶରୁ ରାଜା ମହାରାଜା ଓ ରାଜପୁତ୍ର ମାନେ ଆମନ୍ତ୍ରିତ ହୋଇ ଆସି ପହଞ୍ଚି ଥାନ୍ତି, ହସ୍ତିନା ପୁରରେ। କିନ୍ତୁ ଦ୍ୱାରକାର ଯାଦବ ମାନଙ୍କୁ କୌଣସି ନିମନ୍ତ୍ରଣ ନଥାଏ। ଲକ୍ଷ୍ମଣା କିଛି ଉପାୟ ନପାଇ ଗୋପନରେ ଶାମ୍ବଙ୍କ ନିକଟକୁ ସମ୍ବାଦ ପଠାଇଲେ। ସମ୍ବାଦ ପାଇ, ଶାମ୍ବ ଯାଦବସେନାଙ୍କୁ ଧରି ହସ୍ତିନାରେ ଯାଇ ପହଞ୍ଚିଲେ। ପୂର୍ବ ଯୋଜନା ମୁତାବକ ଶାମ୍ବ, ଲକ୍ଷ୍ମଣାଙ୍କୁ ରଥରେ ବସାଇ ଦ୍ଵାରକା ଅଭିମୁଖେ ଦ୍ରୁତ ଗତିରେ ପଳାୟନ କଲେ। କୃଷ୍ଣପୁତ୍ରଙ୍କ ଔଦ୍ଧତ୍ୟକୁ ଦେଖି ଦୁର୍ଯ୍ୟୋଧନ କ୍ରୋଧିତ ହୋଇଗଲେ। କ୍ରୋଧିତ କୌରବ ମାନେ କହିଲେ, ଆମରି ପ୍ରଦତ୍ତ ଭୂମିରେ ବାସ କରି ଏ ଯାଦବ ମାନେ ଅତି ଉଦ୍ଧତ ହୋଇ ଗଲେଣି। ଏମାନେ ସବୁ, ଶାସ୍ତିର ଯୋଗ୍ୟ। ସମସ୍ତେ ଚାଲ,ଏହି ଦୁଷ୍ଟ ବାଳକକୁ ବାନ୍ଧି ଆଣିବା। ଦେଖିବା, ଯାଦବ ମାନେ ଆମର କଅଣ କରିବେ। ଏପରି କହି କର୍ଣ୍ଣ, ଶଲ୍ୟ, ଭୂରିଶ୍ରବା, ଯଜ୍ଞକେତୁ ଓ ଦୁର୍ଯ୍ୟୋଧନ ଆଦି ପ୍ରସ୍ତୁତ ହୋଇ ଗଲେ। କୁରୁବୃଦ୍ଧ ଭୀଷ୍ମ ଦ୍ରୋଣ ଆଦିଙ୍କ ଅନୁମତି ନେଇ ଶାମ୍ବଙ୍କୁ ଧରି ଆଣିବାପାଇଁ ବାହାରି ପଡ଼ିଲେ। କର୍ଣ୍ଣଙ୍କୁ ଆଗକରି ସେମାନେ ଶାମ୍ବଙ୍କ ନିକଟରେ ପହଞ୍ଚି ପ୍ରବଳ ବାଣ ବର୍ଷା କରିବାରେ ଲାଗିଲେ। ଖୁବ୍ ବୀରତାର ସହ ଲଢ଼ି ମଧ୍ୟ ଶାମ୍ବ ଶେଷରେ ବନ୍ଦୀ ହେଲେ।

ଶାମ୍ବଙ୍କୁ ହସ୍ତିନାରେ କୌରବମାନେ ବନ୍ଦି କରିଛନ୍ତି, ଏ ଖବର ଦେବର୍ଷି ନାରଦଙ୍କ ଠାରୁ ପାଇ, ଯାଦବ ମାନେ ଉଗ୍ରସେନଙ୍କ ନେତୃତ୍ୱରେ କୌରବଙ୍କ ସହ ଯୁଦ୍ଧ କରିବାକୁ ବାହାରି ପଡ଼ିଲେ। ଦୁର୍ଯ୍ୟୋଧନଙ୍କ ଗୁରୁ ଥିଲେ, ବଳରାମ। ତେଣୁ ସେ ଏହି କଳହର ପକ୍ଷପାତୀ ନଥିଲେ। ସେ ଯାଦବ ମାନଙ୍କୁ ବୁଝାଇ ନିଜେ ହସ୍ତିନା ଯାତ୍ରା କଲେ। ବଳରାମ ହସ୍ତିନାନଗର ବାହାର ଉପବନରେ ରହି ଉଦ୍ଧବଙ୍କୁ ଧୃତରାଷ୍ଟ୍ରଙ୍କ ପାଖକୁ ପଠାଇଲେ ତାଙ୍କର ଅଭିପ୍ରାୟ କଅଣ, ଜାଣିବା ପାଇଁ। ଉଦ୍ଧବଙ୍କ ଠାରୁ ବଳରାମ ଆସିଛନ୍ତି ଖବର ପାଇ, କୌରବ ମାନେ ଆସି ତାଙ୍କୁ ପାଛୋଟି ନେଇ ଗଲେ ଓ ପାଦ୍ୟ ଅର୍ଘ୍ୟ ଦେଇ ତାଙ୍କର ପୂଜା କଲେ। ବଳରାମ ଧୀର ଚିତ୍ତରେ କହିଲେ, ଆପଣ ମାନେ ଅଧର୍ମାଚରଣ କରି, ଶାମ୍ବକୁ ବନ୍ଦୀ କରିଛନ୍ତି। ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟ ରକ୍ଷା ପାଇଁ ମୁଁ ଏହି କାର୍ଯ୍ୟକୁ ସହ୍ୟ କରିଛି। ଆପଣମାନେ ଅବିଳମ୍ବେ ଶାମ୍ବକୁ ଆଣି ମୋତେ ଅର୍ପଣ କରନ୍ତୁ। ତାଙ୍କ କଥା ଶୁଣି କୌରବମାନେ କ୍ରୋଧାନ୍ୱିତ ହୋଇ ପଡ଼ିଲେ। ସେମାନେ କହିଲେ, ଦେଖ! କାଳର ଗତି କିପରି ବିଚିତ୍ର। ଗୋଡ଼ର ଜୋତା, ମୁକୁଟ ସେବିତ ମସ୍ତକ ଉପରେ ଚଢ଼ିବାକୁ ଇଚ୍ଛାକରୁଛି। ଏ ଯାଦବମାନେ କେବଳ ବୈବାହିକ ସମ୍ପର୍କ ଯୋଗୁଁ ଆମ ସହ ବସା ଉଠା କରୁଛନ୍ତି। ଆମ ସହ ଖାଉଛନ୍ତି। ଆମ ସହ ଶୋଉଛନ୍ତି। ଆମ ପ୍ରଦତ୍ତ ରାଜ ସିଂହାସନ ଭୋଗ କରୁଛନ୍ତି। ଯାଦବ ମାନଙ୍କୁ କ୍ଷମତା ଦେବାରୁ ଆଜି ସେମାନେ ସର୍ପକୁ କ୍ଷୀର ପାନ ଦେବା ପ୍ରାୟ ଆମକୁ ଭୃକୁଟି ଦେଖାଉଛନ୍ତି। ନିର୍ଲଜ ନ ହେଲେ ଏମାନେ ଆମକୁ ଏପରି ଅବଜ୍ଞା କରନ୍ତେ ନାହିଁ। ଏହିପରି କୌରବମାନେ ବଳରାମଙ୍କୁ ବହୁ ଅଶ୍ରାବ୍ୟ ଓ କୁବାକ୍ୟ ମାନ କହି ନଗର ମଧ୍ୟକୁ ଚାଲିଗଲେ। ରାଗରେ ବଳରାମଙ୍କ ଚକ୍ଷୁ ରକ୍ତବର୍ଣ୍ଣ ହୋଇଗଲା। ସେ କହିଲେ, ମୁଁ ଯୁଦ୍ଧ ଉଦ୍ୟତ, ଯାଦବ ଓ କୃଷ୍ଣଙ୍କୁ ବୁଝାଇ ଶାନ୍ତି କାମନାରେ ଏଠାକୁ ଆସିଥିଲି।‌ କିନ୍ତୁ ଦେଖ ଏହି ପାଷାଣ୍ଡ ମାନଙ୍କୁ, ମୋତେ ଅବଜ୍ଞା କରି କିପରି କୁଭାଷା ପ୍ରୟୋଗକଲେ। ଆମେ ରାଜପଣ ପାଇଁ ଯୋଗ୍ୟ ନୋହୁଁ।‌ ସେମାନଙ୍କ ଦତ୍ତ ପ୍ରସାଦକୁ ଆମେ ଭୋଗକରୁଛୁ। ଆମେମାନେ ହେଲୁ ପାଦର ଜୋତା କୌରବ ମାନେ ହେଉଛନ୍ତି ମୁଣ୍ଡର ମୁକୁଟ। ଓଃ! ଅସହ୍ୟ ଏହି ଅପମାନ। ମଦମତ୍ତ ଏହି ଗର୍ବି କୌରବ ମାନଙ୍କୁ ଥଣ୍ଡା କରିବାକୁ ହେବ। ଆଜି ଏ ପୃଥିବୀକୁ ମୁଁ କୌରବଶୂନ୍ୟ କରିବି।

କ୍ରୁଦ୍ଧ ବଳରାମ, ନିଜ ଲଙ୍ଗଳ ଧରି ଉଠି ପଡ଼ିଲେ। ଜଣା ଯାଉଥାଏ, ଯେପରି ସେ ତ୍ରିଲୋକକୁ ପୋଡ଼ି ଭସ୍ମ କରି ଦେବେ। ସେ ହସ୍ତିନା ପୁରୀକୁ ଉତ୍ପାଟନ କରି ଗଙ୍ଗାରେ ପକାଇ ଦେବାପାଇଁ ନଗରକୁ ତାଙ୍କ ଲଙ୍ଗଳରେ ଆକର୍ଷଣ କରିବାକୁ ଲାଗିଲେ। ହସ୍ତିନା ଜଳରେ ନୌକା ପରି ଟଳମଳ ହେଲା।
କୌରବମାନେ ତ ବଳରାମଙ୍କ ଶକ୍ତି ଓ ସାମର୍ଥ୍ୟକୁ ଜାଣିଥିଲେ। ବର୍ତ୍ତମାନ ହସ୍ତିନା ଗଙ୍ଗାରେ ବୁଡ଼ିବାକୁ ଯାଉଛି ଦେଖି ସେମାନେ ଭୟଭୀତ ହୋଇ ଦଉଡି ଆସି ବଳରାମଙ୍କୁ ସ୍ତୁତି କରିବାକୁ ଲାଗିଲେ। ସେମାନଙ୍କ ସୃତିରେ ସନ୍ତୁଷ୍ଟ ହୋଇ ପ୍ରଭୁ ବଳରାମ ‘ତୁମେମାନେ ଭୟ କରନାହିଁ’ କହି ଅଭୟ ପ୍ରଦାନ କଲେ। ଦୁର୍ଯ୍ୟୋଧନ ବାରଶହ ହସ୍ତୀ, ବାର ଅୟୁତ ଘୋଡ଼ା, ଛଅହଜାର ରଥ ଓ ଏକ ହଜାର ଦାସୀଙ୍କୁ ଯୌତୁକ ସ୍ଵରୁପେ ଦେଇ, କନ୍ୟା ଲକ୍ଷ୍ମଣାଙ୍କ ସହିତ ବଳରାମଙ୍କ ଶରଣ ପଶିଲେ। ସେ ସମସ୍ତ ଯୌତୁକ, ପୁତୁରା ଶାମ୍ବ ଓ ପୁତ୍ରବଧୁ କକ୍ଷ୍ମଣାଙ୍କୁ ଘେନି ଦ୍ଵାରକା ପ୍ରତ୍ୟାବର୍ତ୍ତନ କଲେ। ହସ୍ତିନାପୁରରୁ ପ୍ରଭୁ ବଳରାମ ଫେରି ଆସିଛନ୍ତି ଜାଣି, ଯାଦବ ମାନେ ଆସି ତାଙ୍କୁ ଘେରିଗଲେ। ବଳରାମ ହସ୍ତିନାରେ ଯାହା ଘଟିଲା ସେକଥା କହି ଯାଦବଙ୍କୁ ଖୁସି କରିଦେଲେ। ଶ୍ରୀମଦ୍ଭାଗବତର ଏହି କଥା, ମହାମୁନି ଶୁକ ରାଜା ପରିକ୍ଷିତଙ୍କୁ ଶୁଣାଉ ଥିଲେ। କଥା ଶେଷ କରି ମୁନି କହିଲେ, ପରିକ୍ଷିତ! ଏବେ ମଧ୍ୟ ତୁମ ହସ୍ତିନା ପୁର ଦେଖିବ ଦକ୍ଷିଣରେ ଗଙ୍ଗାଆଡ଼େ ନୀଚ ହୋଇ ରହି ବଳରାମଙ୍କ ବଳ ବିକ୍ରମର ସୂଚନା ପ୍ରଦାନ କରୁଛି।‌ ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ ତେସ୍ତରି ଅଧ୍ୟାୟରେ ଏହା ବର୍ଣ୍ଣନା କଲେ:-

ଅଦ୍ୟାପି ରାମର ଚରିତ।
ହସ୍ତିନା ନଗରେ ବିଦିତ।।
ରାମ ବିକ୍ରମ ଯଶ ଅଛି।
ପୁର ଦକ୍ଷିଣ ଭାଗେ ଲକ୍ଷି।।
ଉତ୍ତର ଭାଗ ନୀଚ ଦିଶେ।
ଯେହ୍ନେ ଜାହ୍ମବୀ ଜଳେ ମିଶେ।।

ଅର୍ଜୁନୀ ଚରଣ ବେହେରା
ମୋ – 7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.