ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ପୁଣିଥରେ ଗଡ଼ ରକ୍ଷା କରିବାରେ ସକ୍ଷମ ହୋଇଛି ବିଜେପି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ମାଳବିକା ଦେଓ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ଦେଓ ୫୪୪୩୦୩ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ ୪୧୦୪୯୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଓ କଂଗ୍ରେସ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ ୩୦୩୧୯୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ ଗୋଟି ବିଧାନସଭା ଆସନରେ ଯୋରଦାର ଲଢ଼େଇ ହୋଇଥିଲା। ଏଥି ମଧ୍ୟରୁ ୫ ବିଧାନସଭା ଆସନରେ ବିଜେଡ଼ି, ଗୋଟିଏ ଆସନରେ ବିଜେପି ଓ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଖଡ଼ିଆଳ ବିଧାୟକ ଭାବେ ବିଜେଡ଼ି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ାରେ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡ଼ରେ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଜୋଷୀ, ଜୁନାଗଡ଼ରେ ବିଜେଡ଼ି ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ସଦର ଆସନରୁ କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ, ଲାଞ୍ଜିଗଡ଼ରୁ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି ବିଜୟୀ ହୋଇଛନ୍ତି।