ସନ୍ତୋଷ କୁମାର କର
‘ଆମ ମୃତ୍ତିକା – ଆମର ଭବିଷ୍ୟତ” ସ୍ଲୋଗାନ ଅଧୀନରେ ଜମି ପୁନରୁଦ୍ଧାର, ମରୁଭୂମିକରଣ ବନ୍ଦ କରିବା ଏବଂ ମରୁଡ଼ି ମୁକାବିଲା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ମୃତ୍ତିକା ଉପରେ ସମସ୍ତ ଜୀବଜଗତ ନିର୍ଭର କରେ। ବର୍ତ୍ତମାନ ସମଗ୍ର ବିଶ୍ୱରେ ପ୍ରଦୂଷଣ, ଜଳବାୟୁ ବିଶୃଙ୍ଖଳା ଏବଂ ଜୈବ ବିବିଧତାରେ ଅସନ୍ତୁଳନତା, ସୁସ୍ଥ ଜମିକୁ ମରୁଭୂମିରେ ପରିଣତ କରୁଛି ଏବଂ ସମୃଦ୍ଧ ପରିସଂସ୍ଥା କୁ ମୃତ ଅଞ୍ଚଳରେ ପରିଣତ କରୁଛି। ମଣିଷ ଜଙ୍ଗଲ ଏବଂ ତୃଣଭୂମିକୁ ନଷ୍ଟ କରୁଛି ଫଳରେ ପରିବେଶ ନଷ୍ଟ ହେବାରେ ଲାଗିଛି। ଜଙ୍ଗଲ ଓ ଶୁଖିଲା ଜମିଠାରୁ ଆରମ୍ଭ କରି ଚାଷ ଜମି ଓ ହ୍ରଦ ପର୍ଯ୍ୟନ୍ତ ଯେଉଁ ପ୍ରାକୃତିକ ସ୍ଥାନ ଉପରେ ମଣିଷର ଅସ୍ତିତ୍ୱ ନିର୍ଭର କରୁଛି, ତାହା ଏବେ ପ୍ରଦୂଷଣ ର ଚରମ ସୀମାରେ ପହଞ୍ଚିଛି। ମିଳିତ ଜାତିସଂଘର ସମ୍ମିଳନୀ ଅନୁଯାୟୀ ବର୍ତ୍ତମାନ ପୃଥିବୀର ୪୦ ପ୍ରତିଶତ ଜମି ନଷ୍ଟ ହୋଇଯାଇଛି, ଯାହା ସିଧାସଳଖ ବିଶ୍ୱର ଅଧା ଜନସଂଖ୍ୟାକୁ ପ୍ରଭାବିତ କରୁଛି । ତେଣୁ ଜରୁରୀ ପଦକ୍ଷେପ ନିଆ ନଗଲେ, ୨୦୫୦ ସୁଦ୍ଧା ବିଶ୍ୱର ତିନି ଚତୁର୍ଥାଂଶରୁ ଅଧିକ ଜନସଂଖ୍ୟାକୁ ମରୁଡ଼ି ପ୍ରଭାବିତ କରିପାରେ। ପୃଥିବୀର ତାପମାତ୍ରା ବୃଦ୍ଧି କରୁଥିବା ସମଗ୍ର କାର୍ବନ ଡାଇଅକ୍ସାଇଡ ନିର୍ଗମନର ଏଗାର ପ୍ରତିଶତ ଭୂମିର ଅତ୍ୟଧିକ ବ୍ୟବହାର ଯୋଗୁଁ ହୋଇଥାଏ। ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ କମ କରିବାକୁ ହେଲେ ୨୦୩୦ ସୁଦ୍ଧା ବାର୍ଷିକ ସବୁଜ କୋଠରୀ ଗ୍ୟାସ ନିର୍ଗମନକୁ ଅଧା କରିବାକୁ ପଡିବ। ଠିକ ସେହିପରି ଯଦି କୌଣସି ପଦକ୍ଷେପ ନିଆନଯାଏ ତେବେ ଆଗାମୀ ଦଶ ବର୍ଷ ମଧ୍ୟରେ ବାୟୁ ପ୍ରଦୂଷଣ ୫୦ ପ୍ରତିଶତ ବୃଦ୍ଧି ପାଇବ ଏବଂ ୨୦୪୦ ସୁଦ୍ଧା ଜଳୀୟ ପରିବେଶରେ ପ୍ରବାହିତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରାୟ ତିନି ଗୁଣ ବୃଦ୍ଧି ପାଇବ। ତେଣୁ ପରିବେଶ ଦିବସ ଉପଲେକ୍ଷ ଜନସାଧାରଣ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ସେଗୁଡିକ ହେଲା ପ୍ରକୃତିର ସୁରକ୍ଷାରେ ସହଯୋଗ କରିବା, ନିଜ ପରିବେଶରେ ଥିବା ପ୍ରାକୃତିକ ବସ୍ତୁ ଗୁଡିକୁ ଚିହ୍ନଟ କରି ତାର ଗୁରୁତ୍ୱ ବୁଝିବା, ପରିବେଶକୁ ସଫା ସୁତରା ରଖିବା, ବୃକ୍ଷରୋପଣ, ବୃକ୍ଷ ଓ ଉଦ୍ଭିଦ ସଂରକ୍ଷଣ, ଜଳର ସୁବ୍ୟବହାର,ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ , ବାହ୍ୟ ମଳମୂତ୍ର ମୁକ୍ତ ପରିବେଶ , ଉତ୍ତମ ଇନ୍ଧନ ର ବ୍ୟବହାର, ବର୍ଜ୍ୟ ବସ୍ତୁ ପରିଚାଳନା ଓ ସର୍ବୋପରି ନିଜେ ପରିବେଶରେ ସୁସ୍ଥ ଜୀବନଯାପନ କରିବା ସହ ପରିବେଶ ର ପ୍ରତି ଟି ଉପାଦାନ ଯଥା ବାୟୁ, ଜଳ, ମୃତ୍ତିକା ଆଦିକୁ ସୁରକ୍ଷିତ ରଖି ବା ପୁନଃଉଦ୍ଧାର କରି ଆଗାମୀ ପିଢୀକୁ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରଦାନ କରିବା। ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ସମସ୍ତେ ଶପଥ ନେବା ପରିବେଶ ଉପଯୋଗୀ ଜୀବନ ଶୈଳୀ ଗ୍ରହଣ କରି ପରିବେଶ ସୁରକ୍ଷା ଦିଗରେ ସହାୟକ ହେବା। ଆସନ୍ତୁ ମିଳିମିଶି ମୃତ୍ତିକା ଓ ମାନବ ଜାତିପାଇଁ ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବା।