କାଳ ବୈଶାଖୀ ପ୍ରଭାବ: ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅଞ୍ଚଳରେ ଗତ କିଛିଦିନ ହେଲା ମଧ୍ୟାହ୍ନ ପରେ କାଳ ବୈଶାଖୀ ପ୍ରଭାବ ଯୋଗୁଁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ଲାଗି ରହୁଛି। ବୁଧବାର ମଧ୍ୟ ଝଡତୋଫାନ ଯୋଗୁଁ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଅବରୋଧ ହୋଇଥିଲା। କାଳବୈଶାଖୀ ତାଣ୍ଡବରେ ୨୬ ନମ୍ବର ଜାତୀୟ ରାଜପଥର ଡଙ୍ଗରୀଗୁଡା ଛକ ବିଶ୍ରାମ ଗୃହ ନିକଟରେ ଥିବା ଏକ ବିରାଟକାୟ ଗଛ ଭାଙ୍ଗିଯାଇ ରାସ୍ତାରେ ପଡ଼ିଯାଇଥିଲା। ଫଳରେ କିଛି ସମୟ ପାଇଁ ଭବାନୀପାଟଣା, ଜୟପୁର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କୋକସରା ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ରାସ୍ତାରେ ପଡ଼ିଥିବା ଗଛକୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା। ସେହିପରି ମୋଟେର-ମୁଖୀଗୁଡା ରାସ୍ତାର ଖାଲିଆଭଟା କେନାଳ ଛକରେ ମଧ୍ୟ ଏକ ବରଗଛ ପଡି ରାସ୍ତା ଅବରୋଧ ହୋଇଥିଲା। କିଛି ସମୟ ପାଇଁ ସେଠାରେ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କୋକସରା ଅଗ୍ନିଶମ ଅଧିକାରୀ ପ୍ରସାନ୍ତ କୁମାର ବାଗଙ୍କ ନେତୃତ୍ବରେ କର୍ମଚାରୀ ଦିଗାମ୍ବର ଶବର, ମନୋଜ ବିଶ୍ବାଳ, ରାଧେଶ୍ୟାମ ପ୍ରଧାନୀ, ବାସୁଦେବ ଭୋଇ ପ୍ରମୁଖ ରାସ୍ତାରୁ ଗଛକୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.