ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଏଟିଏମ ସାମ୍ନାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଭବାନୀପାଟଣାର ଟାଟା ଅଟୋମୋବାଇଲରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ନୀଳାଞ୍ଚଳ ମହାରଣା (୪୭) ଭବାନିପାଟଣା ଠାରୁ ଲାଞ୍ଜିଗଡ଼କୁ କୌଣସି କାର୍ଯ୍ୟ ସକାଶେ ଯିବା ସମୟରେ ବିଶ୍ୱନାଥପୁର ଏଟିଏମ୍ ନିକଟରେ ବିପରିତ ଦିଗରୁ ଗୋଟିଏ ବାଇକରେ ସୀତାପୁର ଗ୍ରାମର ଦେବେନ୍ଦ୍ର ବେହେରା (୨୮) ଓ ଚୈତନ ବେହେରା (୪୦) ଏବଂ ଡ଼ୁମେରମୁଣ୍ଡା ଗ୍ରାମର ଦଳେନ୍ଦ୍ର ସାହୁ (୨୪) ତିନିଜଣ ଆସୁଥିବା ବେଳେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇଟି ବାଇକରେ ବସିଥିବା ସମସ୍ତେ ଗୁରୁତର ଅବସ୍ଥାରେ ତଳେ ପଡିଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ନୀଳାଞ୍ଚଳ ମହାରଣାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ପୋଲିସ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ଏ ନେଇ ବିଶ୍ୱନାଥପୁର ଥାନାରେ କେଶ ନଂ ୪୦/୨୪ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ମମତା ହେମ୍ବ୍ରମ ସୂଚନା ପ୍ରଦାନ କରିଛନ୍ତି।