ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ, ସହ କୋଷାଧ୍ୟକ୍ଷ ରାକେଶ କୁମାର ସାହୁ, ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ ପ୍ରମୁଖ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏପରିକି ଓଡ଼ିଶାରେ ୬୪୦୦୦ରୁ ଅଧିକ ସାଧାରଣ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୧ ଲକ୍ଷ ୫୦ ହଜାର ବିଶେଷ ଅବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ଯାଏଁ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ସୁପ୍ରିମକୋର୍ଟ ପ୍ରାଥମିକ ବିଦ୍ୟାଳୟ ରେ ୧୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଏବଂ ଯେଉଁ ବିଦ୍ୟାଳୟ ରେ ଜଣେ ବି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବ ସେଠାରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ, ତତସହିତ ବାରମ୍ବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେଲା ନାହିଁ।ଏହି ନିଯୁକ୍ତି ପାଇଁ ଆମ ସଂଘ ପକ୍ଷରୁ ପୂର୍ବ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲୁ ଏବଂ ଅହୋରାତ୍ର ଧାରଣା ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ବର୍ତ୍ତମାନ ଦିବ୍ୟାଙ୍ଗ ଶିକ୍ଷା ର ବିକାଶ ପାଇଁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିବା ସହ ଆଲୋଚ଼ନା କରାଯାଇଥିଲା।