ଲାଗି ରହିଛି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଭଳି ସମସ୍ୟା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି ( ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଶିଳ୍ପାଞ୍ଚଳର ସହର ହେଉଛି ଲାଞ୍ଜିଗଡ। ଏହି ଲାଞ୍ଜିଗଡରେ ବିକାଶ ଅପହଞ୍ଚ ହୋଇ ରହିଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନିୟ ଜଳ ଭଳି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ ସହର ପରିସରରେ ୧୫ ଗୋଟି ପଡା ରହିଥିବା ବେଳେ ୨୫୦୦ ଶହ ପରିବାର ପ୍ରାୟ ୭୦୦୦ ହଜାର ଜନସଂଖ୍ୟା ବସବାସ କରନ୍ତି। ଏହା ବ୍ୟତୀତ ଲାଞ୍ଜିଗଡ଼ ସହର ଉପରେ ପ୍ରାୟ ୧୬ ଗୋଟି ପଞ୍ଚାୟତ ଲୋକେ ନିର୍ଭର କରୁଥିବା ବେଳେ ବେଦାନ୍ତ କମ୍ପାନୀରେ କାମ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଆସି ଶତାଧିକ କର୍ମଚାରୀ ବସବାସ କରୁଛନ୍ତି।

ଶିଳ୍ପର ସହର ଲାଞ୍ଜିଗଡ଼ରେ ସରକାର ଓ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ଆଜିକୁ ୬୮ ବର୍ଷ ହେଲା ନିଜସ୍ଵ ବୋଲି ପଞ୍ଚାୟତ କାର୍ଯ୍ୟାଳୟଟିଏ ନଥିବା ବେଳେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି। ଏଥି ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ପାନିୟ ଜଳ।ବର୍ତ୍ତମାନ ୪୫ ଦିନ ହେଲା ପୁଣି ଲାଞ୍ଜିଗଡରେ ଜଳ ସଙ୍କଟ ଦେଖା ଦେଉଛି। ପାଇପ ଯୋଗୁଁ ଆହୁଥିବା ପାଣି ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଯାହା ଫଳରେ ସହରର ବିଭିନ୍ନ ପଡ଼ାର ହଜାର ହଜାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଲାଞ୍ଜିଗଡ଼ଠାରେ ଜଳ ସଙ୍କଟ ଦୂର ପାଇଁ ୨୦୧୦ ମସିହାରେ ୧ କୋଟି ୩୦ ଲକ୍ଷ ଅଟକଳ ମୂଲ୍ୟରେ ନିକଟସ୍ଥ ବଂଶଧାରା ନଦୀରୁ ସହରର ବିଭିନ୍ନ ପଡାକୁ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା। କିନ୍ତୁ ଠିକାଦାରଙ୍କ ନିମ୍ନମାନର କାମ ଓ ବ୍ୟବହାର ହୋଇଥିବା ପାଇପ ଗୁଡିକ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫାଟି ଜଳ ଯୋଗାଣରେ ବ୍ୟାହିତ ହେଉଛି।ସ୍ୱାସ୍ଥ୍ୟସେବାରେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ଳକର ୧୬ ଗୋଟି ପଞ୍ଚାୟତର ୨୮୦ ଗ୍ରାମର ପ୍ରାୟ ୩୦ ହଜାର ଉର୍ଦ୍ଧ୍ବ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଲାଞ୍ଜିଗଡ଼ ଉପରେ ନିର୍ଭର କରିଥାନ୍ତି। ପୂର୍ବରୁ ପ୍ରତି ମାସରେ ୨୦୦ ରୋଗୀଙ୍କୁ ଅନ୍ତ ବିଭାଗ ଚିକିତ୍ସା, ବର୍ହି ବିଭାଗରେ ୨୦୦୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୫୦ ରୁ ଅଧିକ ମହିଳାଙ୍କୁ ପ୍ରସୂତି ସୁବିଧା ଦିଆ ଯାଉଥିଲା। କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚରମ ଅବହେଳା ଯୋଗୁଁ କର୍ମଚାରୀ ଙ୍କୁ ଅଦଳ ବଦଳ କରିବା ସହିତ ଡାକ୍ତରଖାନା ପରିସରରେ ଆଣ୍ଠୁଏ ପାଣି ରହିଥିବା ବେଳେ ବର୍ଷ ବର୍ଷ ଧରି ବିଶେଷଜ୍ଞ ପଦ ଖାଲି ପଡି ଥିବା ଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଦାନରେ ସମସ୍ୟା ହୋଇଛି। ଯାହା ଫଳରେ ଗରିବ ଆଦିମ ଜନଜାତି ବର୍ଗର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି।

ବର୍ତ୍ତମାନ ସ୍କୁଲଟି ବିପଦସଂକୁଳ ଅବସ୍ଥାରେ ପଡ଼ିରହିଛି। ୧୮୯୧ ମସିହାରେ ସ୍ଥାପିତ ଏହି ସ୍କୁଲ ଏବେ ୧୩୩ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ସମ୍ପୂର୍ଣ ଛପର ଘର ଥିବା ଏହି ସ୍କୁଲର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କରିଛି। ସ୍କୁଲରେ ପଢୁନଥିବା ୪୦୦ ଛାତ୍ରଛାତ୍ରୀଙ୍କ ଉପରେ କେଉଁ ମୁହୂର୍ତ୍ତରେ ବିପଦ ଆସିବ କହିହେବ ନାହିଁ। ଲାଞ୍ଜିଗଡ଼ରେ ଡିଗ୍ରୀ କଲେଜ ପାଇଁ ଭାଟଗୁଡା ଗାଁ ନିକଟରେ ୧୪ ବର୍ଷ ହେଲା ବେଦାନ୍ତ କମ୍ପାନୀ ପକ୍ଷରୁ ପାଚେରୀ ନିର୍ମାଣ ହୋଇଛି। କିନ୍ତୁ ବିଭିନ୍ନ ଦାବି ସତ୍ତ୍ୱେ ମଧ୍ୟ କଲେଜ ହୋଇ ପାରିନାହିଁ। ଏଣୁ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ଯୁକ୍ତ-୨ ପାଠ ଶେଷ ପରେ ଇଛା ଶକ୍ତି ଥାଇବି ଅନେକ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରେ ଅଧାରୁ ଡୋରି ବାନ୍ଧିବାକୁ ବାଧ୍ୟ ହୁଅନ୍ତି। ଶିଳ୍ପର ସହର ଲାଞ୍ଜିଗଡରେ ଏକ ଆଇଟିଆଇ ସ୍ଥାପନ କରିବା ପାଇଁ ୭ ବର୍ଷ ହେଲା ଜାଗା ଚିହ୍ନଟ କରାଯାଇ ଜାଗର ରେଜିଷ୍ଟ୍ରେସନ ମଧ୍ୟ ସରିଛି। କିନ୍ତୁ ଆଇଟିଆଇ ସ୍ଥାପନକୁ ନେଇ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ।ପୁଅମାନେ ସୁବିଧା ନଥିବାରୁ, ଦୂର ହେଉଥିବାରୁ ପାଠ ଛାଡି ଦାଦନ ଖଟିବାକୁ ଯାଉଥିବାବେଳେ ଝିଅମାନଙ୍କୁ କମ ବୟସରେ ବାଧ୍ୟ ବାଧକତାରେ ବିବାହ କରି ଦିଆ ଯାଇଥାଏ। ଲାଞ୍ଜିଗଡ଼ ବିଭିନ୍ନ ପଡାରେ ଥିବା ରାସ୍ତା ଶୋଚନୀୟ ହୋଇ କାଦୁଅ ପଚପଚ ହୋଇ ରହିଛି। ଡ୍ରେନେଜର ବ୍ୟବସ୍ଥା ନଥିବା ଯୋଗୁଁ ସହରରେ ଥିବା ବିଭିନ୍ନ ପଡାରୁ ଆସୁଥିବା ଦୁର୍ଗନ୍ଧ ପାଣି ବର୍ଷ ବର୍ଷ ଧରି ବସ୍ତିର ମୁଖ୍ୟ ରାସ୍ତା ଉପରେ ଜମା ହେବା ସହିତ କୁଢ଼କୁଢ଼ ଆବର୍ଜନା ପଢି ରହିଥିବା ବେଳେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଇଛି। ଦୁଇ ବର୍ଷ ହେଲା ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ଭବାନୀପାଟଣା ଜଣେ ଠିକାଦାର ଟେଣ୍ଡର ପାଇ ରାସ୍ତା କାମ ଆରମ୍ଭ କରୁନାହିଁ। ଏଣୁ ଦିନ ତମାମ ସହର ମଧ୍ୟରେ କମ୍ପାନୀର ଭାରି ଯାନ ପ୍ରବେଶ କରୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଲାଞ୍ଜିଗଡ଼ ପ୍ରତି ନୂତନ ସରକାର ଓ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଲାଞ୍ଜିଗଡ଼ବାସୀ ଦାବି କରିଛନ୍ତି।





