ସୋମବାର ଅନୁଷ୍ଠିତ ହେବ ଦ୍ୱିତୀୟ ଦିନ ରଥଯାତ୍ରା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଝିପି ଝିପି ବର୍ଷା ପାଗ ସତ୍ତ୍ୱେ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା। ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୫ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ। ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ମନ୍ମଥ ପୂଝାରୀ ଓ ଚୁଲମଣି ଗଉଡିଆ ଛେରା ପହରା କରିଥିଲେ। ଶ୍ରୀ ଜୀଉମାନେ ମନ୍ଦିରରୁ ରଥ ରଖାଯାଇଥିବା ଚାରି ଛକଯାଏଁ ଘଣ୍ଟ, ଶଙ୍ଖ ବାଦ୍ୟରେ ପହଣ୍ଡିରେ ଯାଇଥିଲେ। ବିଶିଷ୍ଟ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ଗୋପୀନାଥପୁର ସଙ୍କୀର୍ତ୍ତନ ମଣ୍ଡଳୀ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହକୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ବିଦ୍ୟାଧର ପତି ଗରୁଡ ବିଗ୍ରହକୁ ଧରିଥିଲେ।
ମନ୍ମୟ ଚାନ୍ଦ, ଗୌତ୍ତମ ଚିନ୍ଦା, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ପଦ୍ମନାଭ ପଣ୍ଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା ଭକ୍ତ ଶମ୍ଭୁ ଜଡ଼ା ଓ ମନ ସାହୁ ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ। କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରଥାରୁଢ ପୂର୍ବରୁ କେଡିଆ ପରିବାର ତରଫରୁ ଗୋବିନ୍ଦରାମ କେଡିଆଙ୍କ ଭୋଗଲାଗି ନୈବେଦ୍ୟ କରାଯିବା ପରେ ଶ୍ରୀ ଜୀଉମାନେ ରଥାରୁଢ ହୋଇଥିଲେ। ତିନିଠାକୁର ପହଣ୍ଡି ସାରି ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬.୩୦ ସମୟରେ ରଥ ଟଣାଯାଇଥିଲା। ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ସଞ୍ଜୟ ପଣ୍ଡା ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ। ପ୍ରତିବର୍ଷ ନର୍ଲା ରଥଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ପହଣ୍ଡି ସମୟରୁ ରଥଟଣା ଯାଏଁ ଝିପି ଝିପି ବର୍ଷା ସତ୍ବେ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ସେପଟେ ମାଉସୀ କାଳିଆ, ବଳିଆ ଓ ଦେବୀ ସୁଭଦ୍ରାଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ରଥ ମାଉସୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ବାଟରେ ରହିଯାଇଥିଲା ରଥ। ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ପ୍ରତିବର୍ଷ ଠାକୁରଙ୍କ ବାଟରେ ରହଣିର ସମସ୍ତ ଦାଇତ୍ୱ ନେଇଥାନ୍ତି। ଭୋଗରାଗ ସହ ରାତି ୧୦ ଟା ଯାଏଁ ଭଜନ କୀର୍ତ୍ତନରେ ଆପ୍ୟାୟିତ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତିକୁ। ପ୍ରବଳ ଭକ୍ତ ସମାଗମ ଲାଗିରହିଥାଏ। ମାଉସୀ ତିନି ଠାକୁର ମାନଙ୍କ ଆଗମନର ପଥକୁ ଚାତକ ପରି ଚାହିଁ ରହିଥିବା ବେଳେ ବାଟରେ ଅଟକିଗଲେ ତିନି ଠାକୁର। ସୋମବାର ଅପରାହ୍ନ ୫ ଟାରେ ପୁଣି ଅନୁଷ୍ଠିତ ହେବ ଦ୍ଵିତୀୟ ଦିନ ରଥଯାତ୍ରା।
ଚଳିତ ବର୍ଷ ନର୍ଲା ସମେତ ଅଞ୍ଚଳର ସମସ୍ତ ୧୦ ଗୋଟି ରଥଯାତ୍ରାରେ ପ୍ରବଳ ଭିଡ ଯୋଗୁଁ କିଛି ବ୍ୟତିକ୍ରମର ଆଶଙ୍କାରେ ଆମେ ଯାତ୍ରା ଗୁଡିକ ଉପରେ ତୀକ୍ଷ୍ମଣ ନଜର ରଖିଥିଲୁ ବୋଲି ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ମମିତା ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି। ନର୍ଲା ଚାରିଛକ ରଥଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରି ଠାକୁରଙ୍କ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ,ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଟଣା ସମ୍ପନ୍ନ ହୋଇଯାଇଛି। ନର୍ଲା ପୋଲିସ ଉପସ୍ଥିତ ରହି ଶୃଙ୍ଖଳା ବଜାୟ ରଖିଥିଲେ। ନର୍ଲାରେ ଆସନ୍ତା ସୋମବାର ପୁଣି ରଥଟଣା ହୋଇ ତିନି ଠାକୁର ମାଉସୀ ମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ରହିଥିବା ସଭାପତି ତଥା କର୍ତ୍ତା ଚିରଞ୍ଜିବୀ ଗୌଡିଆ ପ୍ରକାଶ କରିଛନ୍ତି।