ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ବିଶ୍ଵବିଦ୍ୟାଳୟ ବାତାବରଣ
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସମସ୍ତ ପାରମ୍ପରିକ ପର୍ବପର୍ବାଣି ଗୁଡିକୁ ପାଳନ କରିବାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସବୁବେଳେ ଅନନ୍ୟ ପରିଚାୟକ ଭାବେ ପରିଗଣିତ ହୁଏ। ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅତ୍ୟନ୍ତ ଉତ୍ସାହର ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳନ ହୋଇଯାଇଛି। ପ୍ରାତଃକାଳରୁ ତିନି ଠାକୁରଙ୍କ ପ୍ରଥମ ରୀତିନୀତି ସଂପର୍ଣ୍ଣ କରି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମହାପ୍ରଭୁଙ୍କ ମୁଖ୍ଯ ସେବକ ଭାବେ ସମସ୍ତ ଦାୟିତ୍ବ ନିର୍ବାହ କରିଥିଲେ। ସକାଳଧୂପ, ନେତ୍ରୋତ୍ସବ ତଥା ନବଯୌବନ ବେଶ ପରେ ଠାକୁରଙ୍କ ଅଙ୍ଗଲାଗି କର୍ମ ସଂପର୍ଣ୍ଣ ହେବା ପରେ ତିନିଦିଅଁଙ୍କୁ କୁଳପତିଙ୍କ ସହ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ତିନି ଠାକୁରଙ୍କ ବିଗ୍ରହକୁ ଗୋଟି ପହଣ୍ଡିରେ ଅଣାଯାଇ ସୁସଜ୍ଜିତ ରଥାରୂଢ କରାଯାଇଥିଲା। ଏହା ପରେ ଠାକୁରଙ୍କ ପାଖରେ ଖେଚୁଡ଼ି, ଲଡୁ ଆଦି ଭୋଗ ଅର୍ପଣ କରାଯାଇଥିଲା। କୁଳପତି ପ୍ରଫେସର ତ୍ରିପାଠୀଙ୍କ ଦ୍ବାରା ଛେରାପହଁରା ନୀତି ଶେଷ କରାଯାଇ ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣି ନେବାପାଇଁ ଭକ୍ତମାନଙ୍କ ସମାଗମ ହୋଇଥିଲା।
ଘଣ୍ଟ-ଘଣ୍ଟା, ଆଲଟ ଚାମର, ଶଙ୍ଖ-ହୁଳହଳି, ଗିନି-ମୃଦଙ୍ଗର ତାଳ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟ ହେଇଥିଲା।ବିଶ୍ବବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଓ ଏହାର ଆଖପାଖ ଅଞ୍ଚଳରୁ ଆସିଥିବା ଭକ୍ତମାନେ ଊତି ଉତ୍ସାହର ସହ ମହାପ୍ରଭୁଙ୍କ ରଥକୁ ଟାଣି ନେଇ ବିଶ୍ୱବିଦ୍ୟାଳୟ ସ୍ଥାପିତ ମାଉସୀ-ମା ମନ୍ଦିରରେ ପହଞ୍ଚାଇଥିଲେ। ଛାତ୍ରଛାତ୍ରୀମାନେ ଭକ୍ତିରେ ଲୀନ ହୋଇ ସଂକୀର୍ତ୍ତନ କରିବାର ଦୃଶ୍ଯ ଅତ୍ୟନ୍ତ ମନୋରମ ଥିଲା।ଏଥିସହିତ ଭାଷା ଓ ସାହିତ୍ୟର ବିଭାଗ ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ରଙ୍କ ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାଖା ତଥା ରଥଯାତ୍ରା ସମ୍ବନ୍ଧିତ ଅନେକ ତଥ୍ଯକୁ କଥାକାର ଭାବେ ଉପସ୍ଥାପିତ କରିବା ସହ ବିଭାଗର ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସଙ୍କ ଭଜନ ଗାନ ଖୁବ୍ ଆନନ୍ଦମୟ ଭାବ ଜାଗ୍ରତ କରିଥିଲା। ପରିଶେଷରେ ଚତୁର୍ଧା ମୂର୍ତ୍ତି ଓ ପ୍ରଭୁ ସୁଦର୍ଶନଙ୍କୁ ଗୋଟି ପହଣ୍ଡି ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଥାପିତ କରାଯାଇଥିଲା। ଏଥିସହ ଭୋଗ ପ୍ରସାଦ ବଣ୍ଟନ କରାଯାଇଥିଲା।