ଅନୁଷ୍ଠିତ ହେଲା କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ସମାରୋହ : ପୁରସ୍କୃତ ହେଲେ କବି ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି

କବି ଉତ୍ପଳ ମହାନ୍ତିଙ୍କ କବିତା ପୁସ୍ତକ ‘ନାଁ ବଦଳି ଗଲାପରେ’ ହେଲା ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ଅଷ୍ଟମ ସ୍ମୃତି ସମାରୋହ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଅଧିବେଶନ କ୍ରମରେ କବି ଚନ୍ଦ୍ର କୁମାର କବିତା ପୁରସ୍କାର-୨୦୨୪ ଅର୍ପଣୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ଅଧିବେଶନରେ କବି ଉତ୍ପଳ ମହାନ୍ତିଙ୍କ କବିତା ପୁସ୍ତକ ‘ନାଁ ବଦଳି ଗଲା ପରେ’ର ଉନ୍ମୋଚନୋତ୍ସବ ଆୟୋଜିତ ହୋଇଥିଲା। ସ୍ମୃତି କମିଟି ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସାରସ୍ବତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। କବି ଚନ୍ଦ୍ର କୁମାରଙ୍କୁ ଜଣେ ଜ୍ଞାନୀ, ଗୁଣୀ ଓ ବିଚକ୍ଷଣ ବିଦବତ୍ତାର ଅଧିକାରୀ ଭାବେ ବର୍ଣ୍ଣନା କରି ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଚନ୍ଦ୍ର କୁମାର ଆଇନ ବୃତ୍ତି, ସାହିତ୍ୟ ପ୍ରୀତି ଓ ସାଂଗଠନିକ ସଂପୃକ୍ତିର ତ୍ରିବେଣୀ ସଂଗମ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସୁଖ୍ୟାତ ଯୁବକବି କେଦାର ମିଶ୍ର ଓଡ଼ିଆ ଅସ୍ମିତା ଉପରେ ଚନ୍ଦ୍ର କୁମାର ମହାନ୍ତି ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ତିନୋଟି ମୂଳ ଉପାଦାନକୁ ଆମକୁ ବୁଝିବାକୁ ପଡ଼ିବ। ଆଦିବାସୀ ସଂସ୍କୃତିର ସମନ୍ଵିତ ଜୀବନବୋଧ, ପ୍ରକୃତି ସହିତ ସଙ୍ଘର୍ଷ ଓ ସହାବସ୍ଥାନ ଏବଂ ପ୍ରତିବାଦ କରିବାର ସୃଜନଶୀଳତା ଆମ ଅସ୍ମିତାର ମୂଳ ଭିତ୍ତି ବୋଲି ସେ ସ୍ମରଣ କରାଇ ଦେଇଥିଲେ।କମିଟି ପକ୍ଷରୁ ପ୍ରାରମ୍ଭରେ କବି କୃଷ୍ଣ କୁମାର ମହାନ୍ତି ଅତିଥିମାନଙ୍କୁ ମଞ୍ଚ ଆବାହନ କରିବା ସହିତ ମାନପତ୍ର ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁରସ୍କୃତ ପ୍ରତିଭା କବି ଶକ୍ତି ମହାନ୍ତି ଓ କବି ହେମନ୍ତ ଦଳପତିଙ୍କୁ ‘ଚନ୍ଦ୍ର କୁମାର ମହାନ୍ତି କବିତା’ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ ପୂର୍ବବର୍ଷ ବିଜୟିନୀ ପ୍ରତୀକ୍ଷା ଜେନା ଓ ଲିପିକା ଦାସ। ପୁରସ୍କୃତ ପ୍ରତିଭା ଶକ୍ତି ମହାନ୍ତି ନିଜ ପ୍ରତକ୍ରିୟାରେ ଚନ୍ଦ୍ର ମହାନ୍ତିଙ୍କର କବିତା ପଢି ଆମେ ବଡ଼ ହେଇଥିବା କଥା କହିବା ସହ କବିଙ୍କ କବିତା ବହି ଦୁଷ୍ପ୍ରାପ୍ୟ ହୋଇପଡିଥିବା ବେଳେ କବିତା ସମଗ୍ର ନାମରେ ଏକ ପୁସ୍ତକ ପ୍ରକାଶ ପାଉ ବୋଲି କମିଟିକୁ ନିବେଦନ କରିଥିଲେ। ସେହିପରି ଅନ୍ୟତମ ପୁରସ୍କୃତ ପ୍ରତିଭା ହେମନ୍ତ ଦଳପତି ନିଜର ପ୍ରତିକ୍ରିୟାରେ ବାଲେଶ୍ଵର ତାଙ୍କୁ ବାରମ୍ବାର ଡାକିଛି ଓ ସମ୍ମାନିତ କରିଛି ବୋଲି ସ୍ଵୀକାର କରିବା ସହ ଆଦିବାସୀଙ୍କ ପାହାଡକୁ ସୁରକ୍ଷା ଦେବା ତଥା ପ୍ରକୃତିକୁ ବଞ୍ଚାଇ ରଖିବାର ଦାୟିତ୍ବ ଏବେ କେବଳ ଆଦିବାସୀଙ୍କର ନୁହେଁ, ଜନ ସମୁଦାୟର ବୋଲି ଆହ୍ଵାନ ଦେଇଥିଲେ।

Udyog Nursery
Udyogi Nursery

ପରେ ପରେ ଦ୍ବିତୀୟ ଅଧିବେଶନରେ କବି ଉତ୍ପଳ ମହାନ୍ତିଙ୍କ ‘ନାଁ ବଦଳି ଗଲା ପରେ’ କବିତା ପୁସ୍ତକକୁ ଅତିଥିଗଣ ଉନ୍ମୋଚନ କରିଥିଲେ। କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ଅଧିବେଶନରେ ‘ରେବତୀ’ ପତ୍ରିକାର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା, ଯୁବଗାଳ୍ପିକ, ସାମ୍ବାଦିକ ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ କବି ଓ ପ୍ରଶାସକ ଚିତ୍ତରଞ୍ଜନ ନାୟକ ସମ୍ମାନନୀୟ ଅତିଥି ଭାବେ ମଞ୍ଚାସୀନ ରହି ‘ନାଁ ବଦଳି ଗଲା ପରେ’ ଉନ୍ମୋଚନ କରିଥିଲେ । ପୁସ୍ତକ ଓ କବିଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ଅତିଥି ମାନେ କହିଥିଲେ ଯେ ବେସାଲିସ୍ ଜୀବନ ବଞ୍ଚୁଥିବା କବି ଚନ୍ଦ୍ର କୁମାର ମହାନ୍ତିଙ୍କ ପୁଅ ଉତ୍ପଳ ମଧ୍ୟ ବାପାଙ୍କ ପରି ସ୍ପଷ୍ଟବାଦୀ ଓ କୌଣସି କଥାରେ ସାଲିସ୍ କରନ୍ତି ନାହିଁ। ଏପରି ଏକ ଜୀବନ ଜିଉଁଥିବା କବି ଉତ୍ପଳଙ୍କ କବିତାରେ ଜୀବନର ନିଚ୍ଛକ ବାସ୍ତବତା ସାଙ୍ଗକୁ ଭାବାବେଗର ଏକ ସନ୍ତୁଳିତ ସମନ୍ଵୟକୁ ପାଠକମାନେ ଭେଟିବେ। ମଞ୍ଚରେ ପୁସ୍ତକର ସ୍ରଷ୍ଟା ଉତ୍ପଳ ମହାନ୍ତି ଉପସ୍ଥିତ ରହି ଲେଖକୀୟ ଅଭିଭାଷଣ ପ୍ରଦାନ କରିବା ସହ ତାଙ୍କୁ କବିତା ଲେଖିବା ଦିଗରେ ପ୍ରେରଣା ଦେଇଥିବା କବି ନିତ୍ୟାନନ୍ଦ ଶତପଥୀ, ସୌରୀନ୍ଦ୍ର ବାରିକ, ସୁନୀଲ ପୃଷ୍ଟି, ହରପ୍ରସାଦ ଦାସ, ଶ୍ରୀଦେବ ପ୍ରମୁଖଙ୍କ ନାମୋଚ୍ଚାରଣ କରି ସେମାନଙ୍କୁ କୃତଜ୍ଞତା ଜଣାଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।‌ ସ୍ମୃତି କମିଟିର ସଦସ୍ୟମାନେ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସହରର ବୁଦ୍ଧିଜୀବୀ, ସାହିତ୍ୟିକ, ଆଇନଜୀବୀ ଓ ସାମ୍ବାଦିକମାନେ ଏହି ସମାବେଶରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.