କଳାହାଣ୍ଡିରେ ସଫଳତାର ସହ ସମାପନ ହେଲା ଜିଜ୍ଞାସା ତାଲିମ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବାର ଲକ୍ଷ୍ୟ ସହିତ ରାଜ୍ୟର ସମସ୍ତ ମାଧ୍ଯମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଏଗୁଡ଼ିକ ହେଉଛି- ଜିଜ୍ଞାସା, ସାହିତ୍ୟ ସୃଜନୀ, କୌଶଳୀ ଏବଂ କ୍ରୀଡ଼ାଙ୍ଗନ। ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସେମାନଙ୍କ ପରିବେଶ ବିଷୟରେ କୌତୁହଳ ସୃଷ୍ଟି କରିବାକୁ ଜିଜ୍ଞାସା ଲକ୍ଷ୍ୟ ରଖିଛି।

ଏହି ଆକାଂକ୍ଷୀ ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ ବିଜ୍ଞାନ ଏବଂ ପ୍ରକୃତି ବିଷୟରେ ଶିକ୍ଷା ଦେବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ, ଶକ୍ତି ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଜାଣିବାକୁ ଉତ୍ସାହିତ କରିବ। ଏହା ଶିକ୍ଷାର୍ଥୀମାନଙ୍କର ବିଜ୍ଞାନ ପ୍ରତି ନୂତନ ଆଗ୍ରହ ସୃଷ୍ଟି କରିବାରେ ଏବଂ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ଏହି ପାଠ୍ୟକ୍ରମକୁ ସଠିକ ଭାବେ ପିଲାଙ୍କ ନିକଟରେ ପହଞ୍ଚାଇବା ପାଈଁ ସାରା ରାଜ୍ୟରେ ଶିକ୍ଷକ ମାନଙ୍କ ତାଲିମ କାର୍ଯ୍ୟକ୍ରମ ଚାଲିଛି।

ଏହିକ୍ରମରେ କଳାହାଣ୍ଡି ଜିଲ୍ଲାର ଶିକ୍ଷକ ମାନଙ୍କୁ ତାଲିମ ଦେବା ପାଇଁ ଜିଲ୍ଲାର ଭିନ୍ନ ଭିନ୍ନ ୬ ଗୋଟି ସ୍ଥାନରେ ୧୩ଟି ବ୍ଲକର ଶିକ୍ଷକ ମାନଙ୍କ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହେଇଛି। ଶିକ୍ଷାର୍ଥୀମାନଙ୍କ ଜ୍ଞାନକୁ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରଖି ସେମାନଙ୍କୁ ବାହ୍ୟ ଜୀବନ ସହ ସଂଯୁକ୍ତ କରିବା ଏହି ପୁସ୍ତକର ଉଦ୍ଦେଶ୍ୟ। ମାଷ୍ଟର ଟ୍ରେନର ଭାବେ ପରମା ନନ୍ଦ ଛୁଆଳ ସିଂ, ନିରଞ୍ଜନ ମାଣିକ, ମଳୟ କୁମାର ମୁଣ୍ଡ, ଗିରିଜା ଶଙ୍କର ସାହୁ, ସୋମନାଥ ସାହୁ, ବିପିନ ବିହାରୀ ନାୟକ, ଛଗେନ୍ଦ୍ର ନାଏକ, ବିମଲ ମୁନା, ଅଭିଜିତ ଗିରି, ଅମିତ କୁମାର ବେହେରା, ଦିବ୍ୟ ରଞ୍ଜନ ନାଏକ, କୁବେର ଚନ୍ଦ୍ର ନାଏକ ଓ ସନତ କୁମାର ନାଏକ ଯୋଗଦାନ କରି ଥିଲେ।

ରାଜ୍ୟ ସାଧନ କର୍ମୀ (ଜିଜ୍ଞାସା) ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ପ୍ରତ୍ୟେକ ବ୍ଲକକୁ ଯାଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନରେ ମୋ ସ୍କୁଲ , ଓଡ଼ିଶା ତରଫରୁ ଲୋକପ୍ରିୟା କାନୁନଗୋ ଓ ଦୀପ୍ତିମୟୀ ମହନ୍ତ ତଥା ମୋ ସ୍କୁଲ କଳାହାଣ୍ଡି ତରଫରୁ ପ୍ରଶାନ୍ତ ନନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.