ସାମାଜିକ ଦାୟିତ୍ବ ଗ୍ରହଣ କରିବାର ପ୍ରବଣତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୃଦ୍ଧି ପାଇବା ଉଚିତ :କୁଳପତି

ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ସି.ୱାଇ.ଏସ୍.ଡି. ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ ନିଜର ସାମାଜିକ ସମର୍ଥିତ, ସଚେତନତାଧର୍ମୀ ତଥା ସାମାଜିକ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ନିଷ୍ପାଦନ ଉପରେ ଧ୍ୟାନ ଦେଇ ଆସୁଥିବା ବେଳେ ବିଗତ ବର୍ଷରେ ବିଶ୍ବବିଦ୍ୟାଳୟ ସହ ସେଣ୍ଟର ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ୍ ଡେଭେଲପମେଣ୍ଟ୍ (ସି.ୱାଇ.ଏସ.ଡି)/ଯୁବ ଓ ସାମାଜିକ ବିକାଶ କେନ୍ଦ୍ରର ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ରର ମୁଖ୍ଯ ଉଦ୍ଦେଶ୍ଯ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସି.ୱାଇ.ଏସ.ଡି ସଂଗଠନର ସହ-ପ୍ରତିଷ୍ଠାତା ଓ ପରାମର୍ଶଦାତା ଶ୍ରୀ ଜଗଦାନନ୍ଦ ଓ ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ମୁଖ୍ଯ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ସହ ନିଜର ସାମାଜିକ ଦାୟିତ୍ବ ନିର୍ବାହ କିପରି କରା ଯାଇପାରିବ, ଏ ସମ୍ପର୍କିତ ଆଲୋଚନା କରିଥିଲେ।

ଶ୍ରୀ ଜଗଦାନନ୍ଦ ସି.ୱାଇ.ଏସ.ଡି ଅନ୍ତର୍ଗତ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ। ଏଥିସହ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାମାନଙ୍କ ସହଯୋଗରେ ଗବେଷଣା, ତଥ୍ଯ ଭିତ୍ତିକ କାର୍ଯ୍ୟକ୍ରମ, ନିଯୁକ୍ତି, ସହଭାଗୀତା, ପ୍ରକଳ୍ପ କାର୍ଯ୍ୟ, ଅଧ୍ୟାପକ ଅଧ୍ୟାପିକାମାନଙ୍କ ବିକାଶ କାର୍ଯ୍ୟକ୍ରମ ଆଦି ବିବିଧ ସହଯୋଗାତ୍ମକ କାର୍ଯ୍ୟକ୍ରମର ଯୋଜନା ପ୍ରଣୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ଏହି ବୈଠକ ଶେଷ ହେବା ପରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଏକ ଏକ୍ସଟ୍ରା ମ୍ୟୁରାଲ ଲେକ୍ଚର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ଯବକ୍ତା ଭାବେ ଶ୍ରୀ ଜଗଦାନନ୍ଦ, ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଓ ଜନସଂଖ୍ୟା ଅଧ୍ୟୟନ ବିଭାଗ ମୁଖ୍ଯ ଡକ୍ଟର ଗ୍ରେସ ବି. ମୁଣ୍ଡ୍ ଉପସ୍ଥିତ ରହିଥିଲେ। ମୁଖ୍ଯ ପ୍ରସଙ୍ଗ ‘ଓଡିଶାର ଜନସଂଖ୍ୟା ପରିବର୍ତ୍ତନ: ଅନ୍ତର୍ଦୃଷ୍ଟି, ଆହ୍ବାନ ଏବଂ ଦିଗଗୁଡିକ’ ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।

କୁଳପତି ପ୍ରଫେସର ତ୍ରିପାଠୀ ଉଦବୋଧନ ଦେଇ କହିଥିଲେ, ସାମାଜିକ ଅଧ୍ୟୟନଗୁଡ଼ିକ ସିଧାସଳଖ ସମାଜ ସହିତ ଯୋଡ଼ିବା ଦିଗରେ ଆଧାରିତ ହେବା ଆବଶ୍ୟକ। ଏଥିସହ ସାମାଜିକ ଆଭିମୁଖ୍ୟ କାର୍ଯ୍ୟ, ଗୋଷ୍ଠୀ ସହ ସମ୍ପୃକ୍ତି ସହିତ କାର୍ଯ୍ୟ, କ୍ଷେତ୍ର ପର୍ଯ୍ୟବେକ୍ଷଣ ପ୍ରୋଜେକ୍ଟରେ କାର୍ଯ୍ୟ, ସାମାଜିକ ଏକ୍ସପୋଜର୍, ଓ ବ୍ୟବହାରିକ ଅଧ୍ୟୟନ ମାଧ୍ୟମରେ ପରୀକ୍ଷାମୂଳକ ଶିକ୍ଷା ଗୁଡ଼ିକ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସାମାଜିକ ବିଜ୍ଞାନ ଅଧ୍ୟୟନ ଚାରିକାନ୍ଥ ଭିତରେ ସୀମିତ ହେବା ଉଚିତ ନୁହେଁ ବୋଲି ମତ ପ୍ରକାଶ କରିଥିଲେ। ପ୍ରଫେସର ମଧୁମିତା ଦାସ, ଜାତୀୟ ଶିକ୍ଷା ନୀତିକୁ ଅନୁସରଣ କରି ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱସଂପନ୍ନ ହେବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଥିଲେ। ଦକ୍ଷତା ବିକାଶ, ବିଶ୍ଳେଷଣାତ୍ମକ ଚିନ୍ତାଧାରା, ସମାଲୋଚନାକାରୀ ଚିନ୍ତାଧାରା, ସାମଗ୍ରିକ ଏବଂ ବହୁ ବିକାଶମୂଳକ ଚିନ୍ତାଧାରା, ନୈତିକ ଏବଂ ମୂଲ୍ୟବାନ ଶିକ୍ଷା ପଦ୍ଧତି, ପରୀକ୍ଷାମୂଳକ ଶିକ୍ଷା ଆଦି ଦିଗକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ଉପଦେଶ ଦେଇଥିଲେ। ଏହାସହିତ ଶ୍ରୀ ଜଗଦାନନ୍ଦ, ମୂଳପ୍ରସଙ୍ଗ ସଂପର୍କିତ ଏକ ଅଧ୍ୟାପନାର ଉପସ୍ଥାପନା ଏବଂ ତତସଂପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ଯ ଉପସ୍ଥାପନା ପ୍ରଦର୍ଶିତ କରିଥିଲେ। ବିଭିନ୍ନ ବିଭାଗ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ସହ ଏକ ଆଲୋଚନାଚକ୍ର ମଧ୍ଯ କରାଯାଇଥିଲା। କାର୍ଯ୍ୟକ୍ରମର ସଂଚାଳନ ଡ଼କ୍ଟର ମୋଆତୁଲା ଆଓ କରିଥିଲେ। ଅତିଥିମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଲକ୍ଷ୍ଯ ସଂପର୍କରେ ବିଭାଗ ମୁଖ୍ଯ ଡକ୍ଟର ଗ୍ରେସ. ବି. ମୁଣ୍ଡ୍ ସୂଚୀତ କରିଥିଲେ ଓ ଡ଼କ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.