ମା’ ବସ୍ତରେନ୍ ମାଉଲିଙ୍କ ‘ଅଷାଢ଼କେନା’ ବା ବାର୍ଷିକ ମଣ୍ଡେଇ ଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଟେମରା ଠାରେ ଶୁକ୍ରବାର ବସ୍ତରେନ ମାଉଲି ଦେବୀଙ୍କ ବାର୍ଷିକ ମଣ୍ଡଇ ଓ ଅଷାଢକେନା ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି। ମଣ୍ଡେଇ ହାଟ ପରିକ୍ରମା ସହ ଶ୍ରଦ୍ଧାଳୁ ମାନଙ୍କୁ କଣ୍ଟା ଦୋଲିରେ ଝୁଲି ମା’ ବସ୍ତେରେନ ମାଉଳୀ ଦର୍ଶନ ଦେଇଛନ୍ତି। ପ୍ରଥମେ କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା, ମାଝିଗୁଡାର ବରସଲ୍ ମାଝୀ, ଡେଙ୍ଗାଗୁଡାର ହିଙ୍ଗୁଲାଇ ଦେବୀ ସମେତ ନିମନ୍ତ୍ରିତ ଦେବାଦେବୀ ମାନେ ସାମିଲ ହେବାପରେ ପୁଝାରୀ ଓ ଗୌନ୍ତିଆ ଘରୁ ଦେବା ଦେବୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ଦେବାଦେବୀଙ୍କ ଲାଠି କାଲିଶୀ ଗହଣରେ ପାରମ୍ପାରିକ ବାଦ୍ୟରେ ବଜେଇ ବସ୍ତେରେନ ମାଉଳୀ ଦେବୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହାପରେ ପ୍ରାଥମିକ ପୂଜା ଆରମ୍ଭ ହୋଇଥିଲା। ପରେ ମଣ୍ଡେଇ ହାଟକୁ ତିନି ଥର ପରିକ୍ରମା କରିବା ସହିତ କଣ୍ଟା ଦୋଲିରେ ଝୁଲି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି।

ଏହା ପରେ ମାନସିକଧାରୀ ଭକ୍ତମାନେ ମାନସିକ ପୁରଣ ହୋଇଥିବାରୁ ଦେବୀଙ୍କ ନିକଟରେ ରକ୍ତ ଭୋଗ ଓ ଶୁକ୍ଲ ଭୋଗ ଅର୍ପଣ କରିଥିଲେ। ପୁଜକ ଚିତ୍ରସେନ ମାଝୀ, ଶିରା ସୁରେଶ ଚନ୍ଦ୍ର ମାଝି ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଦେବଦତ୍ତ କମିଟିର ସଭାପତି ପଦ୍ମଲୋଚନ ଦଳପତି, ସଂପାଦକ ମହାଦେବ ବେଶ୍ରା, ସୁଧିର କୁମାର ପାତ୍ର, କ୍ଷେତିରାମ ପାତ୍ର, ଅଶୋକ କୁମାର ଦାସ, ଗୈନ୍ତିଆ ଚୁମନ ପାତ୍ର, ହେମନ୍ତ ବାଣୁଆ, ଅବିରାମ ଲଦୁଆ, ଦୁଷ୍ମନ୍ତ ପାତ୍ର, ବିପିନ୍ ଦଳପତି ପ୍ରମୂଖ ପରିଚାଲନାରେ ସହଯୋଗ କରିଥିଲେ। ଚଳିତ ବର୍ଷ ମା’ ଙ୍କ ମଣ୍ଡେଇ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ନିମନ୍ତେ କୋକସରା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.